ଫସଲ ବୀମା ରାଶି ପ୍ରଦାନ ନେଇ ଅର୍ଥ ମନ୍ତ୍ରୀଙ୍କୁ ଭେଟିଲେ ଜୁଏଲ୍‌, ଧର୍ମେନ୍ଦ୍ର

ଖୁବ୍‌ ଶୀଘ୍ର ବୀମା ରାଶି ମିଳିବା ପ୍ରକ୍ରିୟା ଆରମ୍ଭ ହେବ : ଧର୍ମେନ୍ଦ୍ର

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାରେ ଓଡ଼ିଶାର ଚାଷୀମାନଙ୍କ ବକେୟା ରାଶି ପ୍ରଦାନକୁ ତ୍ୱରାନ୍ଵିତ କରିବା ପାଇଁ ଆଜି କେନ୍ଦ୍ର ଅର୍ଥ ବିଭାଗ ଦାୟିତ୍ୱରେ ଥିବା ମନ୍ତ୍ରୀ ପୀୟୁଷ ଗୋଏଲ୍‌ଙ୍କୁ ଭେଟିଛନ୍ତି କେନ୍ଦ୍ର ମନ୍ତ୍ରୀ ଜୁଏଲ୍‌ ଓରାମ ଓ ଧର୍ମେନ୍ଦ୍ର ପ୍ରଧାନ। ବୈଠକରେ କେନ୍ଦ୍ର କୃଷି ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀ, ଫାଇନାନ୍‌ସିଆଲ୍‌ ସର୍ଭିସେସ୍‌ ବିଭାଗର ଅଧିକାରୀ ତଥା ବୀମା କମ୍ପାନିର ପ୍ରତିନିଧିମାନେ ଉପସ୍ଥିତ ଥିଲେ।

ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ ଗଣମାଧ୍ୟମକୁ କହିଥିଲେ, ଓଡ଼ିଶାର ଚାଷୀମାନଙ୍କୁ ବୀମା ରାଶି ମିଳିବା ପ୍ରକ୍ରିୟା ଦୁଇ ତିନି ଦିନ ମଧ୍ୟରେ ଆରମ୍ଭ ହୋଇଯିବ। ଯେଉଁ ବୀମା ରାଶିକୁ ନେଇ ବିବାଦ ରହିଛି, ତାହାର ଶୀଘ୍ର ସମାଧାନ ନେଇ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଚାଷୀମାନଙ୍କୁ ଆଗାମୀ ୨୦/୨୫ ଦିନ ଭିତରେ ଏହି ରାଶି ମିଳିବ।

କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି, ଫସଲ ବୀମା ଯୋଜନାର ନିୟମ ଅନୁସାରେ ରାଜ୍ୟ ସରକାର ଟେଣ୍ଡର୍‌ କରି ବିଭିନ୍ନ ବୀମା କମ୍ପାନିକୁ ଏହି କାମ ଦେଇଥା’ନ୍ତି। ଦୁଇଟି ରାଷ୍ଟ୍ରାୟତ କମ୍ପାନି ଓ ଦୁଇ ଘରୋଇ କମ୍ପାନିକୁ କାମ ଦିଆଯାଇଥିଲା। କେନ୍ଦ୍ର ଓ ରାଜ୍ୟ ସରକାର ତାଙ୍କ ପ୍ରିମିୟମ୍‌ ଦେଇଥିଲେ। ମାତ୍ର ଫସଲକଟା ପରେ କିଛି ସମନ୍ଵୟ ଅଭାବରୁ ଚାଷୀମାନଙ୍କୁ ଫସଲ ବୀମା ମିଳିପାରି ନାହିଁ। ଚାଷୀ ଓ କିଛି କୃଷକ ସଂଗଠନର କର୍ମକର୍ତ୍ତା ଏ ସମ୍ପର୍କରେ ଅନୁରୋଧ କରିଥିଲେ। ତେଣୁ ଆଜି ଅର୍ଥ ମନ୍ତ୍ରୀଙ୍କ ସହ ବୈଠକ କରାଯାଇ ବୀମା ରାଶି ପ୍ରଦାନ କରିବା ପ୍ରକ୍ରିୟା ତ୍ୱରାନ୍ଵିତ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଗ୍ରିକଲ୍‌ଚରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନି ୧୫୬ କୋଟି ପ୍ରଦାନ କରିବାକୁ ଥିଲା ବେଳେ କମ୍ପାନି ସେଥି ମଧ୍ୟରୁ ୧୫୪ କୋଟି ଟଙ୍କା ପ୍ରଦାନ କରିସାରିଛି। ସେହିପରି ନ୍ୟାସ୍‌ନାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନି ଉପରେ ୭୯୮ କୋଟି ଟଙ୍କା ଦେବାକୁ ଥିଲା ବେଳେ ସେଥି ମଧ୍ୟରୁ ୧୯୯.୧୯ କୋଟି ଟଙ୍କା ପ୍ରଦାନ କରିଛି। ଖରିଫ୍‌-୨୦୧୭ ପାଇଁ ଦିଆଯିବାକୁ ଥିବା ୩୫୨ କୋଟି ଟଙ୍କା ପ୍ରଦାନ ପାଇଁ ପ୍ରକ୍ରିୟା ଶେଷ ପର୍ଯ୍ୟାୟରେ ରହିଛି। ସେହିପରି ବଳକା ୧୭୩ କୋଟି ଟଙ୍କାର ବୀମା ରାଶି ପ୍ରଦାନ ନେଇ ପ୍ରକ୍ରିୟାକୁ ମଧ୍ୟ ତ୍ୱରାନ୍ଵିତ କରାଯାଉଛି ଓ କିଛି ଦିନ ମଧ୍ୟରେ ଏହି ରାଶି ଚାଷୀମାନଙ୍କୁ ପ୍ରଦାନ କରାଯିବ। ବେସରକାରୀ କମ୍ପାନି ଟାଟା ଏଆଇଜି ଇନ୍‌ସ୍ୟୁରାନ୍ସ ଲିମିଟେଡ୍‌ ଓ ଚୋଳ ଜେନେରାଲ୍‌ ଇନ୍‌ସ୍ୟୁରାନ୍ସ କମ୍ପାନିର ଅଧିକାରୀମାନଙ୍କୁ ଡାକି ଚାଷୀଙ୍କୁ ବକେୟା ରାଶି ପ୍ରଦାନ କରିବାକୁ ତାଗିଦ୍‌ କରାଯିବ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।

ସମ୍ବନ୍ଧିତ ଖବର