ଭର୍ଚୁଆଲ୍ ରାଲିରେ ଯୁବମୋର୍ଚ୍ଚା ସଦସ୍ୟଙ୍କୁ ଆହ୍ବାନ
ଓଡ଼ିଶାବାସୀଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ କାର୍ଯ୍ୟରତ: ପୁନମ
ଭୁବନେଶ୍ୱର : କରୋନା ପାଇଁ ଏବେ ପୁରୀ ଶ୍ରୀମନ୍ଦିର ସମେତ ସବୁ ମନ୍ଦିରରେ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ହୋଇଛି। ଶ୍ରୀମନ୍ଦିର ଖୋଲିଲା ପରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟମାନଙ୍କୁ ଏକ ଟାସ୍କ ଦେଇଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେବେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ନୂଆ ଗାଇଡ୍ଲାଇନ୍ ଆସିବ ଏବଂ ଶ୍ରୀମନ୍ଦିର ଖୋଲିବ, ସେତେବେଳେ ପ୍ରତି ଗାଁରୁ ଅତି କମ୍ରେ ୫ ଜଣ ଲେଖାଏ ଗୁରୁଜନଙ୍କୁ ନେଇ ସଦସ୍ୟମାନେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରାଇବେ। ଏଥି ପାଇଁ ନିଜ ପକେଟ୍ରୁ ସେମାନେ ଖର୍ଚ୍ଚ କରିବେ। ମନ୍ଦିର ଖୋଲିଲା ପରେ ଏହାକୁ ପ୍ରାଥମିକତା ଦେବାକୁ କେନ୍ଦ୍ର ମନ୍ତ୍ରୀ କହିଛନ୍ତି।
ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ଆୟୋଜିତ ଭର୍ଚୁଆଲ ରାଲିରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଲେ ଯେ ସମ୍ପର୍କ, ସେବା ଓ ସଂଘର୍ଷ ଆଧାରରେ ଓଡିଶାକୁ ଶୀର୍ଷରେ ପହଁଚାଇବା ପାଇଁ କାମ କରିବାକୁ ପଡ଼ିବ। ପ୍ରଧାନମନ୍ତ୍ରୀ ପଠାଉଥିବା ଟଙ୍କା ଓଡ଼ିଆ ଲୋକଙ୍କ ସ୍ୱାର୍ଥରେ ଲାଗୁ । ଏଥି ପାଇଁ ଜନ ସଚେତନତା ନ କଲେ ସବୁ ପ୍ରଚେଷ୍ଟା ବ୍ୟର୍ଥ ଯିବ। ତେଣୁ ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଜାଗ୍ରତ ପ୍ରଭାରୀ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକୁ ଆଗେଇ ନେବା ସହ ନୂଆ ଆଦର୍ଶର ରାଜନୈତିକ ସଂଗଠନ ତିଆରି କରିବାର ଦାୟିତ୍ୱ ନିଅନ୍ତୁ। ଓଡ଼ିଶାରେ ବିଜେପି ସରକାର ନ ହେବା ପର୍ଯ୍ୟନ୍ତ ଓ ବିଜେପିକୁ ରାଜ୍ୟରେ ୨୧ରୁ ୨୧ ଲୋକସଭା ଆସନ ନ ମିଳିବା ପର୍ଯ୍ୟନ୍ତ ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ମାନ, ଅପମାନ, ଅଭିମାନକୁ ଭୁଲି ଓଡ଼ିଶାକୁ ନୂଆ ଶିଖରକୁ ନେବା ପାଇଁ ଦାୟିତ୍ୱ ନିଅନ୍ତୁ। ଆଗାମୀ ଦିନରେ ଓଡ଼ିଆ ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଓଡିଆଙ୍କ ହକ୍ ପାଇଁ ନିରନ୍ତର ଆନ୍ଦୋଳନ ଓ କାର୍ଯ୍ୟକ୍ରମ କରନ୍ତୁ। ବର୍ତମାନ ସମୟରେ ଟେକ୍ନୋଲୋଜି ପ୍ଲାଟଫର୍ମ ଜରିଆରେ ବିଜେପିକୁ ଯୋଡ଼ିବାରେ ଯୁବମୋର୍ଚ୍ଚା ଅଗ୍ରଣୀ ଭୂମିକା ନେଇଛି। ବିଜେପି ନେତୃତ୍ୱରେ ହିଁ ଓଡ଼ିଶା ନୂଆ ଶିଖରକୁ ଯିବ। ଏକବିଂଶ ଶତାବ୍ଦୀରେ ଅପାର ସମ୍ଭାବନାର ରାଜ୍ୟ ନୂଆ ଓଡ଼ିଶା ତିଆରି ହେଲେ ହିଁ ଆତ୍ମନିର୍ଭର ଭାରତ ସମ୍ଭବ ହେବ। ଏହି କାର୍ଯ୍ୟକ୍ରମରେ ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା ସାଂସଦ ପୁନମ ମହାଜନ ଯୋଗଦେଇ କହିଥିଲେ ଯେ ବିଜେପିର ଦୂରଦୃଷ୍ଟି ସମ୍ପନ୍ନ ବିଚାରଧାରା କାରଣରୁ ଆଜି ସବୁଠୁ ତଳ ଶ୍ରେଣୀର ଗରିବ ଲୋକଙ୍କ ପାଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନକଲ୍ୟାଣକାରୀ ଯୋଜନା ପହଞ୍ଚିପାରିଛି । ଓଡ଼ିଶାବାସୀଙ୍କ କଷ୍ଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ଅନେକ କାର୍ଯ୍ୟକ୍ରମ କରିଛନ୍ତି।
ରାଜ୍ୟ ବିଜେପି ଯୁବ ମୋର୍ଚ୍ଚାର ସଭାପତି ଇରାଶିଷ ଆଚାର୍ଯ୍ୟ କହିଥିଲେ ଯେ ଆଗାମୀ ଦିନରେ ପ୍ରଧାନମନ୍ତ୍ରୀଙ୍କ ପ୍ରଗତିଶୀଳ ଓଡ଼ିଶାର ସ୍ୱପ୍ନକୁ ପୂରଣ କରିବା ପାଇଁ ଯୁବମୋର୍ଚ୍ଚା କାମ କରିବ। ଲୋକାଲ ଫର୍ ଭୋକାଲ ଓ ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତ ଦିଗରେ ମଧ୍ୟ ଜୋର୍ ଦିଆଯିବ ଏବଂ ଦଳୀୟ ସଂଗଠନକୁ ମଜବୁତ କରାଯିବ। ରାଜ୍ୟ ବିଜେପି ସମ୍ପାଦକ ଟଙ୍କଧର ତ୍ରିପାଠୀ ଓ ପ୍ରବକ୍ତା ଠାକୁର ରଞ୍ଜିତ ଦାସ ଉପସ୍ଥିତ ଥିଲେ। ଏହି ଭର୍ଚୁଆଲ କାର୍ଯ୍ୟକ୍ରମରେ ବିଜେପି ଯୁବମୋର୍ଚ୍ଚା ସଦସ୍ୟଙ୍କ ସମେତ ବହୁ ଯୁବକ ଓ ଯୁବତୀ ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇଥିଲେ।