ଢେଙ୍କାନାଳ/ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ଯୋରାଗାଡ଼ିଆଠାରେ ଆଜି ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ (ଟିଏସ୍ଏଫ୍)ର ବିଭିନ୍ନ ଗୋଷ୍ଠୀ ଉନ୍ନୟନ କାର୍ଯ୍ୟକ୍ରମର ଶୁଭାରମ୍ଭ ସହ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଜାତୀୟ ରାଜପଥ -୫୫ର ଆଲୋକୀକରଣ ଓ ନୂଆହତାରେ ଏକ ସୌରଚାଳିତ ସଡ଼କ ଆଲୋକୀକରଣ ପ୍ରକଳ୍ପର ଭୂମିପୂଜନ କରିଥିଲେ। ଇଟାପଠାରୁ ନୂଆହତା ଛକ ପର୍ଯ୍ୟନ୍ତ ଏନ୍ଏଚ୍-୫୫ରେ ୩.୫ କିମି ପର୍ଯ୍ୟନ୍ତ ରାସ୍ତାରେ ଆଲୋକୀକରଣ ବ୍ୟବସ୍ଥାର ଶିଳାନ୍ୟାସ କରାଯାଇଛି। ହାତୀ ପ୍ରଭାବିତ ସନ୍ତ୍ରୀଛକରୁ ହାତୁରା ପର୍ଯ୍ୟନ୍ତ ୨୦ କିଲୋମିଟର ବ୍ୟାପୀ ଅଞ୍ଚଳରେ ସୌରଚାଳିତ ସଡ଼କ ଆଲୋକୀକରଣର ଭିତ୍ତିପ୍ରସ୍ତର, ବଅଁରପାଳ ବ୍ଲକ୍ରେ ୧.୨୮ କୋଟି ଟଙ୍କା ବ୍ୟୟରେ ଡ୍ରେନ୍ ଓ ୧ କିଲୋମିଟର କଂକ୍ରିଟ୍ ସଡ଼କ, ଡିହସାହିରେ ଏକ ଗୋଷ୍ଠୀ କେନ୍ଦ୍ର, ନୂଆହତା ପଞ୍ଚାୟତରେ ୨ଟି ହାଇମାଷ୍ଟ ଲାଇଟ୍ ଓ ୮୨ଟି ଷ୍ଟ୍ରିଟଲାଇଟ୍ ଲୋକାର୍ପଣ କରାଯାଇଛି। ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ୧ କୋଟି ଟଙ୍କା ବ୍ୟୟରେ ଏକ ସୂଚନା କେନ୍ଦ୍ର, ନରେନ୍ଦ୍ରପୁରରେ ନୂଆ ବିଦ୍ୟାଳୟ କୋଠା, ହିନ୍ଦୋଳ ଓ ଓଡ଼ାପଡ଼ା ବ୍ଲକ୍ରେ ୮ଟି ହାଇମାଷ୍ଟ ଲାଇଟ୍ ଓ ୧୬୦ଟି ଷ୍ଟ୍ରିଟ୍ଲାଇଟ୍ କେନ୍ଦ୍ରମନ୍ତ୍ରୀ ଉଦ୍ଘାଟନ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ ମେରାମଣ୍ଡଳୀସ୍ଥିତ ଟାଟା ଷ୍ଟିଲର ଜୈବ ବିବିଧତା ପାର୍କ ପରିଦର୍ଶନ କରିଥିଲେ। କେନ୍ଦ୍ର ସରକାରଙ୍କ ‘ମାଆ ପାଇଁ ଗଛଟିଏ’ ଅଭିଯାନରେ ସେ ପାର୍କ ଓ ପାରିପାର୍ଶ୍ବିକ ଅଞ୍ଚଳରେ ୫୦୦୦ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ।
କେନ୍ଦ୍ରମନ୍ତ୍ରୀ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ରେ ନୂତନ ପ୍ରଜାମଣ୍ଡଳ ଭବନର ଶିଳାନ୍ୟାସ କରିବା ସହ ପିଏମ୍ଶ୍ରୀ ପବିତ୍ରମୋହନ ସରକାରୀ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ପରିସରରେ ଜିନ୍ଦଲ ଇଣ୍ଡିଆ ପାୱାର ଲିମିଟେଡ୍ ପକ୍ଷରୁ ୮୧ ଲକ୍ଷ ୫୩ ହଜାର ଟଙ୍କା ବ୍ୟୟରେ ନିର୍ମାଣ କରାଯାଇଥିବା ଅତିରିକ୍ତ ଶ୍ରେଣୀ ଗୃହକୁ ଉଦ୍ଘାଟନ କରିଥିଲେ। ମହାନଦୀ କୋଲଫିଲଡ୍ ପକ୍ଷରୁ ୨ କୋଟି ୯୭ ଲକ୍ଷ ୫୦ ହଜାର ଟଙ୍କା ବ୍ୟୟରେ ୧୦୦ ଶଯ୍ୟା ବିଶିଷ୍ଟ ବାଳକ ହଷ୍ଟେଲ୍ର ଭୂମିପୂଜନ, ଏନ୍ଟିପିସି ପକ୍ଷରୁ ୩୫ ଲକ୍ଷ ଟଙ୍କା ବ୍ୟୟରେ ଭୋଜନାଳୟ ଓ ରୋଷେଇ ଘରର ଶୁଭ ଉଦ୍ଘାଟନ କରିଥିଲେ। ଜେଆଇପିଏଲ୍ ପକ୍ଷରୁ ୮୭ ଲକ୍ଷ ୩୭ ହଜାର ଟଙ୍କା ବ୍ୟୟରେ ବିଜ୍ଞାନ ପ୍ରୟୋଗଶାଳାର ଶିଳାନ୍ୟାସ ସହିତ କଣିହାଁ-ପଟ୍ଟାଖମଣ ଗାଁ ଟିକିରା ନଦୀରେ ଜିଲ୍ଲା ଖଣିଜ ପାଣ୍ଠି ଅନୁଦାନରେ ୨୩ କୋଟି ୩୬ ଲକ୍ଷ ୭୧ ହଜାର ଟଙ୍କା ବ୍ୟୟରେ ନିର୍ମିତ ସେତୁକୁ ଲୋକାର୍ପଣ କରିଥିଲେ।