କତାର ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କଲେ ଧର୍ମେନ୍ଦ୍ର ପ୍ରଧାନ : ଭାରତ-କତାର ହାଇଡ୍ରୋକାର୍ବନ୍ ସମ୍ପର୍କ ମଜବୁତ୍ ହେବ

ଭୁବନେଶ୍ବର : ପାଞ୍ଚ ଦିନିଆ ତ୍ରିରାଷ୍ଟ୍ରୀୟ ଗସ୍ତର ଶେଷ ଦିବସରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି କତାରର ପ୍ରଧାନମନ୍ତ୍ରୀ ଶେଖ୍ ଅବଦୁଲ୍ଲା ବିନ୍ ନାଜିର୍ ବିନ୍‌ଙ୍କ ସହ ଆଲୋଚନା କରିଛନ୍ତି। ହାଇଡ୍ରୋକାର୍ବନ କ୍ଷେତ୍ରରେ ଭାରତ ଓ କତାର ମଧ୍ୟରେ ପାରସ୍ପରିକ ସହଯୋଗକୁ ମଜବୁତ୍ କରିବା ପାଇଁ କତାର ପ୍ରଧାନମନ୍ତ୍ରୀ ସମ୍ମତି ଜଣାଇଥିବା ନେଇ ଶ୍ରୀ ପ୍ରଧାନ କହିଛନ୍ତି। ଆଲୋଚନା କାଳରେ ଦୁଇ ଦେଶ କ୍ରେତା-ବିକ୍ରେତା ସମ୍ପର୍କ ମାଧ୍ୟମରେ ହାଇଡ୍ରୋକାର୍ବନ କ୍ଷେତ୍ର କାର୍ଯ୍ୟକୁ ବୃଦ୍ଧି କରିବା ଉପରେ ଗୁରୁତ୍ବାରୋପ କରାଯାଇଥିଲା। ଭାରତରେ ବୃଦ୍ଧି ପାଉଥିବା ଗ୍ୟାସ୍ ଭିତ୍ତିଭୂମି ଉପରେ କତାରର ପୁଞ୍ଜିନିବେଶ ପ୍ରସଙ୍ଗ ଆଲୋଚନାରେ ସ୍ଥାନ ପାଇଥିଲା। ୨୦୧୯ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିଜୟ ପାଇଁ ଶ୍ରୀ ପ୍ରଧାନଙ୍କ ମାଧ୍ୟମରେ ମୋଦୀଙ୍କୁ କତାର ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଥିଲେ।

ଭାରତ ପାଇଁ କତାର ଦୀର୍ଘ ସମୟ ଧରି ଉର୍ଜା କ୍ଷେତ୍ରରେ ସହଯୋଗୀ ହୋଇ ରହିଛି। ଏହା ସହ ଭାରତକୁ ଏଲ୍‌ଏନ୍‌ଜି ଓ ଏଲ୍‌ପିଜି ଯୋଗାଣ କରିବାରେ କତାର ସର୍ବବୃହତ ଦେଶ। ଏହି ସମ୍ପର୍କକୁ ଆହୁରି ଦୃଢ଼ କରିବା ପାଇଁ ଶ୍ରୀ ପ୍ରଧାନ କତାରର ଶକ୍ତି ମନ୍ତ୍ରୀ ସାଦ୍ ଶେରୀଦା ଅଲ୍‌ କାବୀଙ୍କ ସମେତ ଅନ୍ୟ ପ୍ରତିନିଧିମାନଙ୍କୁ ଭେଟି ଆଲୋଚନା କରିଥିଲେ। କତାର ଠାରୁ ଏଲ୍‌ଏନ୍‌ଜି କ୍ରୟ କରିବା ପାଇଁ ଥିବା ବିଭିନ୍ନ ବ୍ୟବସ୍ଥା ଉପରେ ଆଲୋକପାତ କରିଥିଲେ। ଭାରତକୁ ଗ୍ୟାସ୍ ଆଧାରିତ ଅର୍ଥନୀତିରେ ପରିଣତ କରିବା ପାଇଁ ପରିବେଶକୁ ସୁହାଉଥିବା ଉର୍ଜାକୁ ବିକଶିତ କରିବା ଦିଗରେ କତାରକୁ ଭାରତ ସହଯୋଗ କରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ। ଏହା ବାଦ୍ ଗ୍ୟାସ୍ ରପ୍ତାନୀ ଦେଶ ଫୋରମ୍‌ର ସାଧାରଣ ସଚିବଙ୍କ ସହ ଅନ୍ତରାଷ୍ଟ୍ରୀୟ ଗ୍ୟାସ୍ ବଜାରର ସ୍ଥିତି ଓ ଉର୍ଜା ଉପରେ ଆଲୋଚନା କରିଥିଲେ। ଭାରତରେ ଗ୍ୟାସ୍ ବଜାରର ଅଧିକ ଅନୁଧ୍ୟାନ କରିବା ପାଇଁ ଶ୍ରୀ ପ୍ରଧାନ ଫୋରମ୍‌ର ସହଯୋଗ ଲୋଡ଼ିଥିଲେ।

ସମ୍ବନ୍ଧିତ ଖବର