ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କୁ ଅସମ୍ମାନ ଘଟଣାରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର : ଏଭଳି ଘଟଣା ଶ୍ରୀମନ୍ଦିର ପରିସରରେ ଘଟିବା ନଜରକୁ ଆସିନାହିଁ

ପୁରୀ : ଶ୍ରୀମନ୍ଦିରରେ ମହାମହିମ ରାଷ୍ଟ୍ରପତି ଓ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର ପ୍ରସଙ୍ଗକୁ ନେଇ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଗୁଜୁରାଟର ଦଳିତ ନେତା ଜିଗ୍ନେଶ ମେଭାନୀ ଏଥିପାଇଁ ଏହି ଘଟଣା ଲାଗି ଚିରାଚରିତ ଭାବେ ତାଙ୍କର ପ୍ରତିପକ୍ଷ ଭାରତୀୟ ଜନତା ପାର୍ଟିକୁ ଦାୟୀ କରିଛନ୍ତି। ଅନ୍ୟପକ୍ଷରେ ଏଭଳି ଘଟଣା ଆଦୌ ଶ୍ରୀମନ୍ଦିର ପରିସରରେ ଘଟିନାହିଁ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେବଳ ସେତିକି ନୁହେଁ, ରାଷ୍ଟ୍ରପତିଙ୍କ ଭବନରୁ ଏ ନେଇ କୌଣସି ଚିଠି ଆସିବାର ପ୍ରଶ୍ନ ହିଁ ଉଠୁ ନାହିଁ ବୋଲି ଧର୍ମେନ୍ଦ୍ର ସ୍ପଷ୍ଟ କରିଛନ୍ତି ।

ଶୁକ୍ରବାର ଘଟଣା ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି, ତାଙ୍କ ଜ୍ଞାତସାରରେ ଏଭଳି କିଛି ଘଟି ନାହିଁ । କାରଣ ଶ୍ରୀମନ୍ଦିରରେ ରାଷ୍ଟ୍ରପତିଙ୍କ ସହ ସେ ଥିଲେ । ତେବେ ରାଷ୍ଟ୍ରପତିଙ୍କ ଭବନରୁ ସେପରି ଚିଠି ଆସିବାର ପ୍ରଶ୍ନ ହିଁ ଉଠୁ ନାହିଁ। ତେବେ ଗତକାଲି ଶ୍ରୀମନ୍ଦିର ମୁ୍ଖ୍ୟପ୍ରଶାସକ ପ୍ରଦୀପ ମହାପାତ୍ର ରଖିଥିବା ପ୍ରତିକ୍ରିୟାରେ ମଧ୍ୟ ସମାନ ଯୁକ୍ତି ବାଢ଼ିଥିଲେ । ପୂର୍ବରୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ମଧ୍ୟ ଏ ବାବଦରେ କୌଣସି ଚିଠି ଆସି ନଥିବା ସ୍ପଷ୍ଟ କରିଥିଲେ। ତେବେ ଦିନକୁ ଦିନ ଏହି ପ୍ରସଙ୍ଗ ରହସ୍ୟମୟ ହେବାରେ ଲାଗିଛି । କାରଣ ଯଦି ଦୁର୍ବ୍ୟବହାର କରାଯାଇ ନାହିଁ ତେବେ ମନ୍ଦିର ପରିଚାଳନା କମିଟିର ରିଜୋଲ୍ୟୁସନରେ ଏ କଥା କାହିଁକି ଉଲ୍ଲେଖ କରାଗଲା ।

ସମ୍ବନ୍ଧିତ ଖବର