ଢ଼େଙ୍କାନାଳ ସଦାଶିବପୁରଠାରେ ‘କମନ୍ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’ର ଭୂମିପୂଜନ କଲେ ଧର୍ମେନ୍ଦ୍ର

ଭୁବନେଶ୍ବର : ଢେଙ୍କାନାଳ ଜିଲ୍ଲା ତେନ୍ତୁଳିପଡାର ସଦାଶିବପୁରଠାରେ “କମନ୍ ୟୁଜର୍ ପେଟ୍ରୋଲିୟମ ଫାସିଲିଟି’ର ଭୂମିପୂଜନ କରିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି  ଭୂମିପୂଜନ କାର୍ଯ୍ୟକ୍ରମରେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ  ହରଦୀପ ସିଂ ପୁରୀ ଭିଡିଓ କନଫରେନ୍ସିଂରେ ଉପସ୍ଥିତ ରହିଥିବା ବେଳେ କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ରାଷ୍ଟ୍ରମନ୍ତ୍ରୀ ରାମେଶ୍ୱର ତେଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ କାର୍ଯ୍ୟକ୍ରମରେ ଉପସ୍ଥିତ ରହିଥିଲେ ।

ଏହି ଅବସରରେ ଧର୍ମେନ୍ଦ୍ର କହିଛନ୍ତି ଯେ ଏଠାରେ ନିର୍ମାଣ ହେବାକୁ ଥିବା ତୈଳ ଟର୍ମିନାଲ ଆଗାମୀ ୩୦ ରୁ ୪୦ ବର୍ଷ ପର୍ଯ୍ୟନ୍ତ ଢ଼େଙ୍କାନାଳର ବଢ଼ୁଥିବା ଶିଳ୍ପାୟନରେ ବଡ଼ ଭୂମିକା ନେବା ସହ ଏହି ପ୍ରକଳ୍ପ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲା ସମେତ ଅନୁଗୁଳ, ଦେବଗଡ଼, କେନ୍ଦୁଝର ଓ ପଶ୍ଚିମ ଓଡ଼ିଶାରେ ପେଟ୍ରୋଲିୟମ ସାମଗ୍ରୀ ଚାହିଦାକୁ ପୂରଣ କରିବ  । ସେହିପରି ପାରାଦୀପ ଧାମରାରୁ ତାଳଚେର ପର୍ଯ୍ୟନ୍ତ ଜଳପଥ ହେବ ଏବଂ ଏହି ପଥରେ ଷ୍ଟିମର ଚାଲିବା ନେଇ ମଧ୍ୟ ଭାରତ ସରକାରଙ୍କ ଯୋଜନା ରହିଥିବା ଶ୍ରୀ ପ୍ରଧାନ କହିଛନ୍ତି ।

