ଆର୍ସେଲର ମିତ୍ତଲ ଓ ନିପନ ଷ୍ଟିଲ୍‌ ଅଧିକାରୀଙ୍କ ସହ ଧର୍ମେନ୍ଦ୍ରଙ୍କ ବୈଠକ : କଳଙ୍ଗନଗର ଇସ୍ପାତ ହବ୍‌ରେ ପୁଞ୍ଜିନିବେଶ ପାଇଁ ଆହ୍ବାନ

ପାରାଦୀପ ପେଲେଟ୍‌ ପ୍ଲାଣ୍ଟର କ୍ଷମତା ବୃଦ୍ଧି ପାଇଁ ବି କହିଲେ

ନୂଆଦିଲ୍ଲୀ/ ଭୁବନେଶ୍ବର : ପାରାଦୀପରେ ପେଲେଟ୍‌ ପ୍ଲାଣ୍ଟର କ୍ଷମତା ବୃଦ୍ଧି ଓ କଳିଙ୍ଗନଗର ଇସ୍ପାତ ହବ୍‌ରେ ପୁଞ୍ଜିନିବେଶ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆର୍ସେଲର୍‌ ମିତ୍ତଲ ଓ ନିପନ ଷ୍ଟିଲ୍ (ଏଏମ୍‌ଏନ୍‌ଏସ୍‌)କୁ ଆହ୍ବାନ କରିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି ଯେ, ଆର୍ସେଲର ମିତ୍ତଲ ଏବଂ ନିପନ ଷ୍ଟିଲ୍ ଭଳି ଯୌଥ ଉଦ୍ୟୋଗ ପୂର୍ବ ଭାରତରେ ନିଜର କ୍ଷମତା ସଂପ୍ରସାରଣ କରିବା ସହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବଦୋୟ ମିସନରେ ଗୁରୁତ୍ଵପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି । ଓଡ଼ିଶାରେ ବାର୍ଷିକ ଅତିରିକ୍ତ ୧୨ ମେଟ୍ରିକ ଟନ୍‌ ଇସ୍ପାତ ଉତ୍ପାଦନ ଯୋଜନା ତଥା ଓଡ଼ିଶାର ଶିଳ୍ପାୟନର ବିକାଶରେ ଆର୍ସେଲର ମିତ୍ତଲ ଏବଂ ନିପନ ଷ୍ଟିଲ୍ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବା ସହ ସ୍ଥାନୀୟ ଅଞ୍ଚଳରେ ଯୁବକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି କରିପାରିବ। ସେହିପରି ପାରାଦୀପ ପେଲେଟ୍‌ ପ୍ଲାଣ୍ଟର କ୍ଷମତା ବୃଦ୍ଧି ହେଲେ ଆର୍ସେଲର ମିତ୍ତଲ ଏବଂ ନିପନ ଷ୍ଟିଲ ଦେଶରେ ଲକ୍ଷ୍ୟ ରଖାଯାଇଥିବା ବାର୍ଷିକ ୩୦ ନିୟୁତ ଟନ୍‌ ଇସ୍ପା୍ତ ଉତ୍ପାଦନ ଲକ୍ଷ୍ୟକୁ ହାସଲ କରାଯାଇପାରିବ।

ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସମନ୍ବିତ ଇସ୍ପାତ ପେଣ୍ଠସ୍ଥଳୀ କଳିଙ୍ଗନଗରରେ ସ୍ଥାପନ ହେବାକୁ ଥିବା ବିଜୁ ପଟ୍ଟନାୟକ ଜାତୀୟ ଇସ୍ପାତ୍‌ ପ୍ରତିଷ୍ଠାନରେ ସହଯୋଗ କରିବା ପାଇଁ ଆର୍ସେଲର ମିତ୍ତଲ ଏବଂ ନିପନ ଷ୍ଟିଲକୁ ଆହ୍ବାନ କରିଥିଲେ । ଏହାସହ ନିର୍ଦ୍ଧାରିତ ସମୟ ଅନୁସାରେ ପ୍ରକଳ୍ପ ଗୁଡ଼ିକୁ କାର୍ଯ୍ୟକାରୀ କରିବା ଓ ବିଶ୍ବମାନର ଇସ୍ପାତ ବ୍ୟବହାରକୁ ବଢ଼ାଇବା ଦିଗରେ ଦୃଷ୍ଟି ଦେବା ପାଇଁ ଶ୍ରୀ ପ୍ରଧାନ ଗୁରୁତ୍ବାରୋପ କରିଥିଲେ । ଏହି ବୈଠକରେ ଆର୍ସେଲର ମିତ୍ତଲ କମ୍ପାନୀର ଅଧିକାରୀ ଓ ନିପନ ଷ୍ଟିଲ୍ ଇଣ୍ଡିଆର ଅଧିକାରୀମାନେ ଯୋଗଦେଇଥିଲେ।

ସମ୍ବନ୍ଧିତ ଖବର