ଗରିବଙ୍କ ପ୍ରତି ମୋଦୀ ସରକାର ସମ୍ବେଦନଶୀଳ : ଧର୍ମେନ୍ଦ୍ର

ଭୁବନେଶ୍ୱର : ଦେଶର ନାଗରିକ ବିଶେଷ ଭାବରେ ଗରିବ ଲୋକଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ପ୍ରତିଶ୍ରୁତିବଦ୍ଧ । ଆଜି ନିଆଯାଇଥିବା ପଦକ୍ଷେପରୁ ମୋଦୀ ସରକାରଙ୍କ ଗରିବଙ୍କ ପ୍ରତି ଥିବା ସମ୍ବେଦନଶୀଳତାକୁ ପ୍ରତିଫଳିତ କରୁଛି ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ଦ୍ୱିତୀୟ ଦିନରେ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଦ୍ୱାରା କରାଯାଇଥିବା ଘୋଷଣାକୁ ସ୍ୱାଗତ କରି ଶ୍ରୀ ପ୍ରଧାନ କହିଛନ୍ତି, ମୋଦୀ ସରକାର କରୋନା ଆହ୍ୱାନର ମୁକାବିଲା କରିବା ପାଇଁ ସମାଜର ସବୁ ବର୍ଗଙ୍କୁ ଧ୍ୟାନରେ ରଖି କାର୍ଯ୍ୟ କରୁଛନ୍ତି । ଦେଶର ଅର୍ଥନୀତିକୁ ପୁଣି ଥରେ ମଜବୁତ୍ କରିବା ଦିଗରେ ମୋଦୀଙ୍କ ସକ୍ରିୟ ପଦକ୍ଷେପ ଜାରି ରହିଛି । କରୋନା ଭଳି କଠିନ ସମୟରେ ଲୋକମାନେ ଆବଶ୍ୟକ କରୁଥିବା ବେଳେ ପ୍ରଧାନମନ୍ତ୍ରୀ ଦେଶର ଗରିବ ଲୋକମାନଙ୍କ ପାଇଁ ସହାୟକ ହୋଇଛନ୍ତି ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ଦେଶର କୃଷକ, ପ୍ରବାସୀ ଶ୍ରମିକ, ରାସ୍ତାକଡ଼ ଦୋକାନୀ, ଛୋଟ ବ୍ୟବସାୟୀ, ସହରାଞ୍ଚଳ ଓ ଗ୍ରାମାଞ୍ଚଳର ଗରିବ ଲୋକଙ୍କୁ ଆର୍ଥିକ ସବଳ ପାଇଁ ମୋଦୀ ସରକାର କାର୍ଯ୍ୟ କରୁଛନ୍ତି। କିଷାନ କ୍ରେଡିଟ୍ ମାଧ୍ୟମରେ ୨.୫ କୋଟି ଚାଷୀଙ୍କୁ ଋଣ ଦିଆଯିବାର ବ୍ୟବସ୍ଥା ହୋଇଛି । ଏହା କରୋନା ମହାମାରୀ ପ୍ରଭାବରୁ ଅନ୍ନଦାତାଙ୍କୁ ସହାୟତା ପ୍ରଦାନ କରିବାରେ ସହାୟକ ହେବ । ସେହିପରି ପ୍ରବାସୀ ଶ୍ରମିକଙ୍କ ରହିବା, ଖାଇବା ପିଇବା ଓ ଯତ୍ନ ନେବା ପାଇଁ ମୋଦୀ ସରକାର ବ୍ୟବସ୍ଥା କରିଛନ୍ତି । ପ୍ରବାସୀ ଶ୍ରମିକଙ୍କୁ କମ୍‌ ଟଙ୍କାରେ ଭଡ଼ା ଘର ଯୋଗାଇ ଦିଆଯିବା ବ୍ୟବସ୍ଥା ମଧ୍ୟ ସ୍ୱାଗତଯୋଗ୍ୟ ପଦକ୍ଷେପ । ଅନେକ ରାଜ୍ୟରେ ପ୍ରବାସୀ ଶ୍ରମିକଙ୍କୁ ଆଗାମୀ ୨ ମାସ ମାଗଣାରେ ଖାଦ୍ୟ ଯୋଗାଇବା ପାଇଁ ଗୋଟିଏ ଦେଶ-ଗୋଟିଏ ରାସନ କାର୍ଡ ବ୍ୟବସ୍ଥା ଲାଗୁ ହୋଇଛି । ୫୦ ଲକ୍ଷ ରାସ୍ତା କଡ଼ ଦୋକାନୀଙ୍କ ପାଇଁ ୫ ହଜାର କୋଟି ଘୋଷଣା ହୋଇଛି । ଏହା ସେମାନଙ୍କୁ ଆର୍ଥିକ ସ୍ୱାବଲମ୍ବୀ କରିବ।

ସମ୍ବନ୍ଧିତ ଖବର