ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଲେ ଧର୍ମେନ୍ଦ୍ର

ନ୍ୟାୟପାଳିକାର ଅଚଳାବସ୍ଥା ନେଇ ଉଦ୍‌ବେଗ

ଭୁବନେଶ୍ବର : ଗତ ଦେଢ଼ ମାସ ହେଲା ପୁଲିସ୍ ଓ ଆଇନଜୀବୀମାନଙ୍କ ମଧ୍ୟରେ ବିବାଦ ଯୋଗୁ ନ୍ୟାୟପାଳିକାରେ ଅଚଳାବସ୍ଥା ସୃଷ୍ଟି ହୋଇଛି। ହାଇକୋର୍ଟରେ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି। ଏହି ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମୁଖ୍ୟମନ୍ତ୍ରୀଙ୍କ ନିରବତା ଅପାରଗତାର ବଡ଼ ଉଦାହରଣ ବୋଲି ସେ ଆକ୍ଷେପ କରିଛନ୍ତି।

ସୋସିଆଲ୍ ମିଡିଆରେ ଭିଡିଓ ବାର୍ତ୍ତା ଦେଇ ଶ୍ରୀ ପ୍ରଧାନ କହିଛନ୍ତି, ଦଶହରା ପରେ ସମସ୍ତେ ନିଜ ନିଜ କାମକୁ ଫେରିଛନ୍ତି। ଆଇନଜୀବୀ ଓ ପୁଲିସ୍‌ଙ୍କ ମଧ୍ୟରେ ଯେଉଁ ବିବାଦ ଦେଖାଦେଇଛି, ତା’ର ସମାଧାନ ରାସ୍ତା ଏ ଯାଏ ଆସିନି। ହାଇକୋର୍ଟ ଓ ସୁପ୍ରିମକୋର୍ଟଙ୍କ ବିଭିନ୍ନ ପ୍ରସ୍ତାବ ଓ ଅପେକ୍ଷା ମଧ୍ୟରେ ସାଧାରଣ ଲୋକଟିଏ ପେଶି ହୋଇଗଲାଣି। ଅନେକ ଲୋକଙ୍କ ଚାକିରି, ଜମିଜମା ବିବାଦ ଓ ଜାମିନ୍ କୋର୍ଟରେ ହୋଇପାରୁନି। ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଆମ୍ନାସାମ୍ନା ସ୍ଥିତି ସୃଷ୍ଟି ହୋଇଛି। ଏହାର ସମାଧାନ କିପରି ବାହାରିବ, ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରିବା ଦରକାର। ସମସ୍ତେ ନିଜର ସ୍ବାଭାବିକ କାମ କଲେ ସମାଜ ପାଇଁ ଏହା ଭଲ ହେବ। ଏଥି ପାଇଁ ଯିଏ ଦାୟିତ୍ବରେ ଅଛନ୍ତି, ତାଙ୍କର ଭୂମିକା ନାହିଁ କି ବୋଲି ସେ ପ୍ରଶ୍ନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଏଠି ଅପାରଗ ସରକାର ଚାଲିଛି। ନିଜେ ମୁଖ୍ୟମନ୍ତ୍ରୀ ଗୃହ ବିଭାଗର ମନ୍ତ୍ରୀ। ନ୍ୟାୟପାଳିକା ପାଖରେ ତାଙ୍କର ଉତ୍ତର ଦାୟିତ୍ବ ରହିଛି। ଭୁଲ୍, ଠିକ୍‌ର ତର୍ଜମା ସେ କରିବାକୁ ଚାହୁଁ ନ‌ାହାନ୍ତି। ଉଭୟଙ୍କ ମଧ୍ୟରେ ସମସ୍ୟାର ସମାଧାନ ଦାୟିତ୍ବ କାହାର ? ଯଦି ଏହାର ସମାଧାନ ନ ହେଉଛି, ତେବେ ଏହାକୁ ଅପାରଗତା କୁହାଯିବନି ତ ଆଉ କ’ଣ କୁହାଯିବ ? ମୁଖ୍ୟମନ୍ତ୍ରୀ ନିରବ ରହୁଛନ୍ତି। ଡିଜି କ’ଣ କରୁଛନ୍ତି ? ମୁଖ୍ୟ ଶାସନ ସଚିବଙ୍କର କିଛି ଭୂମିକା ଅଛି କି ନାହିଁ ? ସମାଧାନର ଦାୟିତ୍ବ କାହାକୁ ନେବାକୁ ପଡ଼ିବ ? ସରକାରଙ୍କ ଏପରି ଅପାରଗତା ଓ ସ୍ଥାଣୁତା ପାଇଁ ସମାଜ ଆହୁରି ପଙ୍ଗୁ ହୋଇଯିବ। ସମସ୍ୟାର ଯେତେ‌ ଶୀଘ୍ର ସମାଧାନ ହେବ ସାଧାରଣ ଲୋକ ସେତେ ଶୀଘ୍ର ନ୍ୟାୟ ପାଇେବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର