ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶ ପାଳନ କରିବାକୁ ଧର୍ମେନ୍ଦ୍ରଙ୍କ ଅନୁରୋଧ : ‘କରୋନା ବିରୋଧ ଲଢ଼େଇରେ ଦେଶବାସୀଙ୍କ ଯୋଗଦାନ ମହତ୍ବପୂର୍ଣ୍ଣ’

ଓଡ଼ିଶାରେ ତୁରନ୍ତ ଅ‌ାୟୁଷ୍ମାନ ଯୋଜନା ଲାଗୁ କରାଯାଉ: ଧର୍ମେନ୍ଦ୍ର

ନୂଆଦିଲ୍ଲୀ/ଭୁବନେଶ୍ବର : କରୋନା ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଇଥିବା ନିର୍ଦ୍ଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି। ଟ୍ବିଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି, ପ୍ରଧାନମନ୍ତ୍ରୀ ମୋଦି ଆଜି ରାତି ୧୨ଟାରୁ ସାରା ଦେଶରେ ‘ସଂପୂର୍ଣ୍ଣ ଲକ୍-ଡାଉନ୍‌’ର ଘୋଷଣା କରିଛନ୍ତି। ବିଶ୍ୱ ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇରେ ଏହି ଲକ୍‌-ଡାଉନ୍ ଭାରତର ଲୋକଙ୍କ ଜୀବନ ବଞ୍ଚାଇବା ଏବଂ ସଂକ୍ରମଣର ବିସ୍ତାରକୁ ରୋକିବା ପାଇଁ ଅତ୍ୟନ୍ତ ଆବଶ୍ୟକ। ତେଣୁ ମୁଁ ସମସ୍ତ ଦେଶବାସୀଙ୍କୁ ଅନୁରୋଧ କରୁଛି ଯେ ଏହି ସଂକଟ ସମୟରେ ପ୍ରଧାନମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ପାଳନ କରନ୍ତୁ। ଆସନ୍ତା ୨୧ ଦିନ ନିଜର ଘରେ ହିଁ ରୁହନ୍ତୁ। ମୋର ପୂରା ବିଶ୍ବାସ ଅଛି ଯେ ପ୍ରତ୍ୟେକ ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ, ହିନ୍ଦୁସ୍ତାନକୁ ପ୍ରାଥମିକତା ଦେଇ ଆମେ ସବୁ ଭାରତୀୟ ବିପଦର ଏହି ଘଡ଼ିରେ ଭାରତ ସରକାର ଓ ରାଜ୍ୟ ସରକାର ଏବଂ ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା। କରୋନା ଲଢ଼େଇରେ ଜିତିବା ପାଇଁ ପ୍ରତି ଦେଶବାସୀଙ୍କ ଯୋଗଦାନ ବଡ଼ ମହତ୍ଵପୂର୍ଣ୍ଣ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ଓଡ଼ିଶାରେ ତୁରନ୍ତ ଅ‌ାୟୁଷ୍ମାନ ଯୋଜନା ଲାଗୁ କରାଯାଉ: ଧର୍ମେନ୍ଦ୍ର
ଭୁବନେଶ୍ବର : କରୋନା ପରି ଘଡ଼ିସନ୍ଧି ମୂହୁର୍ତ୍ତରେ ଓଡ଼ିଶା ସରକାର ତୁରନ୍ତ ରାଜ୍ୟରେ କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ସେବା ଯୋଜନା ‘ଆୟୁଷ୍ମାନ’ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ଟ୍ବିଟ୍‌ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ବିଶ୍ବ ଓ ଦେଶ ସମେତ ଆମ ରାଜ୍ୟ ଓଡ଼ିଶା କରୋନା ଭୂତାଣୁ ସଂକ୍ରମଣ ଯୋଗୁ ଅଭାବନୀୟ ପରିସ୍ଥିତିର ସାମ୍ନା କରୁଛି। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହି ମହାମାରୀ ଆତଙ୍କ କବଳରୁ ଜନସାଧାରଣଙ୍କୁ ସୁରକ୍ଷା ଦେବା ପାଇଁ ପ୍ରାଣପଣେ ଉଦ୍ୟମ କରୁଛନ୍ତି। ଏହି ଘଡ଼ିସନ୍ଧି ମୂହୁର୍ତ୍ତରେ ଓଡ଼ିଶାବାସୀ ତଥା ସାରା ଦେଶର ବିଭିନ୍ନ ସ୍ଥାନରେ ରହୁଥିବା ଓଡ଼ିଆମାନଙ୍କୁ ଚିକିତ୍ସା ପାଇଁ ସହଯୋଗର ହାତ ବଢ଼ାଇବା ଅତ୍ୟନ୍ତ ଜରୁରୀ। ରାଜ୍ୟବାସୀ ଏକ ବଡ଼ ସଙ୍କଟର ସାମ୍ନା କରୁଛନ୍ତି। କେନ୍ଦ୍ର ସରକାର ଓଡ଼ିଶାବାସୀଙ୍କ ସହଯୋଗର ହାତ ବଢ଼ାଇବା ପାଇଁ ତତ୍ପର। ଆଜିର ଏହି ସଙ୍କଟ ସମୟରେ ଲୋକଙ୍କ ସାଙ୍ଗରେ ଦୃଢ଼ତାର ସହ ଛିଡ଼ା ହେବା ଜରୁରୀ। ତେଣୁ ଓଡ଼ିଶାରେ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରି ସାଧାରଣ ଗରିବ ପରିବାରକୁ ସହାୟତା ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀ ପ୍ରଧାନ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର