କୋଟିଆକୁ ନେଇ ଧର୍ମେନ୍ଦ୍ର ରାଜନୀତି କରୁଛନ୍ତି: ପ୍ରଦୀପ

ସାଟ୍‌ଲାଇଟ୍ ଷ୍ଟଡି ସେଣ୍ଟର୍ ଅନୁଗୁଳକୁ ସ୍ଥାନାନ୍ତର ପାଇଁ ଷଡ଼୍‌ଯନ୍ତ୍ର

ଜୟପୁର : କୋରାପୁଟ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ସାଟ୍‌ଲାଇଟ୍ ଷ୍ଟଡି ସେଣ୍ଟର୍ ଅନୁଗୁଳକୁ ସ୍ଥାନାନ୍ତର ପାଇଁ ଚାଲିଛି ଷଡ଼୍‌ଯନ୍ତ୍ର। ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଚାଲିଥିବା କୋଟିଆ ବିବାଦର ସମାଧାନ ହୋଇପାରୁନି। ପୂର୍ବରୁ କୌଣସି କେନ୍ଦ୍ର ମନ୍ତ୍ରୀ କୋଟିଆ ଗସ୍ତରେ ଆସିନଥିବା ବେଳେ କୋଟିଆ ପ୍ରସଙ୍ଗରେ କେବେ ମୁହଁ ଖୋଲି ନାହାନ୍ତି ଧର୍ମେନ୍ଦ୍ର। ରାଜନୈତିକ ଅଭିସନ୍ଧି ରଖି ଆଜି ଓଡ଼ିଶା ଦିବସ ପାଳନ କରିବାକୁ କୋଟିଆ ଗସ୍ତରେ ଧର୍ମେନ୍ଦ୍ର ଆସିଥିବା ଅଭିଯୋଗ କରିଛନ୍ତି ରାଜ୍ୟ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝି।

ଜୟପୁରରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମାଝି ଅଭିଯୋଗ କରିଛନ୍ତି, କୋଟିଆ ପାଇଁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ମାମଲା ଲଢ଼ୁଛନ୍ତି। ଧର୍ମେନ୍ଦ୍ରଙ୍କ ଯଦି କୋଟିଆ ପ୍ରତି ଏତେ ଦରଦ ରହିଛି ତେବେ କେନ୍ଦ୍ର ଗୃହ ବିଭାଗ ଜରିଆରେ ଦୁଇ ରାଜ୍ୟର ସୀମା ବିବାଦକୁ କାହିଁକି ସମାଧାନ କରୁନାହାନ୍ତି। କେନ୍ଦ୍ର ସରକାର ଓ ଗୃହ ବିଭାଗର ଏହା ମୌଳିକ ତଥା ପ୍ରାଥମିକ ଦାୟିତ୍ବ। ଆନ୍ଧ୍ରପ୍ରଦେଶ ଏହି ପଞ୍ଚାୟତକୁ ବିବାଦୀୟ କରିବା ପାଇଁ ଷଡ଼୍‌ଯନ୍ତ୍ର କରୁଥିବା ବେଳେ ବିଜେଡି ପଣ୍ଡ କରିଆସୁଛି। ୧୬୦ କୋଟି ଖର୍ଚ୍ଚ କରି କୋଟିଆ ପଞ୍ଚାୟତର ରୂପରେଖରେ ପରିବର୍ତ୍ତନ ସହ ବସବାସ କରୁଥିବା ଲୋକଙ୍କ ଜୀବନମାନରେ ବ୍ୟାପକ ପରିବର୍ତ୍ତନ ଆଣିଛନ୍ତି ରାଜ୍ୟ ସରକାର। କିନ୍ତୁ ଅଭିବକ୍ତ କୋରାପୁଟ ଜିଲ୍ଲାର ସମାଗ୍ରୀକ ବିକାଶ ପାଇଁ କେନ୍ଦ୍ର ସରକାର କଣ କରିଛନ୍ତି ତାହାର ଉତ୍ତର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଦିଅନ୍ତୁ ବୋଲି ଶ୍ରୀ ମାଝି ପ୍ରଶ୍ନ କରିଥିଲେ।

୨୦୦୯ ମସିହାରେ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ ଆରମ୍ଭ ହୋଇଥିଲେ ସୁଦ୍ଧା ଏଯାବତ୍ ୭ଟି ବିଭାଗରେ ୧୪ଟି ପାଠ୍ୟକ୍ରମ ହିଁ ପଢ଼ାଯାଉଛି। ଏହି ସମୟରେ ଅନ୍ୟ ରାଜ୍ୟରେ ଖୋଲିଥିବା ବିଶ୍ବବିଦ୍ୟାଳୟରେ ପ୍ରତିବର୍ଷ ନୂଆ ବିଭାଗ ଖୋଲୁଛି। ଓଡ଼ିଶାରେ ବିଭାଗ ତ ଦୂରର କଥା ଖାଲି ପଡିଥିବା ପ୍ରଫେସର ପଦବି ପୂରଣ କରୁନାହାନ୍ତି କେନ୍ଦ୍ର ସରକାର। ୧୭ଜଣ ସହକାରୀ ପ୍ରଫେସର, ୨ଜଣ ସ୍ଥାୟୀ ପ୍ରଫେସରରେ ବିଶ୍ବବିଦ୍ୟାଳୟ ଚାଲିଛି। ୧୩୮ ଟିଚିଂ ଓ ୯୧ ନନ୍‌ ଟିଚିଂ ଏଭଳି ୨୨୯ ପଦବି ଖାଲି ପଡ଼ିଛି। ପ୍ରଶାସନିକ ଭବନର ନିର୍ମାଣ ସରିନଥିବାରୁ ସେରିକଲଚର ବିଭାଗର ଅତିଥି ଗୃହରେ ଏହା ଚାଲିବା କେତେ ଦୂର ଯୁକ୍ତିଯୁକ୍ତ। ଏହି ସ୍ଥିତିରେ ଏକାଡେମୀ କାଉନସିଲ ବୈଠକ କରି ସାଟ୍‌ଲାଇଟ୍‌ ଷ୍ଟଡି ସେଣ୍ଟର ଅନୁଗୁଳରେ କରିବାକୁ କେନ୍ଦ୍ର ସରକାର ଯୋଜନା ଚଲାଇଛନ୍ତି। ଏପରି ଷଡ଼୍‌ଯନ୍ତ୍ରକୁ ଫଳପ୍ରଦ କରିବାକୁ ଦିଆଯିବ ନାହିଁ ବୋଲି ଶ୍ରୀ ମାଝି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର