ଭୁବନେଶ୍ୱରରେ ପ୍ରଧାନମନ୍ତ୍ରୀଙ୍କ ମନ୍ କି ବାତ୍ କାର୍ଯ୍ୟକ୍ରମ ଶୁଣିଲେ ଧର୍ମେନ୍ଦ୍ର

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ବରରେ ଦଳର କାର୍ଯ୍ୟକର୍ତାଙ୍କ ଗ୍ରହଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ଶୁଣିଥିଲେ। ଏହି କାର୍ଯ୍ୟକ୍ରମରେ ନିଜ କାମ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ପ୍ରଶଂସିତ ହୋଇଥିବା ଜଗତସିଂହପୁର ଜିଲ୍ଲାର ସିଲୁ ନାୟକ ବା ସିଲୁ ସାରଙ୍କୁ ସାଧୁବାଦ ଜଣାଇଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଆଜି ‘ମନ୍ କି ବାତ୍‌’ କାର୍ଯ୍ୟକ୍ରମରେ ଓଡ଼ିଶାର ଯୁବକମାନଙ୍କୁ ସେନାରେ ଭର୍ତି ହେବା ପାଇଁ ପ୍ରଶିକ୍ଷଣ ଦେଉଥିବା ଜଗତସିଂହପୁର ଜିଲ୍ଲାର ସିଲୁ ନାୟକଙ୍କ କାମକୁ ପ୍ରଶଂସା କରି ପୁଣି ଥରେ ଆମ ଓଡ଼ିଆ ଲୋକଙ୍କ ପାଖରେ ଥିବା ଦୃଢ଼ ଇଚ୍ଛାଶକ୍ତିକୁ ଦେଶ ଓ ବିଶ୍ୱ ଆଗରେ ପ୍ରତିପାଦିତ କରିଛନ୍ତି। ପୁଲିସ ଚାକିରି କରିବା ପାଇଁ ଅନେକ ଉଦ୍ୟମ ସତ୍ତ୍ବେ ବିଫଳ ହେବା ପରେ ନାୟକ ସାର୍ ମହାଗୁରୁ ବାଟାଲିୟନରେ ୩୦୦ରୁ ଅଧିକ ଯୁବକଙ୍କୁ ମାଗଣାରେ ପ୍ରଶିକ୍ଷଣ ଦେଇ ସେମାନଙ୍କୁ ସେନାରେ ଭର୍ତି କରିବା ପାଇଁ ଉଦ୍ୟମ କରୁଛନ୍ତି। ତାଙ୍କର ଇଚ୍ଛାଶକ୍ତି କେବଳ ଯୁବ ସମାଜକୁ ପ୍ରେରଣା ଦେବ ନାହିଁ ବରଂ ଭାରତୀୟ ସେନାରେ ଭର୍ତି ହେବା ପାଇଁ ଯୁବକଙ୍କ ମନୋବଳକୁ ବଢ଼ାଇବ।

ଉଲ୍ଲେଖନୀୟ ଯେ, ପ୍ରଧାନମନ୍ତ୍ରୀ ମୋଦି ‘ମନ୍ କି ବାତ୍‌’ରେ ଓଡ଼ିଶାର ଜଗତସିଂହପୁର ନାଉଗାଁ ବ୍ଲକ ଅରଖକୁଦର ସିଲୁ ନାୟକଙ୍କୁ ସେନାରେ ସାମିଲ ନେଇ ଯୁବକଙ୍କୁ ମାଗଣା ଟ୍ରେନିଂ ଦେଉଥିବାରୁ ପ୍ରଶଂସା କରିଛନ୍ତି। ସିଲୁ ସାରଙ୍କ ଠାରୁ ଟ୍ରେନିଂ ନେଇ ଅନେକ ଯୁବକ ସେନାରେ ଭର୍ତି ହୋଇଛନ୍ତି ଏବଂ ସେ ସାରା ଦେଶ ପାଇଁ ନାୟକ ସୃଷ୍ଟି କରନ୍ତୁ ବୋଲି ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଉଦ୍‌ବୋଧନରେ କହିଥିଲେ।

ସମ୍ବନ୍ଧିତ ଖବର