ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ଆହତମାନଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କଲେ

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପହଞ୍ଚି ଆହତମାନଙ୍କୁ ଭେଟିଥିବା ଜଣାଯାଇଛି। ଏହି ସମୟରେ ସେ ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଥିଲେ ଏବଂ ଆଶୁ ଆରୋଗ୍ୟ କାମନା କରିଥିଲେ। ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓ ବାଲେଶ୍ବର ସାଂସଦ ପ୍ରତାପ ଷଡ଼ଙ୍ଗୀ ବି ଉପସ୍ଥିତ ଥିଲେ। ସେ ଏଠାକାର ସ୍ଥିତି ଅନୁଧ୍ୟାନ କରିଥିଲେ। ଗୁରୁତର ଓ ଆହତମାନଙ୍କର ଚିକିତ୍ସା ବ୍ୟବସ୍ଥା ନେଇ ସେ ବିଭାଗୀୟ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।

ଏହାପରେ ଧର୍ମେନ୍ଦ୍ର ପ୍ରଧାନ ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଘଟିଥିବା ଦୁର୍ଘଟଣାସ୍ଥଳକୁ ଯିବେ ବୋଲି ଜଣାଯାଇଛି।

ଉଲ୍ଲେଖଯୋଗ୍ୟ, ବାଲେଶ୍ବରଠାରୁ ୨୨ କିମି ଦୂର ବାହାନଗା ରେଳ ଷ୍ଟେସନ୍‌ ପଣପଣାଠାରେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ଘଟିଛି ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ହାୱଡା ଯାଉଥିବା ଯଶୋବନ୍ତପୁର ସୁପରଫାଷ୍ଟ ଟ୍ରେନର ଦୁଇଟି ବଗି ଲାଇନ୍‌ଚ୍ୟୁତ ହେବାର କିଛି ସମୟ ମଧ୍ୟରେ ହାୱଡ଼‌ାରୁ ଆସୁଥିବା କରମଣ୍ଡଳ ଏକ୍ସପ୍ରେସ ତା’ ଉପରେ ଚଢ଼ିଯିବାରୁ ୧୭ଟି ବଗି ଓଲଟି ପଡ଼ିଛି। ଏଥିରେ ବର୍ତ୍ତମାନ ସୁଦ୍ଧା ୨୦୭ ଜଣ ଯ‌ାତ୍ରୀ ପ୍ରାଣ ହରାଇଥିବା ବେଳେ ୯୦୦ରୁ ଅଧିକ ଆହତ ହୋଇଛନ୍ତି। ଟ୍ରେନ ବଗିରେ ଏବେ ବି ଅନେକ ସଂଖ୍ୟାରେ ଯାତ୍ରୀ ଚାପି ‌ହୋଇ ରହିଛନ୍ତି ଏବଂ ଉଦ୍ଧାର କାର୍ଯ୍ୟ ଜାରି ରହିଥିବାରୁ ମୃତ୍ୟୁସଂଖ୍ୟା ୨୫୦ ଟପିବାର ଆଶଙ୍କା କରାଯାଉଛି। ସ୍ଥାନୀୟ ଲୋକେ ଦେବଦୂତ ସାଜି ଅନେକ ଲୋକଙ୍କୁ ଉଦ୍ଧାର କରିଥିବା ବେଳେ ଜିଲ୍ଲା ପ୍ରଶାସନ ଓ ରେଳ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟକୁ ତ୍ବରାନ୍ବିତ କରାଯାଇଛି। ଦୁଇଟି ଏକ୍ସପ୍ରେସ ଟ୍ରେନ ସହିତ ଏକ ମାଲଗାଡ଼ି ମଧ୍ୟ ଏହି ଦୁର୍ଘଟଣାରେ ସଂପୃକ୍ତ ରହିଛି। ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିଛନ୍ତି। ରେଳ ମନ୍ତ୍ରୀଙ୍କ ପକ୍ଷରୁ ମୃତକଙ୍କ ପରିବାରକୁ ୧୦ ଲକ୍ଷ, ଗୁରୁତର ଆହତଙ୍କୁ ୨ ଲକ୍ଷ ଓ ସାମାନ୍ୟ ଆହତଙ୍କୁ ୫୦ ହଜାର ଟଙ୍କା ସହାୟତା ଘୋଷଣା କରାଯାଇଛି।

ସମ୍ବନ୍ଧିତ ଖବର