ମୋଦୀଙ୍କ ନୂଆ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଲେ ଓଡ଼ିଶାରୁ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ

ନୂଆଦିଲ୍ଲୀ : ନରେନ୍ଦ୍ର ମୋଦୀ ଆଜି ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହିତ ୫୭ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ଦୁଇ ଜଣ ସ୍ଥାନ ପାଇଛନ୍ତି। ସେମାନେ ହେଲେ ଧର୍ମେନ୍ଦ୍ର ପ୍ରଧାନ ଏବଂ ପ୍ରତାପ ଷଡ଼ଙ୍ଗୀ। ତେବେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ୍‌ ଏଥର ମୋଦୀ ମନ୍ତ୍ରିମଣ୍ଡଳରୁ ବାଦ୍‌ ପଡ଼ିଛନ୍ତି।

ରାଷ୍ଟ୍ରପତି ଭବନରେ ଆୟୋଜିତ ସ୍ବତନ୍ତ୍ର ଶପଥ ଗ୍ରହଣ ଉତ୍ସବ କାର୍ଯ୍ୟକ୍ରମରେ ଧର୍ମେନ୍ଦ୍ର ପ୍ରଧାନ ଆଜି ଦ୍ବିତୀୟ ଥର ପାଇଁ କ୍ୟାବିନେଟ୍‌ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିବା ବେଳେ ପ୍ରତାପ ଷଡ଼ଙ୍ଗୀ ପ୍ରଥମ ଥର କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ଉଭୟ ନେତା ହିନ୍ଦୀ ଭାଷା‌ରେ ଶପଥ ଗ୍ରହଣ କରିଛନ୍ତି।

ଆଜି ଦିନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ପାଖକୁ ପ୍ରଥମେ ପିଏମ୍‌ଓରୁ ଫୋନ୍‌ ଆସିଥିଲା। ଏହାପରେ ପ୍ରତାପ ଷଡ଼ଙ୍ଗୀଙ୍କ ନିକଟକୁ ୧ଟା ୩୦ରେ ଫୋନ୍‌ ଆସିଥିଲା।

ଦୁଇ ନେତା ୪ଟା ୩୦ରେ ୭, ଲୋକ କଲ୍ୟାଣ ସ୍ଥିତ ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇ ସାକ୍ଷାତ କରିଥିଲେ। ଶପଥ ଗ୍ରହଣ ପୂର୍ବରୁ ‌ମୋଦୀ ଆଜି ସମସ୍ତ ମନ୍ତ୍ରୀମାନଙ୍କୁ ତାଙ୍କ ବାସଭବନରେ ସାକ୍ଷାତ କରିଥିଲେ।

ଉଲ୍ଲେଖଯୋଗ୍ୟ ଧର୍ମେନ୍ଦ୍ର ପ୍ରଧାନ ମୋଦୀ ମନ୍ତ୍ରିମଣ୍ଡଳର ପ୍ରଥମ ପାଳିରେ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିଥିଲେ। ଓଡ଼ିଶାରେ ଚଳିତ ନିର୍ବାଚନରେ ବିଜେପି ୮ ଟି ଆସନରେ ବିଜୟୀ ହେବା ପଛରେ ମଧ୍ୟ ଧର୍ମେନ୍ଦ୍ରଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ଥିଲା। ତେଣୁ ତାଙ୍କୁ ପୁଣିଥରେ କ୍ୟାବିନେଟ୍‌ ମନ୍ତ୍ରୀପଦ ମିଳିଛି।

ସମ୍ବନ୍ଧିତ ଖବର