ମାହାଙ୍ଗାରୁ ୨୦୨୪ ବିଗୁଲ୍‌ ବଜାଇଲେ ଧର୍ମେନ୍ଦ୍ର: ଓଡ଼ିଶାରେ ଶତପ୍ରତିଶତ ଗରିବଙ୍କ କଲ୍ୟାଣ ନ ହେବା ଯାଏଁ ବିଶ୍ରାମ ନେବାନାହିଁ

ଓଡ଼ିଶାର ବିକାଶ ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭଳି ଅତୀତ‌ରେ କେହି ଦାୟିତ୍ୱ ନେଇନାହାନ୍ତି

ମାହାଙ୍ଗା: ୨୦୨୪ ମସିହା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କଟକର ମାହାଙ୍ଗାରୁ ବିଗୁଲ୍ ଫୁଙ୍କିଛନ୍ତି। ଓଡ଼ିଶାରେ ଶତପ୍ରତିଶତ ଗରିବଙ୍କ କଲ୍ୟାଣ ନ ହେବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବାନାହିଁ ବୋଲି ଉପସ୍ଥିତ ଜନତାଙ୍କ ଜରିଆରେ ରାଜ୍ୟବାସୀଙ୍କୁ ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ। ମୋଦୀ ସରକାରଙ୍କ ୮ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି କଟକ ଜିଲ୍ଲା ମାହାଙ୍ଗା ପୋଡାମରାଇଠାରେ ଆୟୋଜିତ ‘ବିଶାଳ ଗରିବ କଲ୍ୟାଣ ସଭା’ରେ ବିଜେପି କର୍ମୀଙ୍କୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ ଯେ ପ୍ରଧାନମନ୍ତ୍ରୀ ଯେଉଁ ଆହ୍ବାନ ଆମ ସାମ୍ନାରେ ରଖିଛନ୍ତି, ତାହାକୁ ଆମେ ପୂରଣ କରିବା। ପ୍ରଧାନମନ୍ତ୍ରୀ ସାରାଦେଶର ସେବା କରୁଛନ୍ତି ଏବଂ କାମ‌ରେ ଲାଗିବା ପାଇଁ ଆମକୁ ଆହ୍ବାନ ଦେଇଛନ୍ତି। ପ୍ରଧାନମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ଓଡ଼ିଶାରେ ସବୁ ଗରିବଙ୍କୁ ପକ୍କା ଘର, ଶୌଚାଳୟ, ପିଇବା ପାଣି, ବିଜୁଳି, ବ୍ୟାଙ୍କ ଖାତା, ରନ୍ଧନ ଗ୍ୟାସ, ‘ୱାନ ନେସନ୍‌-ଓାନ୍ ରାସନ କାର୍ଡ’ ସହ ସମସ୍ତ ମୌଳିକ ସୁବିଧା ଉପଲବ୍ଧ କରାଇବା ପର୍ଯ୍ୟନ୍ତ ଆମ ଦଳର କାର୍ଯ୍ୟକର୍ତ୍ତାମାନେ ଅକ୍ଳାନ୍ତ ପରିଶ୍ରମ କରିବା ପାଇଁ ସଙ୍କଳ୍ପ ନେବାର ବେଳ ଆସିଛି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କେନ୍ଦ୍ରର ମୋଦୀ ସରକାର ଓଡ଼ିଶାକୁ କିଭଳି ଗୁରୁତ୍ବ ଦେଇ ଆସୁଛନ୍ତି, ତାହାର ଏକ ବିସ୍ତୃତ ସୂଚନା ଦେଇଥିଲେ। ସେ କହିଥିଲେ, ଏହି ୮ ବର୍ଷରେ ରାଜ୍ୟ ଓ ଦେଶର ଲୋକସେବାର ଜନସହଭାଗିତାର ଆନ୍ଦୋଳନ ନରେନ୍ଦ୍ର ମୋଦୀଙ୍କ ନାଁରେ ପୂରଣ ହୋଇଛି । ‘ସବ୍‌କା ସାଥ,ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସ’ର ମନ୍ତ୍ର ଦେଶର ବିକାଶକୁ ଗତିଶୀଳ କରିଛି । ଭାରତବର୍ଷରେ ଅନେକ ପ୍ରଧାନମନ୍ତ୍ରୀ କ୍ଷମତାରେ ରହିଥିଲେ। ମାତ୍ର, ନରେନ୍ଦ୍ର ମୋଦୀଙ୍କ ଭଳି ଓଡ଼ିଶାର ବିକାଶ ପାଇଁ କେହି ଦାୟିତ୍ବ ନେଇନାହାନ୍ତି। କେନ୍ଦ୍ର ସରକାର ଗରିବ କଲ୍ୟାଣକୁ ପ୍ରାଥମିକତା ଦେଇଆସୁଛନ୍ତି। ପକ୍କାଘର ପାଇଁ ଅନୁଦାନ ବୃଦ୍ଧି ପାଇଛି। ଜାତୀୟ ରାଜପଥ, ରେଳ, ବନ୍ଦର, ଶିଳ୍ପାୟନ, କରୋନା ଟିକା, ବ୍ୟାଙ୍କ୍ ଖାତାରେ ସିଧାସଳଖ ଟଙ୍କା, କରୋନା ସମୟରେ ଗରିବ କଲ୍ୟାଣ ଅନ୍ନ ଯୋଜନା ଭଳି ଜନକଲ୍ୟାଣକାରୀ ପଦକ୍ଷେପଗୁଡ଼ିକ ନିଆଯାଇଛି। ଏଥିସହିତ, ‘ମନ୍ କି ବାତ୍’ ଓ ‘ପଦ୍ମ ପୁରସ୍କାର’ ଦ୍ୱାରା ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନ ବଢ଼ିଛି। ଓଡ଼ିଶାର ମାନମର୍ଯ୍ୟାଦା, ଜନଜାତି, ଦଳିତଙ୍କ ସମ୍ମାନ ପାଇଁ ନିରନ୍ତର କାମ କରୁଛନ୍ତି ମୋଦୀ ସରକାର।

