ପୁଣି ଭୁତାଇଲା ଏଏସ୍ଆଇ

ଦିଲ୍ଲୀରେ କୋଣାର୍କ ତନାଘନା, ଏଏସ୍‌ଆଇ ଡିଜିଙ୍କୁ ଡାକି ଧର୍ମେନ୍ଦ୍ରଙ୍କ ସମୀକ୍ଷା, ୩୦କୁ ଘୁଞ୍ଚିଲା କେନ୍ଦ୍ର-ରାଜ୍ୟ ବୈଠକ

ଭୁବନେଶ୍ବର : ବିଶ୍ବପ୍ରସିଦ୍ଧ କୋଣାର୍କରୁ କାରୁକାର୍ଯ୍ୟ ଖଚିତ ମୂର୍ତ୍ତି କାଢ଼ିନେବା ପ୍ରସଙ୍ଗରେ ବିଧାନସଭାରେ ଚର୍ଚ୍ଚା ଓ ହାଇକୋର୍ଟ ତନାଘନା କରିଛନ୍ତି। ଠିକ୍ ଏମିତି ଏକ ସମୟରେ ପ୍ରସଙ୍ଗଟି ଆଜି ନୂଆଦିଲ୍ଲୀରେ ପହଞ୍ଚିଛି।

କେନ୍ଦ୍ର ପେଟ୍ରାଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନୂଆଦିଲ୍ଲୀରେ ଏ ସଂକ୍ରାନ୍ତରେ ଏକ ବୈଠକ ଡାକି ସ୍ଥିତି ସମୀକ୍ଷା କରିଛନ୍ତି। କୋଣାର୍କ ବ୍ୟତୀତ ରାଜ୍ୟର ଅନ୍ୟ ଐତିହ୍ୟ କୀର୍ତିରାଜି ସଂପର୍କରେ ମଧ୍ୟ ମନ୍ତ୍ରୀ ଅନୁଧ୍ୟାନ କରିଛନ୍ତି। ଅନ୍ୟପକ୍ଷରେ ଆଜି ନୂଆଦିଲ୍ଲୀରେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ମହେଶ ଶର୍ମା ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ମଧ୍ୟରେ କୋଣାର୍କକୁ ନେଇ ହେବାକୁ ଥିବା ବୈଠକକୁ ୩୦ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସେଦିନ ଅପରାହ୍ନ ସାଢେ ବାରଟାରେ ଏହି ବୈଠକ ବସିବ।

ଏଏସ୍ଆଇ ସଂରକ୍ଷଣ ଓ ମରାମତି ଦାୟିତ୍ବ ନେଇଥିବା ସତ୍ତ୍ବେ ଦୁର୍ବଳ ହୋଇଯାଉଛି କୋଣାର୍କ। ଦିନକୁ ଦିନ ସ୍ଥିତି ଅଧିକ ଗମ୍ଭୀର ହେବାରେ ଲାଗିଛି। ଖୋଦ୍ ରୁରକି ସ୍ଥିତ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ପ୍ରତିଷ୍ଠାନ ମନ୍ଦିରର ବିଭିନ୍ନ ଅଂଶର ସ୍ଥିତି ଲେଜର୍ ସ୍କାନିଂ କରିବା ପରେ ଯେଉଁ ରିପୋର୍ଟ ଦେଇଛନ୍ତି, ତାହା ଏଏସ୍ଆଇର ଦୁର୍ବଳତାକୁ ପଦାରେ ପକାଇ ଦେଇଛି। ଏହି ରିପୋର୍ଟକୁ ଅନୁଧ୍ୟାନ କରି ବିଶେଷଜ୍ଞମାନେ କୋଣାର୍କ ଭବିଷ୍ୟତ ନେଇ ଆଶଙ୍କା ବ୍ୟକ୍ତ କରିଛନ୍ତି। ଏପରିକି ରିକ୍ଟର ସ୍କେଲରେ ୫ରୁ ୬ ତୀବ୍ରତା ବିଶିଷ୍ଟ ଭୂକମ୍ପ ହେଲେ କୋଣାର୍କ ଭୁଶୁଡିପଡିବ ବୋଲି ଭବିଷ୍ୟବାଣୀ କରୁଛନ୍ତି। କିନ୍ତୁ ଏହି ରିପୋର୍ଟକୁ ଏଏସ୍ଆଇ କର୍ତୃପକ୍ଷ ମାଡିବସିଛନ୍ତି। ନା ଏହାକୁ କେନ୍ଦ୍ର ସରକାରଙ୍କ ଦୃଷ୍ଟିକୁ ଆଣି କୋଣାର୍କ ସୁରକ୍ଷା ତ୍ବରାନ୍ବିତ କରାଯାଉଛି ନା ନିଜେ ନିଜ ତରଫରୁ କିଛି ପଦକ୍ଷେପ ନେଉଛନ୍ତି। ପ୍ରସଙ୍ଗଟିକୁ ହାଇକୋର୍ଟ ଗମ୍ଭୀରତାର ସହିତ ନେଇଛନ୍ତି। ଜବାବ ଦାଖଲ କରିବା ଲାଗି ରାଜ୍ୟ ସରକାର, କେନ୍ଦ୍ର ସରକାର ଓ ଏଏସ୍‌ଆଇକୁ କୁହାଯାଇଛି। ଏହାର ପରବର୍ତୀ ଶୁଣାଣି ଆସନ୍ତା ୧୦ତାରିଖରେ ହେବ।

