ସମ୍ବଲପୁର: ଆସନ୍ତା ୨୩ ତାରିଖରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦିନିକିଆ ସମ୍ବଲପୁର ଜିଲ୍ଲା ଗସ୍ତରେ ଆସୁଛନ୍ତି। ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି, ଅମୃତ ମହୋତ୍ସବ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ସ୍ୱାଧୀନତା ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପୂଣ୍ୟ ଜୟନ୍ତୀରେ ତାଙ୍କ ଜନ୍ମ ମାଟି ସମ୍ବଲପୁର ଜିଲ୍ଲା ରେଙ୍ଗାଲି ବ୍ଲକ୍ ଖିଣ୍ଡା ଠାରେ ଅନୁଷ୍ଠିତ ପଦଯାତ୍ରାରେ ସାମିଲ ହେବା ସହ ସୁରେନ୍ଦ୍ର ସାଏଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ।
ପଦଯାତ୍ରାରେ ଯୋଗଦେବା ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ନେତାଜୀ ସୁବାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ଓ ପରାକ୍ରମ ଦିବସ ଉପଲକ୍ଷେ ସମ୍ବଲପୁରରେ ଆଇଆଇଏମ୍ ଓ ଆଇସିଏଚ୍ଆର୍ର ମିଳିତ ଉଦ୍ୟମ ଉଦ୍ୟମରେ ଆୟୋଜିତ ସେମିନାର ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପରେ ମା’ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବେ। ମାନେଶ୍ୱର ବ୍ଲକ୍ ଶାସନ ପରମାଣପୁର ଠାରେ ଆଞ୍ଚଳିକ ଧନୁଯାତ୍ରା ମହୋତ୍ସବ କମିଟି ପକ୍ଷରୁ ଅନୁଷ୍ଠିତ ଧନୁଯାତ୍ରା ସମାରୋହରେ କେନ୍ଦ୍ରମନ୍ତ୍ରୀ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ତଥା ପ୍ରବକ୍ତା ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି।