ଏଫ୍‌ଏକ୍ୟୁ ମାନ କୋହଳ ପାଇଁ ଧର୍ମେନ୍ଦ୍ରଙ୍କ ଚିଠି

ଭୁବନେଶ୍ୱର: ଅଦିନିଆ ବର୍ଷା ଯୋଗୁଁ ଜିଲ୍ଲାମାନଙ୍କରେ ଧାନର ମାନ ଗଭୀର ଭାବେ ପ୍ରଭାବିତ ହୋଇଥିବା କାରଣରୁ ଏଫଏକ୍ୟୁ ମାନ କୋହଳ କରିବାକୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର ସରକାରଙ୍କୁ ପତ୍ର ଲେଖିଛନ୍ତି। କେନ୍ଦ୍ର ଖାଉଟି କଲ୍ୟାଣ, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରୀ ରାମବିଳାସ ପାଶ୍ୱାନଙ୍କୁ ଲେଖାଯାଇଥିବା ଏହି ପତ୍ରରେ ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଆ ଚାଷୀଙ୍କର ସ୍ୱାର୍ଥ ଦୃଷ୍ଟିରୁ ଓ ଅଭାବୀ ବିକ୍ରି ରୋକିବା ପାଇଁ ଏ ନେଇ ପଦକ୍ଷେପ ନେବା ନିହାତି ଜରୁରି। ଏଫଏକ୍ୟୁ ମାନ କୋହଳ କରି ଚାଷୀମାନଙ୍କୁ ସର୍ବନିମ୍ନ ସହାୟତା ଯୋଗାଇ ଦେବାପାଇଁ ଏଥିରେ ଅନୁରୋଧ କରାଯାଇଛି। ଶ୍ରୀ ପ୍ରଧାନ ଏହି ପତ୍ରରେ ଲେଖିଛନ୍ତି ଯେ ବିଭିନ୍ନ ଜିଲ୍ଲା ଗସ୍ତ ସମୟରେ ଚାଷୀ ମାନେ ଅଦିନିଆ ବର୍ଷା ଯୋଗୁ ଧାନ ଉତ୍ପାଦନ ଓ ଉତ୍ପାଦିତ ମାନ ପ୍ରଭାବିତ ହୋଇଥିବା ନେଇ ତାଙ୍କୁ ଦାବି ପତ୍ର ଦେଇଥିଲେ । କେନ୍ଦ୍ର ସରକାର ଏଫଏକ୍ୟୁ ମାନ କୋହଳ କରିବାକୁ ସେମାନେ ଅନୁରୋଧ ଜଣାଇଥିଲେ । ଏ ନେଇ ସେ ମନ୍ତ୍ରୀଙ୍କ ସହିତ ପୂର୍ବରୁ ମୌଖିକ ଆଲୋଚନା କରିଥିଲେ। ଏହାପରେ କେନ୍ଦ୍ର ସରକାରଙ୍କର ପ୍ରତିନିଧିମଣ୍ଡଳ ଓଡିଶାରେ ଧାନର ମାନ ସମ୍ପର୍କରେ ସରଜମିନ ତଦନ୍ତ କରିଛନ୍ତି। ଏଫସିଆଇ ଦେଇଥିବା ରିପୋର୍ଟରେ ଧାନ ଏଫଏକ୍ୟୁ ମାନର ନ ଥିବା ନେଇ ତାଙ୍କ ରିପୋର୍ଟ ପ୍ରଦାନ କରିଥିବା କୁହାଯାଉଛି। ଏଭଳି ସ୍ଥିତିରେ କେନ୍ଦ୍ର ସରକାର ହସ୍ତକ୍ଷେପ କରିବା ଜରୁରି ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର