ଭୁବନେଶ୍ବର: ଏକବିଂଶ ଶତାବ୍ଦୀରେ ଓଡ଼ିଶା ଭାରତର ଏକ ନମ୍ବର ରାଜ୍ୟ ତଥା ପୃଥିବୀର ଏକ ଅଗ୍ରଣୀ ଅଞ୍ଚଳ ହେବାର ସମ୍ଭାବନା ରଖିଛି। ପ୍ରବାସୀ ଓଡ଼ିଆମାନେ ଏହି ସମାଜର ଅଗ୍ରଦୂତ ହୁଅନ୍ତୁ। ନୂଆଦିଲ୍ଲୀରେ ଆୟୋଜିତ ପ୍ରବାସୀ ଓଡ଼ିଆ ଉତ୍ସବ-୨୦୧୯ରେ ଯୋଗ ଦେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ଆହ୍ବାନ ଦେଇଛନ୍ତି।
ଶ୍ରୀ ପ୍ରଧାନ କହିଲେ, ସମୟ ବଦଳିବା ଅନୁସାରେ ସମସ୍ତଙ୍କ ଭୂମିକା ଓ ଦାୟିତ୍ବ ମଧ୍ୟ ବଦଳିଛି। ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସି ଦିଲ୍ଲୀରେ ଓଡ଼ିଆ ଲୋକମାନେ ବିଭିନ୍ନ କ୍ଷେତ୍ରରେ କୀର୍ତ୍ତି ସ୍ଥାପନ କରିଛନ୍ତି। ଆଜି ଏହାକୁ ବ୍ୟାପକ କରିବାର ଆବଶ୍ୟକତା ରହିଛି। ଲେଖାପଢ଼ା ଓ ଜ୍ଞାନରେ ସର୍ବଭାରତୀୟ ସ୍ତରରେ ଓଡ଼ିଆ ଲୋକମାନେ ସୁନାମ ଆଣିପାରିଛନ୍ତି। ଏକବିଂଶ ଶତାବ୍ଦୀ ଜ୍ଞାନ ଆଧାରିତ ହେବ। ଏହି ସମୟରେ ଓଡ଼ିଆ ଲୋକମାନେ ଓଡ଼ିଶା ପାଇଁ ବଡ଼ କଳ୍ପନା କରିବାର ଆବଶ୍ୟକତା ରହିଛି। ତେଣୁ ଏବେ ନିଜ ଅଞ୍ଚଳ ପାଇଁ ସମସ୍ତଙ୍କର କିଛି ଦାୟିତ୍ବ ନେବାର ସମୟ ଆସିଛି। କେନ୍ଦ୍ର ମନ୍ତ୍ରୀ ଆହୁରି କହିଲେ, ଓଡ଼ିଆ ଜାତିକୁ ବିଶ୍ବରେ ପରିଚିତ କରିବାର ଦାୟିତ୍ବ କେବଳ ଦିଲ୍ଲୀ ଓ ଭୁବନେଶ୍ବରରେ ଥିବା ସରକାରଙ୍କର ନୁହେଁ, ସମଗ୍ର ଓଡ଼ିଆ ଜାତିର। ଓଡ଼ିଶାର ଛେନାପୋଡ଼, ଆରିସା ପିଠା, ପଖାଳ, ଆମ୍ବୁଲ, ସୋରିଷ ତରକାରୀ, ମାଛ, ସମ୍ବଲପୁରୀ ଶାଢ଼ି, ଖୋର୍ଦ୍ଧା ଗାମୁଛା ଏସବୁକୁ ବିଶ୍ବରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ଏକବିଂଶ ଶତାବ୍ଦୀରେ ଓଡ଼ିଶାର ସମସ୍ତ ଲୋକ ଏକାଠି ହୋଇ ଓଡ଼ିଶାର ଏହି ସବୁ ଜିନିଷକୁ ବିଶ୍ବରେ ପହଞ୍ଚାଇବାର ଆବଶ୍ୟକତା ରହିଛି। ତେବେ ଯାଇ ଓଡ଼ିଶା ବିଶ୍ବରେ ଅଧିକରୁ ଅଧିକ ପରିଚୟ ଲାଭ କରିପାରିବ। ଯେଉଁ ସମାଜ ଯେତେ ପ୍ରଗତିଶୀଳ, ସମ୍ବେଦନଶୀଳ ଓ ଭାବନାତ୍ମକ ସେ ଜାତି ସେତେ ବଡ଼ ହୋଇପାରିବ। ସମସ୍ତଙ୍କ ମନରେ ଆତ୍ମବିଶ୍ବାସ ଦେଇ ଓଡ଼ିଆ ଲୋକଙ୍କୁ ଆର୍ଥିକ ସମ୍ପନ୍ନ କରିବାର ଆବଶ୍ୟକତା ରହିଛି ବୋଲି ଶ୍ରୀ ପ୍ରଧାନ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/12/x65f4h65f4hf654h6f5shssssssssssssssssssss.jpg)