ଓଡ଼ିଶାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ: ପୁରୀରେ ରାଷ୍ଟ୍ରପତି ଓ ରାଜ୍ୟପାଳଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିବେ

ଭୁବନେଶ୍ବର: କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି। ପୁରୀରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।
ମହାମହିମ ରାଷ୍ଟ୍ରପତିଙ୍କ ସହ ଗୌଡ଼ୀୟ ମଠ ପରିଦର୍ଶନ କରିବା ପରେ ପୁରୀର ଶରଧାବାଲିଠାରେ ଆୟୋଜିତ ଶ୍ରୀମଦ୍ ଭକ୍ତିସିଦ୍ଧାନ୍ତ ଗୌଡ଼ୀୟ ସରସ୍ୱତୀ ଗୋସ୍ୱାମୀ ପ୍ରଭୁପାଦ ମହାରାଜଙ୍କ ୧୫୦ତମ ଜନ୍ମବାର୍ଷିକୀ ଅବସରରେ ଆୟୋଜିତ ତୃତୀୟ ବାର୍ଷିକୀ ଅଧିବେଶନ କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେବେ।

ଏଣେ ଫେବ୍ରୁଆରି ୨୦ରେ ଶ୍ରୀଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିଠାରେ ଆୟୋଜିତ ଗୌଡୀୟ ମିସନର ପ୍ରତିଷ୍ଠାତା ଶ୍ରୀମଦ୍ ଭକ୍ତି ସିଦ୍ଧାନ୍ତ ସରସ୍ବତୀ ଗୋସ୍ବାମୀ ପ୍ରଭୁପାଦଙ୍କ ୧୫୦ତମ ଜନ୍ମଜୟନ୍ତୀର ତୃତୀୟ ବାର୍ଷିକୀ ପାଳନ ଶୁଭାରମ୍ଭ ଉତ୍ସବରେ ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଏବଂ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଯୋଗ ଦେବେ।

ବିଶ୍ବ ବୈଷ୍ଣବ ସମ୍ମିଳନୀକୁ ଉଦ୍‌ଘାଟନ କରିବା ପୂର୍ବରୁ ରା‌ଷ୍ଟ୍ରପତି ଶ୍ରୀଚୈତନ୍ୟ ଗୌଡ଼ୀୟ ମଠକୁ ଯିବେ। ପୂର୍ବାହ୍ଣ ୧୦ଟା ୩୫ରେ ସେଠାରେ ପହଞ୍ଚିବେ। ସେଠାରେ ଥିବା ଚତୁର୍ଦ୍ଧା ମୂର୍ତ୍ତି, ରାଧାକୃଷ୍ଣ ଓ ଶ୍ରୀଚୈତନ୍ୟଙ୍କୁ ଦର୍ଶନ କରିବେ। ପୁଷ୍ପାଞ୍ଜଳି ଅର୍ପଣ କରିବା ସହ ପ୍ରଦୀପ ଜାଳିବେ। ତେଣୁ ମଠ ଓ ମନ୍ଦିର ପରିସରରେ ମହାମହିମଙ୍କୁ ସ୍ବାଗତ ଲାଗି ସୁନ୍ଦର ସାଜସଜା କରାଯାଇଛି। ଫୁଲ ସହ ବିଭିନ୍ନ ସନ୍ଥଙ୍କ ଫଟୋ ଚିତ୍ର ସଜାଇ ରଖାଯାଇଛି। ପୁଷ୍ପାଞ୍ଜଳି ଅର୍ପଣ ପରେ ଆପାତତଃ କିଛି ଶୁଖିଲା ପ୍ରସାଦ ରାଷ୍ଟ୍ରପତି ସେବନ କରିପାରନ୍ତି ବୋଲି ଶୁଦ୍ଧାଦ୍ବୈତୀ ମହାରାଜ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର