ରେଳମନ୍ତ୍ରୀଙ୍କୁ ଚିଠି ଲେଖିଲେ ଧର୍ମେନ୍ଦ୍ର: ଓଡ଼ିଆ ପ୍ରବାସୀ ଶ୍ରମିକଙ୍କ ପାଇଁ ‘ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍’ ଚଳାଅ

ଭୁବନେଶ୍ବର: ଗୁଜୁରାଟ, କର୍ଣ୍ଣାଟକ ଓ ମହାରାଷ୍ଟ୍ର ଭଳି ବାହାର ରାଜ୍ୟକୁ ଜୀବିକା ଉପାର୍ଜନ ପାଇଁ ଯାଉଥିବା ଓଡ଼ିଆ ପ୍ରବାସୀ ଶ୍ରମିକମାନଙ୍କ ପାଇଁ ‘ସ୍ବତନ୍ତ୍ର ଶ୍ରମିକ ଟ୍ରେନ୍‌’ ଚାଲୁ କରାଯାଉ। ଏ ନେଇ କେନ୍ଦ୍ର ରେଳମନ୍ତ୍ରୀ ପୀୟୁଷ ଗୋଏଲଙ୍କୁ ଅନୁରୋଧ କରି ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି, ଗଞ୍ଜାମ ଜିଲ୍ଲାରେ ବାସ କରୁଥିବା ଅନେକ ପ୍ରବାସୀ ଓଡ଼ିଆ ଗୁଜୁରାଟ ଓ ଅନ୍ୟ ରାଜ୍ୟକୁ ରେଳ ସେବା ଚାଲୁ କରିବା ପାଇଁ ତାଙ୍କୁ ଅନୁରୋଧ କରିଛନ୍ତି। ରାଜ୍ୟରେ ଜୀବିକାର ଅଭାବ ଓ ପୁଣିଥରେ କାର୍ଯ୍ୟକ୍ଷେତ୍ରରେ ଯୋଗଦେବା ପାଇଁ ଅସୁବିଧା ହେଉଥିବା ନେଇ ସେମାନେ ଦର୍ଶାଇଛନ୍ତି। ଦେଶବ୍ୟାପି କୋଭିଡ୍‌-୧୯ ମହାମାରୀ ଯୋଗୁ ଜାରି ହୋଇଥିବା ଲକ୍‌ ଡାଉନ୍‌ ସମୟରେ ଗୁଜୁରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର ଭଳି ରାଜ୍ୟରୁ ପ୍ରବାସୀମାନେ ଓଡ଼ିଶାକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ରେଳ ମନ୍ତ୍ରଣାଳୟର ସହଯୋଗ ଓ ଉଦ୍ୟମ କାରଣରୁ ଦେଶର କୋଣ ଅନୁକୋଣରୁ ହଜାର ହଜାର ‘ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌’ ମାଧ୍ୟମରେ ଘରକୁ ଫେରିଥିଲେ। ଏବେ ଲକ୍‌ଡାଉନ୍‌ ପ୍ରତ୍ୟାହାର ହେବା ପରେ ଦେଶର ଅର୍ଥନୀତିର ପୁନରୁଦ୍ଧାର ପାଇଁ ସବୁ ପ୍ରକାର ଉଦ୍ୟମ ଆରମ୍ଭ ହୋଇଛି। ଏହି ସମୟରେ ବାହାରେ କାମ କରୁଥିବା ଲୋକମାନଙ୍କ ପାଇଁ ପୁନର୍ବାର ରେଳସେବା ଆରମ୍ଭ ହେବାର ଆବଶ୍ୟକତା ରହିଛି। ପ୍ରବାସୀ ଶ୍ରମିକମାନେ ଓଡ଼ିଶାରୁ ବସ୍‌ ସେବା ଯୋଗାଇଦେବା ପାଇଁ କିଛି ସଂସ୍ଥା ଇଚ୍ଛା ପ୍ରକାଶ କରିଛନ୍ତି। ତେବେ ବର୍ତ୍ତମାନେ ମୌସୁମି ଋତୁ ଚାଲୁଥିବାରୁ ସଡ଼କ ପଥରେ ଦୂର ଯାତ୍ରା କରିବା ସେମାନଙ୍କ ପାଇଁ ନିରାପଦ ନୁହେଁ ବୋଲି ଶ୍ରୀ ପ୍ରଧାନ ଜଣାଇଛନ୍ତି।

