କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ସଂକ୍ରମିତ, ନିଜେ ଟୁଇଟ୍ କରି ସୂଚନା ଦେଲେ

ନୂଆଦିଲ୍ଲୀ : କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ପ୍ରକାଶ କରିଛନ୍ତି । ସେ ଟୁଇଟ୍ କରି ଲେଖିଛନ୍ତି, କୋଭିଡ୍ ୧୯ ଲକ୍ଷଣ ଦେଖାଯିବା ପରେ ମୁଁ ଟେଷ୍ଟ କରାଇଥିଲି ଏବଂ ମୋର ରିପୋର୍ଟ ପଜିଟିଭ୍ ଆସିଛି।  ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହସ୍ପିଟାଲରେ ଭର୍ତ୍ତି ହୋଇଛି ଏବଂ ସୁସ୍ଥ ଅଛି।

ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ ଗୁରୁଗାଁଓସ୍ଥିତ ମେଦାନ୍ତ ହସପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଛି । ପୂର୍ବରୁ ତାଙ୍କର ଜଣେ କର୍ମଚାରୀ କରୋନା ପଜିଟିଭ ଚିହ୍ନଟ ହେବା ପରେ ସେ ଏକାନ୍ତବାସରେ ଥିଲେ । ଗତକାଲି ତାଙ୍କର ନମୁନା ପରୀକ୍ଷଣ ପାଇଁ ନିଆଯାଇଥିଲା । ଆଜି ତାହା କରୋନା ପଜିଟିଭ ଥିବା ଜଣାପଡ଼ିଛି ।

ଗତ ରବିବାରଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା କରୋନା ସଂକ୍ରମିତ ଥିବା ଜଣାପଡ଼ିଥିଲା । ଏହା ପରେ ତାଙ୍କୁ ମେଦାନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ସେହିଦିନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରାପ୍ପା ଓ ତାମିଲନାଡ଼ୁର ରାଜ୍ୟପାଳ ବନଓ୍ଵାରିଲାଲ ପୁରୋହିତ ମଧ୍ୟ କରୋନା ପିଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ତ୍ରିପୁରାର ମୁଖ୍ୟମନ୍ତ୍ରୀ ଏବଂ ମଧ୍ୟପ୍ରଦେଶର ମୁଖ୍ୟମନ୍ତ୍ରୀ ମଧ୍ୟ କରୋନା ସଂକ୍ରମିତ ହୋଇଥିବ‌ା ସୂଚନା ରହିଛି। ଗତ କିଛି ଦିନ ମଧ୍ୟରେ ବହୁ ଶୀର୍ଷସ୍ତରୀୟ ରାଜନେତା କରୋନା କବଳିତ ହୋଇଥିବା ଦେଖିବାକୁ ମିଳିଛି।

ଭାରତରେ ଗତ ୨୪ ଘଣ୍ଟା ମଧ୍ୟରେ ୫୨୦୫୦ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିବାବେଳେ ୮୦୩ ଜଣ ମୃତ୍ୟୁବରଣ କରିଛନ୍ତି । ଏହା ଫଳରେ ଦେଶର ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୧୮ ଲକ୍ଷ ୫୫ ହଜାର ୭୪୬କୁ ବୃଦ୍ଧି ପାଇଛି । ସେହିପରି ମୃତ୍ୟୁସଂଖ୍ୟା ୩୮୯୩୮କୁ ବୃଦ୍ଧି ପାଇଛି ।

ଦେଶରେ କରୋନା ଜନିତ ମୃତ୍ୟୁହାର ନିୟମିତଭାବେ ହ୍ରାସ ପାଇଚାଲିଥିବାବେଳେ ଆରୋଗ୍ୟ ହାର ବୃଦ୍ଧି ପାଇଚାଲିଛି । ଏବେ ଦେଶର କରୋନା ମୃତ୍ୟୁହାର ୨.୧୦ ପ୍ରତିଶତକୁ ହ୍ରାସ ପାଇଛି ।

ସମ୍ବନ୍ଧିତ ଖବର