ଏପଟେ ବିଳମ୍ବରେ ହେଲେ ବି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଏହି ପ୍ରସଙ୍ଗରେ ଏଏସ୍ଆଇ ଡିଜିଙ୍କୁ ଡାକି କୋଣାର୍କ ସଂପର୍କରେ ତନାଘନା କରିଥିବା ଖବର ମିଳିଛି। ତେବେ ଆଇନକୁ ଢାଲ କରି ଏଏସ୍ଆଇ କର୍ତୃପକ୍ଷ କେନ୍ଦ୍ରମନ୍ତ୍ରୀଙ୍କୁ ବିଭ୍ରାନ୍ତ କରିବାକୁ ପଛାଇ ନାହାନ୍ତି। ପୂର୍ବରୁ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ବି ଅନୁରୂପ ପଦକ୍ଷେପ ନେଇଥିଲେ। ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଜଣାଇଛନ୍ତି ଯେ କୋଣାର୍କରେ ଯେଉଁ ସଂରକ୍ଷଣ ଚାଲିଛି, ତାହା ନିୟମ ଭିତ୍ତିରେ ହିଁ ଚାଲିଛି।

ମନ୍ତ୍ରୀ ନିଜ ଟ୍ବିଟରେ ଏକଥା ଜଣାଇଛନ୍ତି। ଏହି ଟ୍ବିଟ୍‌ରେ ଏଏସ୍ଆଇର ଯୁକ୍ତି ସଂସ୍କୃତି ପ୍ରେମୀ ଓ ବିଶେଷଜ୍ଞଙ୍କୁ ଆନ୍ଦୋଳିତ କରିଛି। ଏଏସ୍ଆଇ କର୍ତୃପକ୍ଷଙ୍କୁ ନେଇ ଏହି ମହଲ ମାଳ ମାଳ ପ୍ରଶ୍ନ ଛିଡା କରିଛନ୍ତି। ଯଦି କର୍ତୃପକ୍ଷ କୋଣାର୍କର ସଂରକ୍ଷଣ ନିୟମ ଭିତ୍ତିରେ କରୁଛନ୍ତି, ତେବେ ଏହା ଦିନକୁ ଦିନ ଦୁର୍ବଳ ହେଉଛି କେମିତି? କୋଣାର୍କ ସଂପର୍କରେ ଗଠନ କରାଯାଇଥିବା କମିଟିର ସ୍ଥିତି କଣ? ଏହି କମିଟିର ବୈଠକ ଶେଷ ଥର ପାଇଁ କେବେ ବସିଥିଲା? କୋଣାର୍କ ସଂପର୍କରେ ସେଣ୍ଟ୍ରାଲ ବିଲଡିଂ ରିସର୍ଚ୍ଚ ପ୍ରତିଷ୍ଠାନ ଦେଇଥିବା ରିପୋର୍ଟକୁ ଦୁଇବର୍ଷ ହେଲାଣି କର୍ତୃପକ୍ଷ ସାର୍ବଜନୀନ କରୁନାହାନ୍ତି କାହିଁକି? ଯଦି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀଙ୍କ ଦ୍ବାରା ଗତବର୍ଷ କୋଣାର୍କରେ ଉଦଘାଟିତ ହୋଇଥିବା ବାଖ୍ୟାନ କେନ୍ଦ୍ରରେ ଅବିକଳ କୋଣାର୍କ ଚକ ନିର୍ମାଣ କରାଯାଇପାରିଲା, କାରୁକାର୍ଯ୍ୟକୁ ଅବିକଳ ଓଡ଼ିଶାର କାରିଗର ଫୁଟେଇ ପାରିଲେ, ତେବେ ତା ଠାରୁ କେଇ ମିଟର ଦୂରରେ ଥିବା ମୂଳ କୀର୍ତିରାଜିରେ ଏକଥା ସମ୍ଭବ ହେଉନାହିଁ କେମିତି? କୋଣାର୍କରେ ସଂରକ୍ଷଣ କାର୍ଯ୍ୟରେ ଓଡ଼ିଶାର ଶିଳ୍ପୀଙ୍କୁ ନିୟୋଜିତ କରିବା ଲାଗି କର୍ତୃପକ୍ଷ କୁନ୍ଥକୁନ୍ଥ କାହିଁକି? ଯେଉଁ ରସାୟନିକ ପ୍ରଲେପ ଲଗାଯାଉଛି, ତାହାର ପରୀକ୍ଷଣ ରିପୋର୍ଟ କୁଆଡେ ଗଲା? ଏହି ପ୍ରଲେପ ଲାଗିଲା ପରେ କୀର୍ତି ଅଧିକ ନଷ୍ଟ ହେଉଥିବା ଅଭିଯୋଗ କଣ ମିଛ?