କେନ୍ଦ୍ରମନ୍ତ୍ରୀ ଚିଠିକୁ ନେଇ ଆରମ୍ଭ ହୋଇଛି ରାଜନୀତି। କେନ୍ଦ୍ରମନ୍ତ୍ରୀଙ୍କୁ ଚିଠିକୁ ନେଇ ବିଜେପି ଓ ବିଜେଡି ମଧ୍ୟରେ କଥା କଟାକଟି ଆରମ୍ଭ ହୋଇଛି। ରାଜ୍ୟରେ କାମଧନ୍ଦା ନ ମିଳିବାରୁ ବାହାର ରାଜ୍ୟକୁ ଯିବାକୁ ଶ୍ରମିକମାନେ ବାଧ୍ୟ ହେଉଥିବା ବିଜେପି କହିଥିବା ବେଳେ ବିଜେଡି କହିଛି ଯେ ରାଜ୍ୟରେ କର୍ମ ସଂସ୍ଥାନର ଅଭାବ ନାହିଁ। ଓଡ଼ିଶାର ଶ୍ରମିକମାନେ ଦକ୍ଷ ଓ କୁଶଳୀ ହୋଇଥିବାରୁ ବାହାର ରାଜ୍ୟର କମ୍ପାନିମାନେ ଆଗ୍ରହ ପ୍ରକାଶ କରି ସେମାନଙ୍କୁ ଡାକୁଛନ୍ତି। ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ଅଭିଯୋଗ କରି କହିଛନ୍ତି ଯେ ରାଜ୍ୟରେ କାମ ମିଳୁଥିବାରୁ ଓଡ଼ିଶାର ଶ୍ରମିକମାନେ ବାହାର ରାଜ୍ୟକୁ ଯିବାକୁ ବାଧ୍ୟ ହେଉଛନ୍ତି। ବସ୍‌ରେ ଯିବାବେଳେ ଅନେକ ସମୟରେ ଦୁର୍ଘଟଣା ଘଟି ସେମାନଙ୍କ ପ୍ରାଣହାନୀ ଘଟୁଛି। କେନ୍ଦ୍ର ସରକାର ଆତ୍ମନିର୍ଭର ଭାରତ ଓ ମନରେଗା ଯୋଜନା ପାଇଁ ବ୍ୟାପକ ଅର୍ଥ ଦେଇଛନ୍ତି। କିନ୍ତୁ ଓଡ଼ିଶାରେ ଏହି ଦୁଇଟି ଯୋଜନା କାର୍ଯ୍ୟକାରୀ କରିବାରେ ସରକାର ବିଫଳ ହୋଇଛନ୍ତି। ବିଜେପିକୁ ଜବାବ ଦେଇ ଯୋଜନା ଓ ସଂଯୋଜନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ଯେ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଲୋକଙ୍କ ସୁରତ ସହିତ ସମ୍ପର୍କ ରହିଛି। ଜିଲ୍ଲାର ଲକ୍ଷ ଲକ୍ଷ ଲୋକ ସୁରତରେ ଦୀର୍ଘ ଦିନ ଧରି ସୂତା କଳରେ କାମ କରିଆସୁଛନ୍ତି। ଓଡ଼ିଶାର ଶ୍ରମିକମାନେ କୁଶଳୀ ହୋଇଥିବାରୁ ସେମାନଙ୍କୁ ପୁଣି ଥରେ ଆମନ୍ତ୍ରଣ କରାଯାଉଛି।

ସମ୍ବନ୍ଧିତ ଖବର