ଭୁବନେଶ୍ବର : ଦେଶର ତୈଳ ବିପଣନ କମ୍ପାନିର ଜିଲ୍ଲା ନୋଡାଲ୍ ଅଫିସର୍ମାନଙ୍କ ସହ ଭିଡିଓ କନ୍ଫରେନ୍ସିଂ ଜରିଆରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଲୋଚନା କରିଛନ୍ତି। ଏଲ୍ପିଜି ଯୋଗାଣକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ତଥା ପ୍ରଧାନମନ୍ତ୍ରୀ ଉଜ୍ଜ୍ବଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ୍ ଯୋଗାଣ କାମକୁ ତ୍ବରାନ୍ବିତ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।
ଶ୍ରୀ ପ୍ରଧାନ କହିଲେ ଯେ କରୋନା ମାହାମାରୀ ତଥା ଲକ୍ ଡାଉନ୍ ପାଇଁ କେନ୍ଦ୍ର ସରକାର ଗରିବ ଲୋକ ବା ନିସ୍ବ ପରିବାରକୁ ସାହାଯ୍ୟ କରିବା ନିମନ୍ତେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଘୋଷଣା କରିଛନ୍ତି। ଏହି ଯୋଜନାରେ ୮ କୋଟି ଟଙ୍କାରୁ ଅଧିକ ଉଜ୍ଜ୍ବଳା ଲାଭାର୍ଥୀଙ୍କୁ ଆଗାମୀ ୩ ମାସ ପାଇଁ ମାଗଣାରେ ତିନିଟି ଏଲ୍ପିଜି ସିଲିଣ୍ଡର୍ ଯୋଗାଇ ଦିଆଯିବ। ଏହି ପଦକ୍ଷେପ ସ୍ବରୂପ ଏପ୍ରିଲ୍ ମାସର ପ୍ରଥମ ତିନି ସପ୍ତାହରେ ୪୦ ପ୍ରତିଶତ ହିତାଧିକାରୀ ସିଲିଣ୍ଡର୍ ପାଇଁ ବୁକ୍ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଏକ ବିଶେଷ ଯୋଜନା ଅନୁସାରେ ଅଧିକରୁ ଅଧିକ ଉଜ୍ଜ୍ବଳା ରିଫିଲ୍ ଉପେର ଗୁରୁତ୍ବ ଦେବାକୁ ଶ୍ରୀ ପ୍ରଧାନ ନୋଡାଲ୍ ଅଫିସର୍ମାନଙ୍କୁ ଆହ୍ବାନ ଦେଇଥିଲେ। ଗରିବଙ୍କ ଘରେ ଏଲ୍ପିଜି ଯୋଗାଣ ପହଞ୍ଚାଇବା କାମରେ କିଛି ସାଲିସ୍ କରାଯିବ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ।
ଏହି ଅବସରରେ ଶ୍ରୀ ପ୍ରଧାନ ନୋଡାଲ୍ ଅଫିସର୍ଙ୍କୁ କରୋନା ଭାଇରସ୍ରୁ ରକ୍ଷା ନିମନ୍ତେ ପ୍ରତିଷେଧମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦେଇଥିଲେ। ଫେସ୍ ମାସ୍କର ବ୍ୟବହାର, ଆରୋଗ୍ୟ ସେତୁ ଆପ୍, ହାତକୁ ସଫା ରଖିବା ଏବଂ ସାମାଜିକ ଦୂରତ୍ବ ଅବଲମ୍ବନ କରିବା ବିଷୟରେ ସଚେତନତା ସୃଷ୍ଟି କରାଯିବା ସହ ଏଲ୍ପିଜି ସିଲିଣ୍ଡର୍ ନେଣଦେଣ ସମୟରେ ମଧ୍ୟ ସ୍ବଚ୍ଛତା ଓ ଉପଭୋକ୍ତାଙ୍କ ସୁରକ୍ଷା ଉପରେ ମନ୍ତ୍ରୀ ଗୁରୁତ୍ବାରୋପ କରିଥିଲେ।