ସୂର୍ଯ୍ୟ ପାତ୍ରଙ୍କ ଚିଠିର ତୁରନ୍ତ ଉତ୍ତର ଦେଲେ ଧର୍ମେନ୍ଦ୍ର : ମାଗଣା ନୁହେଁ, ସ୍ବତନ୍ତ୍ର ବ୍ୟବସ୍ଥାରେ ମିଳୁଛି ସିଲିଣ୍ଡର

ଭୁବନେଶ୍ବର : ଭୀଷଣ ବାତ୍ୟା ତିତଲି ଏବଂ ପରବର୍ତୀ ବର୍ଷା ଓ ବନ୍ୟା ଯୋଗୁଁ ରାଜ୍ୟର ଗଞ୍ଜାମ, ଗଜପତି ଓ ରାୟଗଡ଼ା ଜିଲ୍ଲା ଗୁରୁତର ଭାବେ ପ୍ରଭାବିତ ହୋଇଛି। ଏଥିପାଇଁ ଉଜ୍ଜ୍ବଳା ଯୋଜନା‌େର ଏହି ୩ଟି ଜିଲ୍ଲାର ହିତାଧିକାରୀମାନଙ୍କୁ ମାଗଣାରେ ରନ୍ଧନ ଗ୍ୟାସ୍‌ ସିଲିଣ୍ଡର ଯୋଗାଇଦେବାକୁ ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ସୂର୍ଯ୍ୟନାରାୟଣପାତ୍ର ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖିଛନ୍ତି। ଏହି ଚିଠିର ତୁରନ୍ତ ଉତ୍ତର ଦେଇଛନ୍ତି ଶ୍ରୀ ପ୍ରଧାନ। କିନ୍ତୁ ରାଜ୍ୟ ମନ୍ତ୍ରୀଙ୍କ ଅନୁରୋଧକୁ ରକ୍ଷା କରିବା ପରିବର୍ତେ ବାତ୍ୟା ପ୍ରଭାବିତ ୩ଟି ଜିଲ୍ଲାର ଉପଭୋକ୍ତାମାନଙ୍କ ପାଇଁ ତୈଳ କମ୍ପାନିମାନେ ସ୍ବତନ୍ତ୍ର ଭାବେ ତ୍ବରିତ ପଦକ୍ଷେପ ଗ୍ରହଣ କରିସାରିଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି।

କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଗ୍ୟାସ ହଜିଯାଇଥିବା ବିପିଏଲ୍‌ ପରିବାରଙ୍କୁ ୨୦୦ ଟଙ୍କାରେ ଏବଂ ଏପିଏଲ୍‌ ପରିବାରଙ୍କୁ ୧୨୦୦ ଟଙ୍କାରେ ନୂଆ ଗ୍ୟାସ ସିଲିଣ୍ଡର ଯୋଗାଇ ଦିଆଯାଉଛି। ଗ୍ୟାସ୍‌ କାଗଜପତ୍ର ନଷ୍ଟ ହୋଇଯାଇଥିବା ଘଟଣାରେ ସ୍ବତନ୍ତ୍ର ଶିବିରମାନ ଆୟୋଜନ କରି ନୂଆ କାଗଜ ଦେବା ପାଇଁ ବ୍ୟବସ୍ଥା କରାଯାଇଛି। ପ୍ରାକୃତିକ ବିପର୍ଯ୍ୟୟ ପ‌େର ନିରନ୍ତର ଗ୍ୟାସ ଯୋଗାଣକୁ ସୁନିଶ୍ଚିତ କରାଯାଇଛି। ଗତ ୧୪ ତାରିଖରେ ତୈଳ କମ୍ପାନିମାନେ ବାତ୍ୟା ଓ ବନ୍ୟା ଲୋକମାନଙ୍କ ପାଇଁ ସହଯୋଗ ଘୋଷଣା କରିସାରିଛନ୍ତି।

ଗତ ୧୮ ତାରିଖରେ ସେ ନିଜେ ତିତଲି ପ୍ରଭାବିତ ଗଞ୍ଜାମ ଓ ଗଜପତି ଜିଲ୍ଲା ଗସ୍ତ କରିଥିଲେ। ବିଗତ ଦିନରେ କେରଳ, ତାମିଲନାଡ଼ୁ, ଜମ୍ମୁ ଓ କଶ୍ମୀର ଆଦି ରାଜ୍ୟରେ ବନ୍ୟା ପରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ତୈଳ ଓ ପ୍ରାକୃତିକ ଗ୍ୟାସ୍‌ ମନ୍ତ୍ରଣାଳୟ ଓ ତୈଳ କମ୍ପାନିମାନେ ଏଭଳି ସହାୟତା ଯୋଗାଇ ଦେଇଥିବା କେନ୍ଦ୍ରମନ୍ତ୍ରୀ କହିଥିଲେ। ରାଜ୍ୟ ଖାଦ୍ୟ ଯୋଗାଣ ମନ୍ତ୍ରୀ ଶ୍ରୀ ପାତ୍ରଙ୍କୁ ସେ ଆନ୍ନାଜୀ ବୋଲି ସମ୍ବୋଧନ କରିବା ସହିତ ସେ ଅନୁରୋଧ କରିଥିବା ଉଜ୍ଜ୍ବଳା ହିତାଧିକାରୀଙ୍କୁ ମାଗଣାରେ ଗ୍ୟାସ୍‌ ଯୋଗାଣ ପ୍ରସଙ୍ଗ ନେଇ କୌଣସି ଉତ୍ତର ଦେଇନାହାନ୍ତି ଶ୍ରୀ ପ୍ରଧାନ।

ସମ୍ବନ୍ଧିତ ଖବର