ଧୈର୍ଯ୍ୟ ଓ ସାହସର ସହ କରୋନା ମୁକାବିଲା ଲାଗି ଆହ୍ବାନ ଦେଲେ ଧର୍ମେନ୍ଦ୍ର

ପ୍ରଧାନମନ୍ତ୍ରୀଙ୍କ ‘ଜନତା କର୍ଫ୍ୟୁ’ ଆହ୍ୱାନକୁ ସଫଳ କରିବାକୁ ଅନୁରୋଧ

ଭୁବନେଶ୍ବର : କରୋନା ଭୂତାଣୁ ବିଶ୍ୱ ମହମାରୀର ରୂପ ନେଇଥିବା ବେଳେ ଆମ ସମସ୍ତଙ୍କୁ ମିଳିମିଶି ଏଭଳି ପ୍ରାକୃତିକ ସଂକଟକୁ ସାମ୍ନା କରିବାକୁ ପଡ଼ିବ। ରାଜ୍ୟ ତଥା ଦେଶବାସୀ କୌଣସି ପ୍ରକାର ଭୟଭୀତ ନହୋଇ ଧୈର୍ଯ୍ୟ ଓ ସାହସର ସହ ବିଶ୍ୱ ମହାମାରୀ କରୋନା ଭୂତାଣୁ ବିରୋଧରେ ମୁକାବିଲା କରନ୍ତୁ ବୋଲି ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ବାର୍ତା ଜାରି ଆହ୍ବାନ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ମନ୍ତ୍ରୀ କହିଛନ୍ତି, ସାଂପ୍ରତିକ ସ୍ଥିତିରେ ଭୟଭୀତ ହେବା ବଦଳରେ ପ୍ରତିଷେଧକ ଓ ସୁରକ୍ଷାଗତ ପଦକ୍ଷେପ ନେବା ଏବେ ସମୟର ଆହ୍ୱାନ। ଆଜିର ଦିନରେ ସମଗ୍ର ବିଶ୍ୱ ଏକ ଅଭାବନୀୟ ପରିସ୍ଥିତିରେ ପହଞ୍ଚିଛି। କରୋନା ଭୂତାଣୁ ସମଗ୍ର ମାନବ ଜାତିକୁ ସଙ୍କଟରେ ପକାଇଛି। ଏହା ବିଶ୍ୱଯୁଦ୍ଧଠାରୁ ବି ଭୟଙ୍କର ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି।

କରୋନା ଭାଇରସକୁ ପ୍ରତିହତ କରିବା ପାଇଁ ଭାରତ ସରକାର ଓ ରାଜ୍ୟ ସରକାର ଅନେକ ସକାରାତ୍ମକ ପଦକ୍ଷେପ ନେଉଛନ୍ତି େବାଲି ସୂଚନା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଏଭଳି ସମୟରେ ସରକାରଙ୍କ ସହଯୋଗୀ ଭାବେ ଲୋକଙ୍କୁ ସଚେତନ ରହିବାକୁ ହେବ। ଯୁବପିଢ଼ି, ରାଜନୈତିକ କାର୍ଯ୍ୟକର୍ତା, ଗଣମାଧ୍ୟମ ଓ ସରକାରୀ କର୍ମଚାରୀ ଏହି ଦାୟିତ୍ୱରୁ ମୁହଁ ନଫେରାଇ ସମସ୍ତେ ସାମ୍ନା କରିବା ଦରକାର। ଓଡ଼ିଶା ସମେତ ଦେଶର ଅଧିକାଂଶ ସଂକ୍ରମିତ ବ୍ୟକ୍ତି ବିଦେଶରୁ ଏହି ଭାଇରାସ ଦ୍ୱାରା ଆକ୍ରାନ୍ତ ହୋଇ ସ୍ୱଦେଶକୁ ଆସିଛନ୍ତି ବା ଦେଶ ଭିତରେ ସେମାନଙ୍କ ସଂସ୍ପର୍ଶରେ ଆସିବା ଦ୍ୱାରା କେହି କେହି ସଂକ୍ରମିତ ହୋଇଛନ୍ତି। ଏପରି ପରିସ୍ଥିତିରେ ବିଦେଶରୁ ଆମ ରାଜ୍ୟ ଓଡ଼ିଶାକୁ ଫେରୁଥିବା ବନ୍ଧୁମାନେ ସରକାରୀ ବ୍ୟବସ୍ଥା ଅନୁସାରେ ନିଜକୁ ପଞ୍ଜୀକୃତ କରିବା ଏବଂ ଡାକ୍ତରୀ ପରାମର୍ଶ ଅନୁସାରେ ଏହି ସଂକ୍ରମଣର ଲକ୍ଷଣ ଥିଲେ ନିଜକୁ ସଙ୍ଗରୋଧ ବ୍ୟବସ୍ଥାକୁ ନିଷ୍ଠାର ସହିତ ପାଳନ କରିବା ଜରୁରୀ। ଏହାସହ ରିପୋର୍ଟ ପଜିଟିଭ୍ ବାହାରିଲେ ଭୟଭୀତ ନହୋଇ ଡାକ୍ତର ଓ ବିଶେଷଜ୍ଞ ପରାମର୍ଶ ନେବା ଜରୁରୀ।

