ସମ୍ବଲପୁର : ପାଖେଇ ଆସୁଛି ସାଧାରଣ ନିର୍ବାଚନ। ରାଜ୍ୟର ମର୍ଯ୍ୟାଦାଜନକ ସମ୍ବଲପୁର ଲୋକସଭା କ୍ଷେତ୍ର ଉପରେ ରହିଛି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଖି। ଆଉ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ନିଜ ଧର୍ମପତ୍ନୀ ମୃଦୁଳା ପ୍ରଧାନଙ୍କ ବିକାଶ ଫାଉ‌ଣ୍ଡେସନ୍ ଟ୍ରଷ୍ଟ ପକ୍ଷରୁ ସ୍ବାସ୍ଥ୍ୟ ଶିବିର ଜରିଆରେ ଏଠାରେ ପ୍ରାରମ୍ଭିକ ରାଜନୈତିକ ଗତିବିଧି ଆରମ୍ଭ କରିଥିବା ଚର୍ଚ୍ଚା ଚାଲିଛି।

Advertisment

ଗତ ୨୦୧୪ ‌ସାଧାରଣ ନିର୍ବାଚନରେ ସମ୍ବଲପୁର ଲୋକସଭା ବିଜେଡି ପ୍ରାର୍ଥୀ ନଗେନ୍ଦ୍ର ପ୍ରଧାନ ବିଜେପିର ଟାଣୁଆ ନେତା ସୁରେଶ ପୂଜାରୀଙ୍କୁ ପରାଜିତ କରିଥିଲେ। ୨୦୧୯ ମସିହା ନିର୍ବାଚନରେ ଅନୁଗୁଳ ଜିଲ୍ଲାରେ ଜନ୍ମିତ ଓ ସମ୍ବଲପୁରରେ ଜୀବନର ବହୁ ସମୟ ବିତାଇଥିବା ବିଜେଡି ପ୍ରାର୍ଥୀ ଇଂ. ନଳିନୀକାନ୍ତ ପ୍ରଧାନଙ୍କୁ ନଗେନ୍ଦ୍ର ପ୍ରଧାନଙ୍କ ଭଳି ଛେଣ୍ଡିପଦା ଓ ଆଠମଲ୍ଲିକରୁ ଅଧିକ ଭୋଟ ମିଳିଥିଲେ ହେଁ ସମ୍ବଲପୁର ଜିଲ୍ଲାରୁ ଆଶାନୁରୂପ ଭୋଟ ମିଳିନଥିଲା। ନିଜ ଗୃହ ଜିଲ୍ଲା ଦେବଗଡ଼ ସହିତ ସମ୍ବଲପୁର ଜିଲ୍ଲାର ମତଦାତାଙ୍କ ସମର୍ଥନ ଜରିଆରେ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବ ଲୋକସଭାକୁ ନିର୍ବାଚିତ ହୋଇଥିଲେ। ପାରିବାରିକ ବିବାଦରେ ଛନ୍ଦି ହୋଇଥିବା ନିତେଶଙ୍କୁ ନିର୍ବାଚନ ପରେ ଲୋକେ କିନ୍ତୁ ଦେଖିବାକୁ ପାଉନାହାନ୍ତି। ‌ତାଙ୍କ ଅଧିକାଂଶ ସମୟ ଦେବଗଡ଼ କିମ୍ବା ଦିଲ୍ଲୀରେ ବିତୁଛି। ତାଙ୍କ ପ୍ରତି ଜନଅସନ୍ତୋଷ ବଢ଼ୁଥିବାରୁ ଆଗାମୀ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କଲେ ପରାଜୟର ସମ୍ମୁଖୀନ ହୋଇପାରେ ବୋଲି ଚର୍ଚ୍ଚା ଚାଲିଛି। ସୁରେଶ ପୂଜାରୀ ବରଗଡ଼ ଯିବା ପରେ ଜୟ ନାରାୟଣ ମିଶ୍ରଙ୍କୁ ଛାଡ଼ିଦେଲେ ସମ୍ବଲପୁର ଲୋକସଭାରୁ ନିର୍ବାଚନ ଲଢ଼ିବା ଭଳି ସେଭଳି ଟାଣୁଆ ବିଜେପି ନେତା ଆଉ ଦେଖାଯାଉ ନାହାନ୍ତି। ଏମିତିରେ ବି ଥରେ ସ୍ବାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ସଭାରେ ନିତେଶଙ୍କ ଉପସ୍ଥିତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକସଭା କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ଆଗ୍ରହ ପ୍ରକାଶ କରିଥିଲେ।

ତେବେ, ମଝିରେ ଧର୍ମେନ୍ଦ୍ର ନିଜ ଗୃହ ଲୋକସଭା କ୍ଷେତ୍ର ଢେଙ୍କାନାଳ ପ୍ରତି ଅଧିକ ଆଗ୍ରହ ଦେଖାଉଥିବା ଚର୍ଚ୍ଚା ଚାଲିଥିଲା। ଏବେ ସେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ପ୍ରସ୍ତୁତି ଆରମ୍ଭ କରିଥିବା ଜଣାପଡ଼ିଛି। ସ୍ବେଚ୍ଛାସେବୀ ସଂଗଠନ ବିକାଶ ଫାଉଣ୍ଡେସନ ଟ୍ରଷ୍ଟର ଅଧ୍ୟକ୍ଷା ହେଉଛନ୍ତି ଧର୍ମେନ୍ଦ୍ରଙ୍କ ଧର୍ମପତ୍ନୀ ମୃଦୁଳା ପ୍ରଧାନ। ଏହି ସଂସ୍ଥା ଜରିଆରେ ଏବେ ସମ୍ବଲପୁର ଲୋକସଭା କ୍ଷେତ୍ରରେ ବିଧାନସଭା କ୍ଷେତ୍ର ସ୍ତରରେ ‌ମାଗଣା ମେଗା ସ୍ବାସ୍ଥ୍ୟ ଶିବିର ଆୟୋଜନ କରାଯାଉଥିବା ବେଳେ ଆଗାମୀ ଦିନରେ ଏହାକୁ ବ୍ଲକ୍ ସ୍ତରକୁ ନିଆଯିବ ବୋଲି କହାଯାଉଛି। ଗତ ମାର୍ଚ୍ଚ ମାସ‌ରେ ଆଠମଲ୍ଳିକ ଓ ଛେଣ୍ଡିପଦା ବିଧାନସଭା କ୍ଷେତ୍ରରେ ସ୍ବାସ୍ଥ୍ୟଶିବିର ଆୟୋଜନ ସରିଛି। ଗତ ଏପ୍ରିଲ ୨ ତାରିଖ ଦିନ ସମ୍ବଲପୁର ସହରର ବରେଇପାଲି ମୁଂଗାପଡ଼ାରେ ମାଗଣା ସ୍ବାସ୍ଥ୍ୟ ଶିବିର ଆୟୋଜିତ ହୋଇଥିଲା।

‌ସୋମବାର ରେଢ଼ାଖୋଲ ବିଧାନସଭା କ୍ଷେତ୍ରର ପଡ଼ିଆବାହାଲରେ ଅନୁଷ୍ଠିତ ସ୍ବାସ୍ଥ୍ୟ ଶିବିରରେ ପ୍ରାୟ ଏକ ହଜାର ଲୋକଙ୍କ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହିତ ଔଷଧ ବଣ୍ଟା ଯାଇଥିଲା। ଆଜି ରେଂଗାଲି ବିଧାନସଭା କ୍ଷେତ୍ରର ନିଶାନଭଂଗା ଏବଂ ୫ ତାରିଖ ଦିନ କୁଚିଣ୍ଡା ବିଧାନସଭା କ୍ଷେତ୍ରର ଖଣ୍ଡୋକଟା ଠାରେ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହେବ। ଏହା ପରେ ପୁଣି ସମ୍ବଲପୁର ଲୋକସଭା କ୍ଷେତ୍ରର ଦେବଗଡ଼ ବିଧାନସଭା କ୍ଷେତ୍ର ଅନ୍ତର୍ଗତ ବାରକୋଟର ଗୁରୁସାଂଗ ଠାରେ ସ୍ବାସ୍ଥ୍ୟ ଶିବିର ଆୟୋଜନ ପାଇଁ ସ୍ଥିର ହୋଇଛି। ସ୍ବାସ୍ଥ୍ୟ ଶିବିର ଆୟୋଜନ ଦାୟିତ୍ବ ବିଧାନସଭା ସ୍ତରୀୟ ବିଜେପି ନେତାମାନଙ୍କୁ ଦାୟିତ୍ବ ଦିଆଯାଇଛି। ସ୍ବାସ୍ଥ୍ୟ ଶିବିରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବଡ଼ ଫଟୋ ରଖାଯାଉଛି। ଶିବିର ଆରମ୍ଭ ପୂର୍ବରୁ ଏକ ଛୋଟ ସଭା ହେଉଥିବା ବେଳେ ଏଥିରେ ଓଡ଼ିଶାରେ କେନ୍ଦ୍ର ସରକାରଙ୍କ ‘ଆୟୁଷ୍ମାନ ଭାରତ ଯୋଜନା କାର୍ଯ୍ୟକାରୀ କରାଯାଇନଥିବାରୁ ରାଜ୍ୟ ସରକାରଙ୍କୁ ସମାଲୋଚନା କରାଯାଉଥିବା ଦେଖାଯାଉଛି।

କେବଳ ସେତିକି ନୁହେଁ, ପରୋକ୍ଷରେ ବିଜେପି ନେତାମାନେ ଧର୍ମେନ୍ଦ୍ର ଏବଂ ମୃଦୁଳାଙ୍କ ପ୍ରଚାର କରୁଥିବା ଦେଖିବାକୁ ମିଳୁଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ଦେବଗଡ଼ ଏକ ସ୍ବତନ୍ତ୍ର ଲୋକସଭା ଆସନ ଥିବା ସମୟରେ ଧର୍ମେନ୍ଦ୍ର ପ୍ରଧାନ ଏଠାରୁ ନିର୍ବାଚିତ ହୋଇଥିଲେ। ଏବିଭିପିରେ ସକ୍ରିୟ ଥିବା ସମୟରେ ସମ୍ବଲପୁରରେ ତାଙ୍କର ବହୁ ବର୍ଷ ବିତିଛି। ଏବେ ବି ସମ୍ବଲପୁରର ଅନେକ ଲୋକଙ୍କ ସହିତ ତାଙ୍କର ପ୍ରତ୍ୟକ୍ଷ ସଂପୃକ୍ତି ରହିଛି। କେବଳ ସେତିକି ନୁହେଁ, ଚଷା ଜାତି ବହୁଳ ନିଜଗୃହ ଜିଲ୍ଲାର ଆଠମଲ୍ଲିକ ଓ ଛେଣ୍ଡିପଦା ସହିତ ଦେବଗଡ଼ ଜିଲ୍ଲା ଏବଂ ସମ୍ବଲପୁର ଜିଲ୍ଲାର ରେଢ଼ାଖୋଲ ବିଧାନସଭା କ୍ଷେତ୍ରରୁ ମତଦାତାଙ୍କ ସମର୍ଥନ ହାସଲ ବି ସହଜ ହେବ ବୋଲି ବିଜେପି ମହଲରେ ଆକଳନ କରୁଛନ୍ତି।