ବରଗଡ଼ରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଚାର : ସରକାରକୁ ଆସିଲେ କ୍ୟାନ୍‌ସର୍‌ ହସ୍ପିଟାଲ

ଭଟଲି/ପଦ୍ମପୁର/ବିିଜେପୁର/ଅତାବିରା/ଅମ୍ବାଭୋନା/ଝାରବନ୍ଧ : ସୋମବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚାରୋଟି ନିର୍ବାଚନମଣ୍ଡଳୀ ଭଟଲି, ପଦ୍ମପୁର, ବିଜେପୁର ଓ ଅତାବିରାରେ ମାରାଥନ ପ୍ରଚାର କରିଛନ୍ତି। ନିଜ ବକ୍ତବ୍ୟରେ ଶ୍ରୀ ପ୍ରଧାନ ବିଜେପି ସରକାର ଗଢ଼ିଲେ ବରଗଡ଼ରେ କ୍ୟାନ୍‌ସର୍‌ ହସ୍ପିଟାଲ ସ୍ଥାପନ ନିଶ୍ଚିତ କରିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ କହିଲେ, ବିଜେପି ଶାସନକୁ ଆସିଲେ ବରଗଡ଼ରେ ମେଡିକାଲ କଲେଜ ଖୋଲାଯିବ। ୧ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରି ବିଜେପୁର ଏବଂ ପଦ୍ମପୁର ବ୍ଲକକୁ ସଂପୂର୍ଣ୍ଣ ଜଳସେଚନ ସୁବିଧା କରାଯିବ। ବରଗଡ଼-ନୂଆପଡ଼ା ରେଳ ଲାଇନ ପାଇଁ ମୋଦୀ ସରକାର ଆଗ୍ରହୀ ଥିବାବେଳେ ରାଜ୍ୟ ସରକାର ଏଥିରେ ଅସହଯୋଗ କରୁଛି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଥିଲେ। ସମଗ୍ର ବରଗଡ଼ ଜିଲ୍ଲାରେ ଚାଷୀ ଓ ଗରିବଙ୍କ ପାଇଁ କଲ୍ୟାଣମୂଳକ ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ସେ ଭଟଲିଠାରେ ଅନୁଷ୍ଠିତ ପ୍ରଚାର ସଭାରେ କହିଛନ୍ତି। ବିଜେପିର ଭଟଲି ଆସନ ପ୍ରାର୍ଥୀ ଇରାସିସ୍‌ ଆଚାର୍ଯ୍ୟ ଏହି ଅବସରରେ ବିଜେଡି ସରକାର ଏବଂ ସ୍ଥାନୀୟ ଜନପ୍ରତିନିଧିଙ୍କ ଉପରେ ଜୋର୍‌ ବ‌ର୍ଷିଥିଲେ। ଭଟଲି ନିର୍ବାଚନମଣ୍ଡଳୀକୁ ଜଣେ ମନ୍ତ୍ରୀ ପ୍ରତିନିଧିତ୍ବ କରୁଥିଲେ ହେଁ ଏଠାରେ ବିକାଶଧାରା ସଂପୂର୍ଣ୍ଣ ଠପ୍‌ ରହିଛି ବୋଲି ଅଭିଯୋଗ କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ବିଜେପୁର ଠାରେ ପ୍ରାର୍ଥୀ ସନତ ଗଡ଼ତିଆ, ପଦ୍ମପୁର ଏବଂ ଝାରବନ୍ଧରେ ପ୍ରଦୀପ ପୁରୋହିତ, ଅତାବିରାରେ ମିଲନ ସେଠ୍‌ ଏବଂ ଲୋକସଭା ପ୍ରାର୍ଥୀ ସୁରେଶ ପୂଜାରୀଙ୍କ ପାଇଁ ଭୋଟ୍‌ ଭିକ୍ଷା କରିଥିଲେ।

ସମ୍ବନ୍ଧିତ ଖବର