ବିଜୟଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ବର : କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚାରି ଦିନିଆ ଓଡ଼ିଶା ଗସ୍ତର ଶେଷ ଦିନରେ ରବିବାର ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କୁ ସାକ୍ଷାତ କରିଛନ୍ତି। ଶ୍ରୀ ମହାପାତ୍ରଙ୍କ ବାସଭବନରେ ଉଭୟ ନେତାଙ୍କ ମଧ୍ୟରେ ପ୍ରାୟ ଏକ ଘଣ୍ଟା ଆଲୋଚନା ହୋଇଥିଲା। କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କର ଓଡ଼ିଶା ଗସ୍ତ ସମୟରେ ଦଳର ପ୍ରାୟ ସବୁ ଆଗଧାଡ଼ିର ନେତାଙ୍କୁ ବିଭିନ୍ନ ସମୟରେ ସାକ୍ଷାତ କରିଛନ୍ତି। କିନ୍ତୁ ଶେଷଦିନରେ ଶ୍ରୀ ମହାପାତ୍ରଙ୍କ ସହ ତାଙ୍କ ସାକ୍ଷାତ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। କାରଣ ପାଖାପାଖି ଦୁଇ ବର୍ଷ ବ୍ୟବଧାନ ପରେ ବିଜେପିର ଏହି ଦୁଇ ହେଭିୱେଟ୍ ନେତା ପରସ୍ପର ସହ ସାମ୍ନାସାମ୍ନି ବସି କଥା ହୋଇଛନ୍ତି। ୨୦୧୯ରେ ପାଟକୁରା ନିର୍ବାଚନ ପରେ ଉଭୟଙ୍କ ମଧ୍ୟରେ କେବେ ସାକ୍ଷାତ ହୋଇ ନ ଥିଲା। ଆଜିର ସାକ୍ଷାତକୁ ସୌଜନ୍ୟମୂଳକ ବୋଲି ନିଜେ ଶ୍ରୀ ପ୍ରଧାନ ଟ୍ବିଟ୍ କରି ଜଣାଇଛନ୍ତି। ସେହିପରି ବିଜୟ କହିଛନ୍ତି ଯେ ଶିକ୍ଷା ବିଭାଗର ଦାୟିତ୍ବ ନେଲାପରେ ପ୍ରଥମଥର ପାଇଁ ଓଡ଼ିଶା ଗସ୍ତରେ ଆସିଥିବାରୁ କେନ୍ଦ୍ର ମନ୍ତ୍ରୀ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। କୌଣସି ସାଂଗଠନିକ କିମ୍ବା ପଞ୍ଚାୟତ ନିର୍ବାଚନ ପ୍ରସଙ୍ଗରେ ଚର୍ଚ୍ଚା ହୋଇ ନାହିଁ। ଓଡ଼ିଶାରେ ଶିକ୍ଷାର ବିକାଶ ପାଇଁ ମନ୍ତ୍ରୀଙ୍କ ମାନସିକତା ରହିଛି ବୋଲି ସେ କହିଛନ୍ତି।

ତେବେ ରାଜନୈତିକ ମହଲରେ ଏହି ସାକ୍ଷାତକୁ ଗୁରୁତ୍ବ ଦିଆଯାଉଛି। କାରଣ ଶ୍ରୀ ମହାପାତ୍ର ବିଜେପିରେ ଥିଲେ ମଧ୍ୟ ଦଳ ଓ ତାଙ୍କର ବାଟ ଅଲଗା ଥିବା ଦେଖାଯାଇଛି। ସେ ସବୁବେଳେ ରାଜ୍ୟ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିଲେ ବି ବିଜେପି କାର୍ଯ୍ୟାଳୟ କେବେ ଆସନ୍ତି ନାହିଁ କି ସେ ଉଠାଇଥିବା ପ୍ରସଙ୍ଗକୁ ନେଇ ବିଜେପି ରାଜନୈତିକ ଲଢ଼େଇ କରେ ନାହିଁ। ଏହି ପରିପ୍ରେକ୍ଷୀରେ ରାଜ୍ୟ ବିଜେପିର ମଙ୍ଗ ଧରିଥିବା କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ସହ ନିଭୃତରେ ଆଲୋଚନା କରିବା ନିଶ୍ଚିତ ଏକ ଉଲ୍ଲେଖନୀୟ ଘଟଣା। ଆଗାମୀ ଦିନରେ ଏହି ସାକ୍ଷାତର ଫଳାଫଳ କ’ଣ ରହୁଛି, ତାହାକୁ ନେଇ ସାଧାରଣରେ ଉତ୍ସୁକତା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର