ବାଲେଶ୍ବର: ମଙ୍ଗଳବାର ଦିନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଗସ୍ତ ବାଲେଶ୍ବର ରାଜନୀତିକୁ ସରଗରମ କରିଦେଇଛି। ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ପୂର୍ଣ୍ଣ କାର୍ଯ୍ୟକ୍ଷମ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ବକ୍ତବ୍ୟ ଚର୍ଚ୍ଚାର ବିଷୟ ପାଲଟିଛି। ତା’ଠାରୁ ଅଧିକ ଚର୍ଚ୍ଚା ହୋଇଛି କେନ୍ଦ୍ରମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅନୁପସ୍ଥିତ ରହିବା ଘଟଣା। ସଂସଦୀୟ ଷ୍ଟାଣ୍ଡିଂ କମିଟି ବୈଠକ ପାଇଁ ସେ କେରଳ ଗସ୍ତରେ ଥିବାରୁ ଯୋଗଦେଇ ପାରିନଥିବା ଜଣାପଡ଼ିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବାଲେଶ୍ବରଠାରେ ପୂର୍ବତନ ବିଧାୟକ ମଦନମୋହନ ଦତ୍ତଙ୍କ ସ୍ମୃତିସଭାରେ ଯୋଗଦେଇ ନିଜ ଭାଷଣରେ ଜିଲ୍ଲାର ବିକାଶ ସମ୍ପର୍କିତ କେତେକ ପ୍ରସଙ୍ଗ ଉଠାଇଥିଲେ। ସେଥିମଧ୍ୟରୁ ଏମ୍‌ସ ସାଟେଲାଇଟ୍‌ ସେଣ୍ଟର ଅନ୍ୟତମ, ଯାହାକି ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇନି। ସେଠାରେ ଡାକ୍ତର ନିଯୁକ୍ତ ହୋଇନଥିବା ବେଳେ ନିୟମିତ ଓପିଡି ସେବା, ହସ୍ପିଟାଲ ବି ଆରମ୍ଭ ହୋଇପାରିନି। ଏ ସମ୍ପର୍କରେ କେନ୍ଦ୍ରମନ୍ତ୍ରୀ କହିଥିଲେ, ସଦର ବିଧାୟକ ମାନସ ଦତ୍ତ ବାଲେଶ୍ବର, ଭଦ୍ରକ, ମୟୂରଭଞ୍ଜ ବିଧାୟକଙ୍କ ସମେତ ଭଦ୍ରକ, ବାଲେଶ୍ବରର ସାଂସଦଙ୍କୁ ସାଙ୍ଗରେ ନେଇ ଦିଲ୍ଲୀ ଆସନ୍ତୁ। ଦିଲ୍ଲୀରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିବା ବୋଲି କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, ‘ବାଲେଶ୍ବର ପାଇଁ ମୋର ବି କିଛି କର୍ତ୍ତବ୍ୟ ଅଛି, ମୋର ସାଧ୍ୟମତେ ବାଲେଶ୍ବରର ବିକାଶ ପାଇଁ ସହଯୋଗ କରିବି।’ 
ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଓ ବିଧାୟକ ମାନସ ଦତ୍ତଙ୍କ ସମ୍ପର୍କରେ ବକ୍ତବ୍ୟ ରଖି କେନ୍ଦ୍ରମନ୍ତ୍ରୀ ଶ୍ରୀ କହିଥିଲେ, ସ୍ବର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଓଡ଼ିଶା ରାଜନୀତିରେ ସୂର୍ଯ୍ୟ ପରି ତେଜିୟାନ୍‌ ହେଉଛନ୍ତି। ମାନସ ବି ବାଲେଶ୍ବର ଭାବାବେଗକୁ ନେଇ କାମ କରୁଛନ୍ତି। ଯଦିଓ ଆମଦଳ ପାରିବାରିକ ରାଜନୀତିକୁ ପ୍ରଶ୍ରୟ ଦିଏ ନାହିଁ, କିନ୍ତୁ ଉଭୟ ଜନସାଧାରଣଙ୍କ ଦ୍ବାରା ସ୍ବୀକୃତିଲାଭ କରିଛନ୍ତି। ତେବେ, ସଭାରେ ବାଲେଶ୍ବର ସାଂସଦଙ୍କ ଅନୁପସ୍ଥିତି ସବୁଠୁ ଚର୍ଚ୍ଚାର ବିଷୟ ପାଲଟିଲା। ବେଳେ ସାଂସଦ ଦିଲ୍ଲୀରେ ଏକ ବୈଠକରେ ଥିବା  ତ ଆଉ କିଏ ଭାଇଜାଗ୍‌ ଏକ କାମରେ ଯାଇଥିବା ଦଳୀୟ କର୍ମକର୍ତ୍ତା କହୁଥିବା ଦେଖିବାକୁ ମିଳିଥିଲା। ତେବେ, ଏହାକୁ ନେଇ ଦିନତମାମ ଚର୍ଚ୍ଚା ହେବାପରେ ରାତି ପ୍ରାୟ ୯ଟା ୪୫ ମିନିଟ୍‌ରେ ସାଂସଦ ନିଜର ଫେସ୍‌ବୁକ୍‌ ପେଜ୍‌ରେ ପୂର୍ବତନ ବିଧାୟକ ମଦନମୋହନ ଦତ୍ତଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ କେରଳରେ ଥିବାରୁ ଯୋଗଦେଇ ପାରିନଥିବା ଉଲ୍ଲେଖ କରିଛନ୍ତି।