ଶ୍ରୀ ପ୍ରଧାନ କହିଛନ୍ତି ଯେ ଡାକ୍ତର ବା ବିଶେଷଜ୍ଞଙ୍କ କହିବାନୁସାରେ ଥଣ୍ଡା, ଜ୍ୱର, କାଶ ଭଳି ଲକ୍ଷଣ ଦେଖାଗଲେ ଲୋକମାନେ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ। ସେହିପରି ଲୋକଙ୍କୁ ଧାର୍ମିକ, ବିବାହ ଉତ୍ସବ ସମେତ ଭିଡ଼ ଅଂଚଳରେ ଅନେକ ସ୍ଥାନରେ ସାମାଜିକ ଦୂରତା ଅବଲମ୍ବନ କରିବାକୁ ହେବ। ଗରିବ ଲୋକମାନଙ୍କର ବିଶେଷ ଯତ୍ନ ନେବା ସମସ୍ତଙ୍କର ଦାୟିତ୍ୱ।

ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଆହ୍ୱାନ କ୍ରମେ ଆସନ୍ତା ରବିବାର ଦେଶର ଲୋକମାନେ ସକାଳ ୭ଟାରୁ ରାତି ୯ଟା ପର୍ଯ୍ୟନ୍ତ ଘରେ ରହି ‘ଜନତା କର୍ଫ୍ୟୁ’କୁ ସଫଳ କରିବାକୁ ସେ ଅନୁରୋଧ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ନିବେଦନ କ୍ରମେ ଆସନ୍ତା ରବିବାର ଦିନ ସଂଧ୍ୟା ୫ଟାରେ ୫ ମିନିଟ୍ ପାଇଁ ଚିକିତ୍ସକ, ପାରା ମେଡିକାଲଙ୍କ ଭଳି ବ୍ୟକ୍ତିବିଶେଷମାନଙ୍କୁ ହରିବୋଲ, କରତାଳି, ହୁଳୁହୁଳି ଓ ଶଙ୍ଖ ଫୁଙ୍କି ସେମାନଙ୍କୁ କୃତଜ୍ଞତା ଜଣାଇବାକୁ ଦେଶବାସୀଙ୍କୁ ନିବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ।

ଶ୍ରୀ ପ୍ରଧାନ କହିଛନ୍ତି, କରୋନାର ମୁକାବିଲା କରିବା ପାଇଁ ଓଡ଼ିଶା ସରକାରଙ୍କ ପକ୍ଷରୁ ଭଲ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଅପରପକ୍ଷରେ ସାର୍କ ଦେଶଗୁଡ଼ିକରେ କରୋନା ଭାଇରସର ମୁକାବିଲା ପାଇଁ ପ୍ରଧାନମନ୍ତ୍ରୀ ମୋଦୀ ନେତୃତ୍ୱ ନେଇଛନ୍ତି। ଏଥିରେ ସମସ୍ତେ ସହଯୋଗୀ ହେବାକୁ ମନ୍ତ୍ରୀ ଆହ୍ବାନ ଦେଇଛନ୍ତି।

ସମ୍ବନ୍ଧିତ ଖବର