କେନ୍ଦ୍ରମନ୍ତ୍ରୀ ଶ୍ରୀପ୍ରଧାନ ଏହି ଅବସରରେ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଥିଲେ। ସେ କହିଥିଲେ, ଗୋଟିଏ ପଟେ ମୋଦୀ ସରକାରଙ୍କ ୮ବର୍ଷର ସୁଶାସନ ଏବଂ ଅନ୍ୟପଟେ ରାଜ୍ୟରେ ୨୨ବର୍ଷର ଅହଙ୍କାରୀ ଶାସନ। ଏଠାକାର ଶାସନରେ ଗୋଟିଏ ଭାବନା ରହିଛି, ଓଡ଼ିଆ ଲୋକ ପଛକେ କଷ୍ଟରେ ରୁହନ୍ତୁ ଆମେ ଓଡ଼ିଶାରେ ମୋଦୀଙ୍କ ନଁା କରାଇଦେବୁନାହିଁ। ଓଡ଼ିଶାର ଭିତ୍ତିଭୂମି ଓ ଜନସାଧାରଣଙ୍କ ବିକାଶ ପାଇଁ ଆସୁଥିବା ପ୍ରଚୁର ଟଙ୍କା ବାଟମାରଣା ହେଉଛି। ମୋଦୀ ସରକାରଙ୍କ ଅର୍ଥକୁ ଶାସନରେ ବସିଥିବା କିଛି ଅହଙ୍କାରୀ ଲୋକ ଲୁଟି ଚାଲିଛନ୍ତି। ଆୟୁଷ୍ମାନ ଭାରତ ଯୋଜନାରେ ଗରିବଙ୍କ ପାଇଁ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚିକିତ୍ସା ସୁବିଧା ରହିଛି। ମାତ୍ର, ଓଡ଼ିଶାରେ ଏହି ଯୋଜନା ଲାଗୁ ହୋଇନାହିଁ । ମାହାଙ୍ଗା ଭଳି ବିଭିନ୍ନ ଅଞ୍ଚଳରେ ଯୁବକଙ୍କୁ ରୋଜଗାର ମିଳୁନାହିଁ । ଓଡ଼ିଶା ସରକାର ନିଜ ଦଳୀୟ ଲୋକଙ୍କୁ କାମ ଦେବାପାଇଁ ପିଡବ୍ଲ୍ୟୁଡି କୋଡ୍‌କୁ ବଦଳାଇଛନ୍ତି । ଯେଉଁ ସରକାର ଓଡ଼ିଆ ଲୋକଙ୍କୁ ରୋଜଗାର ଦେଇପାରେନାହିଁ , ଓଡ଼ିଆ ଲୋକଙ୍କ ପଇସାରେ ମଉଜ କରେ ସେ ସରକାରକୁ ବଦଳାଇବାର ସମୟ ଆସିଛି ବୋଲି ସେ କହିଥିଲେ।

