ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍ ଡାଉନ୍କୁ ସଫଳ କର: ଧର୍ମେନ୍ଦ୍ର
୫ ପ୍ରତିଶତ ଲୋକ ବ୍ୟତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି
ଭୁବନେଶ୍ବର : ଶୃଙ୍ଖଳିତ ଓ ବ୍ୟବସ୍ଥିତ ରହି ଲକ୍ ଡାଉନ୍ର ଅବଶିଷ୍ଟ ସମୟକୁ ସଫଳ କରିବା ପାଇଁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ଲକ୍ ଡାଉନ୍ର ପ୍ରଥମ ସପ୍ତାହରେ ହୋଇଥିବା ଭୁଲ୍ର ପୁନରାବୃତ୍ତି ନ କରି ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ଘରେ ରହି ଲକ୍ ଡାଉନ୍କୁ ଶତ ପ୍ରତିଶତ ସଫଳ କରିବାକୁ ଏକ ଭିଡିଓ ବାର୍ତ୍ତା ମାଧ୍ୟମରେ ସେ ନିବେଦନ କରିଛନ୍ତି।
ଶ୍ରୀ ପ୍ରଧାନ କହିଛନ୍ତି ଯେ ସାରା ଦେଶରେ ୨୫ ତାରିଖରୁ ଆରମ୍ଭ ହୋଇଥିବା ଲକ୍ ଡାଉନ୍ ଏବେ ଦ୍ବିତୀୟ ସପ୍ତାହରେ ପହଞ୍ଚିଛି। ଦେଶର ସମସ୍ତ ନାଗରିକ, ସବୁ ରାଜ୍ୟ ସରକାର ତଥା ଜିଲ୍ଲା ପ୍ରଶାସନ ସବୁ ପ୍ରକାର ଭେଦଭାବକୁ ଭୁଲି ପ୍ରଧାନମନ୍ତ୍ରୀଙ୍କ ଏହି ଲକ୍ ଡାଉନ୍ ଆହ୍ବାନକୁ ସଫଳ କରିବା କାମରେ ଲାଗିଛନ୍ତି। ସମସ୍ତେ କରୋନାକୁ ହରାଇବା ପାଇଁ ଏକଜୁଟ୍ ହୋଇଛନ୍ତି ଓ ଦେଶରେ ଗୋଟିଏ ବଡ଼ ଜନ ଆନ୍ଦୋଳନ ତିଆରି ହୋଇଛି। ମାତ୍ର ଏହା ମଧ୍ୟରେ କିଛି କିଛି ଅବ୍ୟବସ୍ଥା ସାମ୍ନାକୁ ଆସିଛି। ସାରା ଦେଶ ଲକ୍ ଡାଉନ୍ ସତ୍ତ୍ବେ କିଛି ଜାଗାରେ ଲୋକମାନେ ଘରୁ ବାହାରକୁ ବାହାରୁଛନ୍ତି। ଦେଶର ପ୍ରାୟ ୯୦ ରୁ ୯୫ ପ୍ରତିଶତ ଲୋକ ଲକ୍ ଡାଉନ୍କୁ ଶୃଙ୍ଖଳିତ ଭାବେ ପାଳନ କରୁଥିବା ବେଳେ ୫ ପ୍ରତିଶତ ଲୋକ ଏହାର ବ୍ୟତିକ୍ରମ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ବର୍ତ୍ତମାନ ଏହାକୁ ଆଲୋଚନା କରିବାର ସମୟ ନୁହେଁ, ବରଂ ସୁଧାରିବାର ସମୟ। ଲକ୍ ଡାଉନ୍କୁ ଶୃଙ୍ଖଳିତ ଭାବେ ପାଳନ କରୁ ନ ଥିବା ଲୋକଙ୍କୁ ବୁଝାଇ ୧୦୦ ପ୍ରତିଶତ ଲକ୍ ଡାଉନ୍କୁ ସଫଳ କରିବାକୁ ପଡ଼ିବ। ଏଥି ପାଇଁ ଗରିବ ଲୋକମାନଙ୍କର ଧ୍ୟାନ ଦେବା ସହ ନିଜେ ଘରେ ରହି ଅନ୍ୟମାନଙ୍କୁ ବୁଝାଇ ସଚେତନ କରାଇବାକୁ ପଡ଼ିବ। ଦେଶର ସବୁ ସରକାର, ସ୍ବାସ୍ଥ୍ୟ କର୍ମୀ, ପୁଲିସ୍, ଗଣମାଧ୍ୟମ ପ୍ରତିନିଧି, ଅତ୍ୟାବଶ୍ୟକ ସେବା ଯୋଗାଉଥିବା ସଫେଇ କର୍ମଚାରୀ, ଘରୋଇ କର୍ମଚାରୀ ତଥା ଏହିପରି ବ୍ୟକ୍ତିବିଶେଷ ଏହି ପ୍ରକାର ଅଭାବନୀୟ ପରିସ୍ଥିତିକୁ ସାମ୍ନା କରିବା ପାଇଁ ତତ୍ପର ଅଛନ୍ତି। ସେମାନେ ନିଜ ଜୀବନକୁ ବାଜିରେ ଲଗାଇ ବଡ଼ ସମାଜ ସୁରକ୍ଷିତ ରହିବା କାମରେ ଲାଗିଛନ୍ତି। ତେଣୁ ଗୋଟିଏ ଜାଗାରେ ଅଜାଣତରେ ଛୋଟ ଭୁଲ୍ ହେଲେ ମଧ୍ୟ ଏହାର ବଡ଼ ମୂଲ୍ୟଦେବାକୁ ପଡ଼ିପାରେ। ଲକ୍ ଡାଉନ୍ରେ ଶୃଙ୍ଖଳିତ ଭାବେ ଘରେ ରହିବା ସହ ସ୍ଥାନୀୟ ପ୍ରଶାସନର ବ୍ୟବସ୍ଥାକୁ ମାନିବାକୁ ପଡ଼ିବ। ଏହାର କୌଣସି ବିକଳ୍ପ ନାହିଁ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ବିଶ୍ବର ଆମେରିକା, ଇଟାଲି, ଚୀନ୍ ସମେତ ଅନେକ ଧନୀ ରାଷ୍ଟ୍ର କରୋନା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ମାତ୍ର ବିଶ୍ବର କିଛି ଛୋଟ ଛୋଟ ଦେଶ ଲକ୍ ଡାଉନ୍କୁ ସୀମିତ ରଖି ସଙ୍କଟକୁ ବାନ୍ଧି ରଖିବାରେ ସଫଳ ହୋଇଛନ୍ତି। ତେଣୁ ସମସ୍ତେ ସରକାର ତଥା ସ୍ଥାନୀୟ ପ୍ରଶାସନର ନିର୍ଦ୍ଦେଶକୁ ପାଳନ କରିବା ପାଇଁ ଶ୍ରୀ ପ୍ରଧାନ ଆହ୍ବାନ ଦେଇଛନ୍ତି।