ଏହି ଅବସରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ସ୍ୱଚ୍ଛ ଇନ୍ଧନକୁ ପ୍ରୋତ୍ସାହନ ଦେବା ପାଇଁ ବିପୁଳ ପୁଞ୍ଜିନିବେଶ କରୁଛନ୍ତି । ଢ଼େଙ୍କାନାଳ, ଅନୁଗୁଳ, ଦେବଗଡ଼, କେନ୍ଦୁଝର ଜିଲ୍ଲା ଗୁଡ଼ିକ ଖଣିଜ ପଦାର୍ଥରେ ପରିପୂର୍ଣ୍ଣ । ଏହାସହ ଷ୍ଟିଲ୍, ଆଲୁମିନିୟମ, ବିଦ୍ୟୁତ୍ ଉତ୍ପାଦନ ସଂସ୍ଥା ଯଥା ଟାଟା ଷ୍ଟିଲ, ନାଲକୋ, ଜିନ୍ଦଲ ଇଣ୍ଡିଆ ଥର୍ମାଲ ପ୍ଲାଂଟ୍ ଏବଂ ଏନଟିପିସି ଭଳି ବଡ଼ ବଡ଼ ଶିଳ୍ପ କମ୍ପାନୀ ଏଠାରେ ପ୍ରତିଷ୍ଠିତ ଅଛନ୍ତି । ଏହାକୁ ଦୃଷ୍ଟିରେ ରଖି ଅପାର ସମ୍ଭାବନାର ଅଂଚଳ ଅବିଭକ୍ତ ଢ଼େଙ୍କାନାଳ ଜିଲ୍ଲାକୁ ଅଗ୍ରଣୀ ଅଂଚଳ କରିବା ଲକ୍ଷ୍ୟରେ ଏହି ପ୍ରକଳ୍ପ ନିର୍ମାଣ କରାଯାଉଛି । ଆଗାମୀ ୨ ବର୍ଷ ମଧ୍ୟରେ ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହେଲେ ଶିଳ୍ପ କମ୍ପାନୀ ଦ୍ୱାରା ପରିବହନ ହେଉଥିବା ଟ୍ରକ ଗୁଡିକ ବିଭିନ୍ନ ଷ୍ଟେସନରୁ ପେଟ୍ରୋଲିୟମଜାତ ସାମଗ୍ରୀ ଏବଂ ଇଥାନଲ, ଏଲଏନଜି ନେବାରେ ସହଜ ହେବ । ଏହା ଦ୍ୱାରା ସ୍ଥାନୀୟ ଅଂଚଳରେ ଶିଳ୍ପାୟନର ସାମଗ୍ରିକ ବିକାଶରେ ବଡ଼ ଭୂମିକା ଗ୍ରହଣ କରିବ । ଏହାଛଡ଼ା ଢେଙ୍କାନାଳ ଏବଂ ଅନୁଗୁଳ ହାଇଡ୍ରୋଜେନ୍ ଆଧାରିତ ଅର୍ଥନୈତିକ ପେଣ୍ଠସ୍ଥଳି ହେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ “ପୂର୍ବୋଦୟ” କଳ୍ପନାରେ ବିପିସିଏଲ ନେତୃତ୍ୱରେ ହେବାକୁ ଥିବା ଏହି ୩୯୫ କୋଟି ଟଙ୍କାର ପ୍ରକଳ୍ପ ୩ଟି ତୈଳ ବିପଣନ କମ୍ପାନୀ ଯଥା ଇଣ୍ଡିଆନ ଅଏଲ, ବିପିସିଏଲ, ଏଚପିସିଏଲ ବ୍ୟବହାର କରିବେ । ଏଠାରେ ଅତ୍ୟାଧୁନିକ ଜ୍ଞାନକୌଶଳରେ ୪୨ ହଜାର କିଲୋ ଲିଟର କ୍ଷମତା ବିଶିଷ୍ଟ ସମ୍ପୂର୍ଣ୍ଣ ସ୍ୱୟଂଚାଳିତ ଷ୍ଟୋରେଜ୍ ଡ଼ିପୋ ବା ତୈଳ ଟର୍ମିନାଲ ନିର୍ମାଣ କରାଯିବ । ୫୦ ଏକର ପରିମିତ ଜମିରେ ନିର୍ମାଣ ହେବାକୁ ଥିବା ଏହି ତୈଳ ଡିପୋରେ ପେଟ୍ରୋଲ, ଡ଼ିଜେଲ, ଇଥାନଲ ଏବଂ ବାୟୋ ଡ଼ିଜେଲ ସଂରକ୍ଷିତ ରଖିବା ସହ ଆଖପାଖ ଜିଲ୍ଲାରେ ଯୋଗାଣ କରାଯିବ ।

ଏହି କାର୍ଯକ୍ରମରେ ଢେଙ୍କାନାଳ ସାଂସଦ ମହେଶ ସାହୁ, ହିନ୍ଦୋଳ ବିଧାୟକା ସୀମାରାଣୀ ନାୟକ, ବିପିସିଏଲର ସିଏମଡି କେ. ପଦ୍ମାକର, ବିପିସିଲର ମାର୍କେଟିଂ ଡାଇରେକ୍ଟର ଅରୁଣ କୁମାର ସିଂହ ଏବଂ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।

ସମ୍ବନ୍ଧିତ ଖବର