କେବଳ ସେତିକି ନୁହେଁ, ଯେଉଁ ଆଇନକୁ ଆଳ କରି ଏଏସ୍ଆଇ କର୍ତୃପକ୍ଷ କୋଣାର୍କ ସୁରକ୍ଷା ରାସ୍ତାରେ କଣ୍ଟା ସାଜୁଛନ୍ତି, ସେହି ଏଏସ୍ଆଇ ହୁମାୟୁନ କବର ସଂରକ୍ଷଣ କ୍ଷେତ୍ରରେ ଆଖିବୁଜି ଦେଲା କେମିତି? ହୁମାୟୁନ କବର ଯେମିତି ଥିଲା, ସଂରକ୍ଷଣ ପରେ ବି ସେମିତି ରହିଛି। ଏହାର ସଂରକ୍ଷଣ କରାଯିବା ବେଳେ ନୂତନ ଖୋଦିତ ପ୍ରସ୍ତର ଓ ନୂତନ ଖୋଦିତ ମାର୍ବଲ ଲଗାଗଲା। ଏଏସ୍ଆଇ କର୍ତୃପକ୍ଷ ବିରୋଧ କରିନାହାନ୍ତି କିମ୍ବା ଓ ଏ କ୍ଷେତ୍ରରେ ୟୁନେସ୍କୋର ବହୁ ପୁରୁଣା ନୀତିନିୟମ ପାଳନ ହେଲାନାହିଁ। ଯଦି ହୁମାୟୁନ କବର ପାଇଁ ନୀତି ଏମିତି କୋହଳ କରାଯାଇପାରେ, ତେବେ ବିଶ୍ବପ୍ରସିଦ୍ଧ କୋଣାର୍କ ମନ୍ଦିରର ପୁନରୁଦ୍ଧାର ସଂରକ୍ଷଣ କ୍ଷେତ୍ରରେ ୧୯୨୪ ମସିହା ସଂରକ୍ଷଣ ନୀତି କାହିଁକି ଲାଗୁ ହେବ? ଏଏସ୍ଆଇ କର୍ତୃପକ୍ଷଙ୍କର କୋଣାର୍କ କ୍ଷେତ୍ରରେ ଦୋମୁହାଁ ନୀତି କାହିଁକି? କର୍ତୃପକ୍ଷ ସଂରକ୍ଷଣ ପୂର୍ବରୁ ପ୍ରତିଟି କଳାକୃତିର ସ୍ଥିତି କେମିତି ଥିଲା ଓ ସଂରକ୍ଷଣ କରାଗଲା ପରେ ସ୍ଥିତି କେମିତି ଅଛି, ତାହାର ଭିଡିଓ ଓ ଫଟୋ ଚିତ୍ର ରଖିବା କଥା। କର୍ତୃପକ୍ଷ ଏ ଫଟୋ ଚିତ୍ର କାହିଁକି ଆଜି କେନ୍ଦ୍ରମନ୍ତ୍ରୀଙ୍କୁ ଦେଖାଇଲେ ନାହିଁ, ତାହା ସଂସ୍କୃତି ପ୍ରେମୀଙ୍କୁ ଆଚମ୍ବିତ କରିଛି। ଏଏସ୍ଆଇ ଏଡିଜି କୋଣାର୍କ ସ୍ଥିତି ଅନୁଧ୍ୟାନ ପାଇଁ ଆସିଥିବା ବେଳେ ସ୍ଥାନୀୟ ଅଧିକାରୀଙ୍କ ଉପରେ ଭୀଷଣ ବିରକ୍ତ ହୋଇଥିଲେ।

ଆଜି ବୈଠକ ପରେ ଟ୍ବିଟ୍ କରି ମନ୍ତ୍ରୀ କହିଛନ୍ତି, ପର୍ଯ୍ୟଟନ ବିକାଶ ଦିଗରେ ଯେଉଁ ଯେଉଁ ସମସ୍ୟା ରାଜ୍ୟ ସରକାର ଉଠାଇଛନ୍ତି, ତାହାର ସମାଧାନ ପାଇଁ ସେ କର୍ତୃପକ୍ଷଙ୍କୁ ନିର୍ଦେଶ ଦେଇଛନ୍ତି। ସେହିଭଳି ଏସବୁ କାର୍ଯ୍ୟରେ ଏଏସ୍ଆଇ କର୍ତୃପକ୍ଷଙ୍କୁ ସମସ୍ତ ସହଯୋଗ ଯୋଗାଇ ଦେବା ଲାଗି ରାଜ୍ୟ ମୁଖ୍ୟଶାସନ ସଚିବଙ୍କୁ ସେ ପରାମର୍ଶ ଦେଇଛନ୍ତି। ଏହି ଆଲୋଚନାରେ ହରିପୁର, ରାଣୀପୁର-ଝରିଆଲ ଆଦି ସଂପର୍କରେ ଏଏସ୍ଆଇ କର୍ତୃପକ୍ଷ ମନ୍ତ୍ରୀଙ୍କୁ ଅବଗତ କରିଥିଲେ।

ସମ୍ବନ୍ଧିତ ଖବର