‘ଫନି’ ପରେ ସ୍ଥିତି ସମୀକ୍ଷା ପାଇଁ ଓଡ଼ିଶା ଆସୁଛନ୍ତି ୨ଟି କେନ୍ଦ୍ରୀୟ ଟିମ୍‌, ୩ ଦିନ ରହି ପରଖିବେ ସ୍ଥିତି

ଭୁବନେଶ୍ୱର: ବାତ୍ୟା ‘ଫନି’ରେ ଓଡ଼ିଶାରେ ବହୁ କ୍ଷୟକ୍ଷତି ହେବା ପରେ ସ୍ଥିତି ସମୀକ୍ଷା କରିବା ପାଇଁ କେନ୍ଦ୍ରରୁ ୨ଟି ଟିମ୍‌ ସୋମବାର ଆସି ଓଡ଼ିଶାରେ ପହଞ୍ଚିବେ ବୋଲି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୂଚନା ଦେଇଛନ୍ତି। ଏହି ଟିମ୍‌ ଓଡ଼ିଶାରେ ୩ ଦିନ କାଳ ରହି ବିଭିନ୍ନ ସ୍ଥାନରେ ବୁଲି ସ୍ଥିତି ସମୀକ୍ଷା କରିବେ ବୋଲି ଜାଣିବାକୁ ମିଳିଛି। ଆସିବାକୁ ଥିବା ଏହି ୨ କେନ୍ଦ୍ରୀୟ ଟିମ୍‌ର ନେତୃତ୍ୱ ନେବେ ଗୃହ ବିଭାଗର ବରିଷ୍ଠ ଅଧିକାରୀ।

କେବଳ ଏହି ଦୁଇ ଟିମ୍‌ ନୁହେଁ ବରଂ ଓଡ଼ିଶାର ସ୍ଥିତି ସମୀକ୍ଷା ସକାଶେ କେନ୍ଦ୍ର ଶକ୍ତି, ବ୍ୟାଙ୍କ୍‌ ଓ ଟେଲିକମ୍‌ ବିଭାଗର ଅଧିକାରୀମାନେ ମଧ୍ୟ ଆସିବେ ବୋଲି ଶ୍ରୀଯୁକ୍ତ ପ୍ରଧାନ କହିଛନ୍ତି। ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, ଗୃହ ବିଭାଗ ଓ ଟେଲିକମ୍‌ ମନ୍ତ୍ରାଳୟର ଅଧିକାରୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିବା ଏକ ବୈଠକରେ ଯୋଗ ଦେବା ପରେ ଧର୍ମେନ୍ଦ୍ର ପ୍ରଧାନ ଏ ସଂପର୍କରେ ସୂଚନା ପ୍ରଦାନ କରିଛନ୍ତି।

ଉଲ୍ଲେଖଯୋଗ୍ୟ, ମେ ୩ ତାରିଖରେ ସାମୁଦ୍ରିକ ଝଡ଼ ‘ଫନି’ ପୁରୀରୁ ଆରମ୍ଭ ହୋଇ ଓଡ଼ିଶାରେ ବିଭିନ୍ନ ଜିଲ୍ଲାକୁ ଏହା ପ୍ରଭାବିତ କରିଥିଲା। ଏପର୍ଯ୍ୟନ୍ତ ଓଡ଼ିଶା ସ୍ୱାଭାବିକ ଅବସ୍ଥାକୁ ଆସିପାରିନାହିଁ।

ସମ୍ବନ୍ଧିତ ଖବର