କେନ୍ଦ୍ର ନୁହେଁ, ମୁଖ୍ୟମନ୍ତ୍ରୀ ଚାପ ପକାନ୍ତୁ: ଧର୍ମେନ୍ଦ୍ର

ସମ୍ବଲପୁର : ମହାନଦୀର ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ସରକାର ଭୁଲ୍‌ କରିଛନ୍ତି। ତେବେ ଓଡ଼ିଶା ସରକାର ବି ଏ ପ୍ରସଙ୍ଗରେ ଠିକ୍‌ କରୁନାହାନ୍ତି ବୋଲି କେନ୍ଦ୍ର ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି। ମହାନଦୀ ଜଳ ପ୍ରସଂଗରେ ଓଡ଼ିଶାର ସ୍ୱାର୍ଥ ସହିତ ସାଲିସ କରାଯିବ ନାହିଁ ବୋଲି ଦୋହରାଇ ଶ୍ରୀ ପ୍ରଧାନ କହିଛନ୍ତି, ଓଡ଼ିଶା ସରକାର ଯଦି ଆନ୍ତରିକତାର ସହ ଛତିଶଗଡ଼ ଉପରେ ଚାପ ପ୍ରୟୋଗ କରନ୍ତି ତେବେ ସେ ବ୍ୟକ୍ତିଗତ ଭାବେ ରାଜ୍ୟ ସରକାରଙ୍କୁ ସହଯୋଗ କରିବାକୁ ପ୍ରସ୍ତୁତ ଅଛନ୍ତି।

ଶନିବାର ଏଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଥିଲେ, ଉପର ମୁଣ୍ଡରେ ବ୍ୟାରେଜ ନିର୍ମାଣ କରି ଛତିଶଗଡ଼ ସରକାର ଭୁଲ କରିଛନ୍ତି। ୨ ହଜାର ହେକ୍ଟର ଜମି ଜଳସେଚନ କରିବା ଆଳରେ ସିଡବ୍ଲୁସିକୁ ଅନ୍ଧାରରେ ରଖି ଶିଳ୍ପାନୁଷ୍ଠାନକୁ ଜଳ ଯୋଗାଣ ବ୍ୟବସ୍ଥା କରିଛନ୍ତି। ଛତିଶଗଡ଼ ଭୁଲ୍‌ କରିଥିବା କଥା କେନ୍ଦ୍ର ଜଳ ସଂସଦ ମନ୍ତ୍ରୀ ସଂଜୀବ ବାଲ୍ୟାନ୍‌ ମଧ୍ୟ ସ୍ପଷ୍ଟ ଭାବେ କହି ସାରିଛନ୍ତି। ଛତିଶଗଡ଼ ମୁଖ୍ୟମନ୍ତ୍ରୀଙ୍କ ମହାନଦୀ ସଂକ୍ରାନ୍ତ ବିବୃତିକୁ ସେ ମଧ୍ୟ ନିନ୍ଦା କରି ସାରିଛନ୍ତି। ମାତ୍ର ଓଡ଼ିଶା ସରକାର କ’ଣ କରିଛନ୍ତି?

ମହାନଦୀର ୫୦ ପ୍ରତିଶତ ମହାନଦୀ ବେକାର ସମୁଦ୍ରକୁ ବୋହି ଯାଉଛି। ଓଡ଼ିଶା ସରକାର ଗତ ୧୮ ବର୍ଷ ମଧ୍ୟରେ ମହାନଦୀର ବୁନ୍ଦାଏ ପାଣି ଅଟକାଇ ବ୍ୟବହାର କରିପାରିଲେ ନାହିଁ। ଛତିଶଗଡ଼ ସହିତ ଆଲୋଚନା ବନ୍ଦ କରି ଦେଇ ଓଡ଼ିଶା ସରକାରଙ୍କ ବଡ଼ ଭୁଲ କରିଛନ୍ତି। ତାଙ୍କ(ଧର୍ମେନ୍ଦ୍ରଙ୍କ) ପ୍ରୟାସ ଯୋଗୁଁ କେନ୍ଦ୍ର ଜଳ ସଂପଦ ମନ୍ତ୍ରୀ ଉମାଭାରତୀ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଏକାଠି ବସାଇ ମହାନଦୀ ଜଳ ପ୍ରସଂଗରେ ଆଲୋଚନା କରିଥିଲେ। ଆଲୋଚନା ବିଫଳ ହେଲା। ଏବେ ଟ୍ରିବ୍ୟୁନାଲ ଗଠନ ହୋଇଛି। ତେବେ ନ୍ୟାୟିକ ଲଢ଼େଇ ସହିତ ଓଡ଼ିଶା ସରକାର ଆଲୋଚନା ଜାରି ରଖିଥିଲେ ଭଲ ହୋଇଥାନ୍ତା।

ଶ୍ରୀ ପ୍ରଧାନ କହିଥିଲେ, ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ଅଣମୌସୁମୀ ଋତୁରୁ ବ୍ୟାରେଜ୍‌ରେ ବନ୍ଦ ହୋଇ ରହିଥିବା ମହାନଦୀ ଜଳକୁ ଛାଡ଼ିବା ପାଇଁ ମୁଖ୍ୟମନ୍ତ୍ରୀ ଛତିଶଗଡ଼ ଉପରେ ଚାପ ପ୍ରୟୋଗ କରନ୍ତୁ। ମୁଖ୍ୟମନ୍ତ୍ରୀ ଚାପ ପକାଇଲେ ବ୍ୟକ୍ତିଗତ ସ୍ତରରେ ଯାହା ସହାୟତା ଦରକାର ସେ ଦେବା ପାଇଁ ପ୍ରସ୍ତୁତ ଅଛନ୍ତି ବୋଲି ଧର୍ମେନ୍ଦ୍ର କହିଛନ୍ତି। ତେବେ କେନ୍ଦ୍ର ସରକାର କାହିଁକି ଛତିଶଗଡ଼ ଉପରେ ଚାପ ପ୍ରୟୋଗ କରୁନାହାନ୍ତି ବୋଲି ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ପ୍ରଧାନ ସିଧାସଳଖ ଉତ୍ତର ନରଖି କହିଥିଲେ, ସାମ୍ବିଧାନିକ ବିଧି ବ୍ୟବସ୍ଥା ମଧ୍ୟରେ କେନ୍ଦ୍ର ସରକାର ସବୁକିଛି କରିବାକୁ ପ୍ରସ୍ତୁତ। କିନ୍ତୁ କେନ୍ଦ୍ର ନୁହେଁ, ଓଡ଼ିଶା ମୁଖ୍ୟମନ୍ତ୍ରୀ ଚାପ ପକାଇବା ଅଧିକ ଫଳପ୍ରଦ ହେବ।

ସମ୍ବନ୍ଧିତ ଖବର