ସୋ ଆହୁରି କହିଥିଲେ ଯେ ଓଡ଼ିଶାରେ ଶାସନ ଗାଦିରେ ବସିଥିବା ଲୋକଙ୍କ ମୋଦୀଙ୍କ ପ୍ରତି ଈର୍ଷା ପରାୟଣତା ବଢ଼ୁଥିବାବେଳେ ଏହାର ବିପରୀତରେ ମୋଦୀଙ୍କ ପ୍ରତି ଜନସମର୍ଥନ ବୃଦ୍ଧି ପାଉଛି। ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଆମେ ଗରିବ କଲ୍ୟାଣ ପାଇଁ ଲୋକଙ୍କ ପାଖକୁ ଯିବା ଏବଂ ମୋଦୀଙ୍କ ଟଙ୍କାକୁ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ପହଞ୍ଚାଇବା ପାଇଁ ସେତୁ ଭାବେ କାମ କରିବା। ସମସ୍ତଙ୍କ ସାମୂହିକ ଉଦ୍ୟମରେ ଓଡ଼ିଶାର ୧ କୋଟି ପରିବାରଙ୍କ ଘରେ ସମ୍ପନ୍ନତା, ସ୍ୱାଭିମାନକୁ ପହଁଚାଇବା ପାଇଁ ପ୍ରଧାନମନ୍ତ୍ରୀ ଦେଇଥିବା ଦାୟିତ୍ୱକୁ ପୂରଣ କରିବା ବୋଲି କର୍ମୀମାନଙ୍କୁ ଆହ୍ବା‌ନ ଦେଇଥିଲେ କେନ୍ଦ୍ରମନ୍ତ୍ରୀ। ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ପୁଣିଥରେ ମାହାଙ୍ଗା ହତ୍ୟାକାଣ୍ଡ ପ୍ରସଙ୍ଗକୁ ପୁନର୍ଜୀବିତ କରିଥିଲେ। ସେ କହିଥିଲେ, ମାହାଙ୍ଗା ଭଳି ସାରସ୍ୱତ ଭୂମିରେ ଲୋକଙ୍କ ଅଧିକାର ପାଇଁ ଲଢ଼େଇ କରିବାରୁ ଆମ ଦଳର ନେତା କୁଳମଣି ବରାଳ,ଦିବ୍ୟସିଂହ ବରାଳଙ୍କୁ ଦୁଇ ବର୍ଷ ତଳେ ହତ୍ୟା କରାଗଲା। ଏହାକୁ ଆମେମାନେ ଭୁଲିଯିବା ଉଚିତ ନୁହେଁ। ଗରିବମାନଙ୍କ ପ୍ରତି ଅନ୍ୟାୟ ଓ ଭ୍ରଷ୍ଟାଚାର ବିରୁଦ୍ଧରେ ସ୍ୱର ଉତ୍ତୋଳନ କରିଥିବା ଏହି ଦିବଗଂତ ବିଜେପି ନେତାଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି ଶ୍ରୀ ପ୍ରଧାନ କହିଥିଲେ।

ବିଜେପି ନେତା ଶାରଦା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଜେପି ରାଜ୍ୟ ଉପସଭାପତି ଭୃଗୁ ବକ୍ସିପାତ୍ର, ପୂର୍ବତନ ମନ୍ତ୍ରୀ ପଦ୍ମଲୋଚନ ପଣ୍ଡା, ସାଧାରଣ ସଂପାଦିକା ‌ଡକ୍ଟର ଲେଖାଶ୍ରୀ ସାମନ୍ତସିଂହାର, ରାଜ୍ୟ ବିଜେପି ମହିଳା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ, ସାଧାରଣ ସଂପାଦକ ଗୋଲକ ମହାପାତ୍ର, ପୂର୍ବତନ ଉପସଭାପତି ତଥା ବରିଷ୍ଠ ନେତା ନୟନ ମହାନ୍ତି, ପ୍ରଭାତୀ ପରିଡା, ଯାଜପୁର ଜିଲ୍ଲା ସଭାପତି ଗୌତମ ରାୟ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭୁବନ ମୋହନ ଜେନା, ଭୁବନେଶ୍ବର ସଭାପତି ବାବୁ ସିଂ, ଯାଜପୁର ଜିଲ୍ଲା ମହିଳା ଭୋର୍ଚ୍ଚା ସଭାପତି ବବିତା ମଲ୍ଲିକ, ବିଶ୍ବଜିତ୍‌ ନାୟକ, ଟୁଟୁ ‌ବଳ, ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ, ଗଞ୍ଜାମ ଜିଲ୍ଲା ସଭାପତି ଗୋକୁଳାନ ନନ୍ଦ ମଲ୍ଲିକ, କଟକ ଜିଲ୍ଲା ମହିଳା ସଭାନେତ୍ରୀ ଯାଜ୍ଞସେନୀ ଜେନାଙ୍କ ସମେତ ରାଜ୍ୟସ୍ତରରେ ବହୁ ଦଳୀୟ ନେତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ କଟକ ଜିଲ୍ଲା ବିଜେପି ସଭାପତି ପ୍ରକାଶ ବେହେରା ସ୍ବାଗତ ଭାଷଣ ଦେଇଥିଲେ। କେନ୍ଦ୍ରମନ୍ତ୍ରୀଙ୍କୁ ବିଭିନ୍ନ ସ୍ଥାନରେ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମାହାଙ୍ଗା ଠାରେ ‘ସେବା ପ୍ରକୋଷ୍ଠ ଉଦଘାଟନ କରିବା ସହ ଏକ ଶୋଭାଯାତ୍ରାରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର