ଧର୍ମପଦ ଓ ପାଇକ ପୁଅର ରାଣ ଦେଲେ ଧର୍ମେନ୍ଦ୍ର
କୋଣାର୍କ : ପବିତ୍ର ଉତ୍କଳ ଦିବସ ଅବସରରେ ଆଜି କୋଣାର୍କ ଚନ୍ଦ୍ରଭାଗାରେ ନୂଆ ଓଡ଼ିଶା ନିର୍ମାଣ ଅଭିଯାନର ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଛି। ଏହି ସଂକଳ୍ପ ସମାବେଶରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କୋଣାର୍କର ମୁଣ୍ଡି ମାରିଥିବା ଧର୍ମପଦ ଓ ପାଇକ ବିଦ୍ରୋହର ଦାୟଦଙ୍କ ତ୍ୟାଗକୁ ଦୃଷ୍ଟିରେ ରଖି ଶପଥ କରିବାକୁ ଆହ୍ଵାନ ଦେଇଥିଲେ। ଶ୍ରୀ ପ୍ରଧାନ ଏହି ଛଳରେ ଧର୍ମପଦ ଓ ପାଇକଙ୍କ ରାଣ ପକାଇଥିଲେ। କେବଳ ସେତିକି ନୁହେଁ, ସୂର୍ଯ୍ୟ ଓ ସମୁଦ୍ରକୁ ସାକ୍ଷୀ ରଖି ଯୁବକଙ୍କ ମନ ଧରିବାକୁ ଚେଷ୍ଟା କରିଥିଲେ।
ଆଜି ଏହି ମଞ୍ଚରେ କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କୁ ଭିନ୍ନ ଏକ ଭୂମିକାରେ ଦେଖିବାକୁ ମିଳିଥିଲା। ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜନ କରିବା ବଦଳରେ ଶ୍ରୀ ପ୍ରଧାନ ଯୁବକମାନଙ୍କୁ ଜନ ଆନ୍ଦୋଳନରେ ସାମିଲ ହେବା ପାଇଁ ଆହ୍ଵାନ ଦେଇଥିଲେ। ସ୍ୱଚ୍ଛତା, ଅପପୁଷ୍ଟି, ଖେଳପଡିଆ ଠାରୁ ଭାଷା ଯାଏ ପାଞ୍ଚଟି ପ୍ରସଙ୍ଗରେ ସରକାରଙ୍କ ଉପରେ ନିର୍ଭର ନ କରି ସମାଜ ଗଠନର ଦାୟିତ୍ୱ ନେବା ଲାଗି ପ୍ରବର୍ତାଇଥିଲେ।
ଶ୍ରୀ ପ୍ରଧାନ କହିଥିଲେ, ଓଡିଆ ସମାଜ ଶତାବ୍ଦୀ ଶତାବ୍ଦୀ ଧରି ସରକାରଙ୍କ ଉପରେ ନିର୍ଭରଶୀଳ ନ ହୋଇ ସମାଜ ପାଇଁ ସମ୍ବେଦନଶୀଳ ହୋଇ କାମ କରି ଆସିଛି । ଏହି କ୍ରମରେ ନୂଆ ଓଡିଶାକୁ ସ୍ୱଚ୍ଛ କରିବାକୁ ହେବ। ଗର୍ଭାବସ୍ଥାରୁ ଶିଶୁର ହଜାରେ ଦିନ ମଧ୍ୟରେ ପୁଷ୍ଟିହୀନତା ଶିକାର ହେବା ଏକ ଚ୍ୟାଲେଞ୍ଜ ଭାବେ ଉଭା ହୋଇଛି। ରାଜ୍ୟର ୨୦ଟି ଜିଲ୍ଲାରେ ଅପପୁଷ୍ଟିର ସ୍ଥିତି ଅତ୍ୟନ୍ତ ଉଦବେଗଜନକ ସ୍ଥିତିରେ ଅଛି। ଏଇଥିପାଇଁ ଶିଶୁ ମାନଙ୍କର ବୟସ ଅନୁସାରେ ଶାରୀରିକ ଓ ମାନସିକ ବିକାଶ ହୋଇ ପାରୁ ନାହିାଁ ଗର୍ଭବତୀ ମା’ ମାନଙ୍କୁ ସାଇ ପଡିଶା ବନ୍ଧୁବାନ୍ଧବ ସାଦ (ସୁଆଦ) ନାମରେ ପୁଷ୍ଟିକର ଖାଦ୍ୟ ଯୋଗାଇବାର ସାମାଜିକ ବ୍ୟବସ୍ଥାକୁ ଆଜି ବି ଗୁରୁତ୍ୱ ଦେଇ ଯୁବ ସମାଜ ଆଗେଇ ନେବା ପାଇଁ ଶ୍ରୀ ପ୍ରଧାନ ଆହ୍ଵାନ ଜଣାଇଥିଲେ।
କେନ୍ଦ୍ରମନ୍ତ୍ରୀ କହିଥିଲେ, ୧୪ ବର୍ଷ ଭିତରେ ରାଜ୍ୟର ୧ କୋଟି ୨୦ ଲକ୍ଷ ଶିଶୁ ଅଛନ୍ତି । ହେଲେ ଏମାନେ ଖେଳ ପଡିଆକୁ ନ ଯାଇ ମୋବାଇଲ ଫୋନରେ ମନୋରଂଜନର ରାସ୍ତା ବାଛୁଛନ୍ତି । ଏହି ପିଲା ମାନଙ୍କୁ ଖେଳ ପଡିଆଯାଏ ନେବାକୁ ଯୁବ ଶକ୍ତି ସଂକଳ୍ପ ନେଉ। ସେହିପରି ୧୫ରୁ ୧୯ ବର୍ଷ ଭିତରେ ୪୨ ଲକ୍ଷ ଓଡିଆ ପିଲା ଅଛନ୍ତି । ଏମାନଙ୍କ ସହିତ ସହ ବଡ ଭାଇ ଭଳି କଥା ହୋଇ ସେମାନଙ୍କର ମନୋସ୍ଥିତି ଓ ଉତ୍ସାହକୁ ଆଗକୁ ବଢାଇବା ପାଇଁ ସମୟ ଦିଆଯିବା ଉଚିତ୍। ସେହିପରି ଓଡିଆ ଭାଷା ଆଗାମୀ ପିଢି ମଧ୍ୟରେ ସଞ୍ଚରିତ ନ ହେଲେ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ସେନାନୀ ମାନଙ୍କର ସ୍ୱପ୍ନ ପରାଜିତ ହେବ ବୋଲି ସେ କହିଥିଲେ। ଏହି ଉତ୍ସବରେ ବିଶୁ ମହାରଣାଓ ଧର୍ମପଦଙ୍କର ଦାୟାଦ ଉପେନ୍ଦ୍ର ମହାରଣା ଶପଥ ପାଠ କରାଇ ଥିବା ବେଳେ ବକ୍ସି ଜଗବନ୍ଧୁଙ୍କ ଦାୟାଦ ଉପାସନା ମହାପାତ୍ର ମଞ୍ଚ ଉପରେ ଉପସ୍ଥିତ ଥିଲେ ।
ଉଲ୍ଲେଖଯୋଗ୍ୟ, ଭୋରରୁ ପୁରୀ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ଯୁବକମାନେ ସେଠକାର ସ୍ଥାନୀୟ ଠାକୁର ଠାକୁରାଣୀଙ୍କ ଆଜ୍ଞା ମାଳ ଆଣି କୋଣାର୍କରେ ପହଞ୍ଚିଥିଲେ। ଆୟୋଜକ ପ୍ରାଚୀ ଟ୍ରଷ୍ଟ୍ର ସଂପାଦକ ଲଳିତ ରଥ ଧନ୍ୟବାଦ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ସିନେ ତାରକା ତଥା ବିଜେପି ନେତ୍ରୀ ମହାଶ୍ୱେତା ରାୟ, ଅପରାଜିତା ମହାନ୍ତିଙ୍କ ସମେତ ରାଜ୍ୟ ବିଜେପିର ବରିଷ୍ଠ ନେତା ଓ ଅଧିକାଂଶ ପଦାଧିକାରୀ ଯୋଗଦେଇଥିଲେ। ଏମାନଙ୍କ ବ୍ୟତୀତ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଭାଇ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ର , ପୂର୍ବତନ ବିଧାୟକ ତଥା ବିଜେପି ନେତା ବାଇଧର ମଲ୍ଲିକ, ରମାରଂଜନ ବଳିୟାରସିଂ ,କାକଟପୁର ନିର୍ବାଚନ ମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ହୋଇଥିବା ପ୍ରଫେସର ତୁଷାରକାନ୍ତି ବେହେରା, କୋଣାର୍କ ଏନଏସି ବିଜେପି ଯୁବମୋର୍ଚ୍ଚାର ଗୋପୀନାଥ ସ୍ୱାଇଁ , ବୈକୁଣ୍ଠ ଦାଶଙ୍କ ସମେତ ଦଳର ବହୁ ବରିଷ୍ଠ ନେତୃବୃନ୍ଦ ଓ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।