ଦେଶର ମେରୁଦଣ୍ଡକୁ ମଜବୁତ କରିବା ପାଇଁ ଐତିହାସିକ ପଦକ୍ଷେପ: କେନ୍ଦ୍ର ମନ୍ତ୍ରୀ

ଭୁବନେଶ୍ବର : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର କୃଷି କ୍ଷେତ୍ରକୁ ମଜବୁତ କରିବା ପାଇଁ ଘୋଷଣା କରିଥିବା ଆର୍ଥିକ ପ୍ୟାକେଜ୍‌ ଏକ ଐତିହାସିକ ପଦକ୍ଷେପ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ନେଇ ମୋଦୀ ସରକାରଙ୍କୁ ପ୍ରଶଂସା କରିବା ସହ କୃଷି ଉତ୍ପାଦକୁ ବୃଦ୍ଧି କରିବାରେ ଯଥେଷ୍ଟ ସହାୟକ ହେବ ବୋଲି କହିଛନ୍ତି।

ଶ୍ରୀ ପ୍ରଧାନ କହିଛନ୍ତି, କୃଷି ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ୧ ଲକ୍ଷ କୋଟି ଟଙ୍କାର ଏକ କୃଷି ଭିତ୍ତିକ ପାଣ୍ଠି ଘୋଷଣା କରାଯାଇଛି। ଏହାଦ୍ବାରା କୃଷକମାନଙ୍କୁ ଗୋଦାମ, ଶୀତଳ ଭଣ୍ଡାର ନିର୍ମାଣ ପାଇଁ ଆର୍ଥିକ ସହାୟତା ମିଳିବ। ଯାହାଫଳରେ ଦେଶର ଲକ୍ଷ ଲକ୍ଷ ଅନ୍ନଦାତା ଲାଭ ପାଇବେ। ସେହିପରି ପ୍ରଧାନମନ୍ତ୍ରୀ ମତ୍ସ୍ୟ ଉତ୍ପାଦନ ଯୋଜନା ଆରମ୍ଭ କରାଯିବ। ଏଥିରେ ୨୦ ହଜାର କୋଟି ଟଙ୍କା ବିନିଯୋଗ ହେବ। ଯେଉଁଥିରେ ୫୫ ଲକ୍ଷ ମତ୍ସ୍ୟ ଚାଷୀ ଉପକୃତ ହେବେ। ୧୫ ହଜାର କୋଟିର ପଶୁପାଳନ ଭିତ୍ତିଭୂମି ବିକାଶ ପାଣ୍ଠି ଦୁଗ୍ଧ ଶିଳ୍ପକୁ ପ୍ରୋତ୍ସାହନ ଦେବ। ଦୁଗ୍ଧ ପ୍ଲାଣ୍ଟରେ କ୍ଷୀର ଉତ୍ପାଦନ ବଢ଼ିବା ସହ ନିଯୁକ୍ତି ସୃଷ୍ଟି ହେବ ଏବଂ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବ। ଲଘୁ ଉଦ୍ୟୋଗଗୁଡ଼ିକୁ ସଂଗଠିତ କରିବା ପାଇଁ ୧୦ ହଜାର କୋଟି ଘୋଷଣା କରାଯାଇଛି। ଚଳିତ ଆର୍ଥିକ ବର୍ଷ ପାଇଁ ଦୁଗ୍ଧ ସମବାୟ ସମିତିକୁ ବାର୍ଷିକ ୨ ପ୍ରତିଶତ କମ ସୁଧରେ ଋଣ ମିଳିବ। ଅତ୍ୟାବଶ୍ୟକ ଦ୍ରବ୍ୟ ଆଇନ ସଂଶୋଧନ ଏବଂ ଏ ସମ୍ପର୍କିତ ଅନ୍ୟାନ୍ୟ ଘୋଷଣା ଚାଷୀଙ୍କ ଉତ୍ପାଦକୁ ବଢାଇବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର