ଭୁବନେଶ୍ବର: ରାଜ୍ୟ ସରକାର ହକି ବିଶ୍ୱକପ ଆୟୋଜନ କରିବାକୁ ନେଇ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନ ପ୍ରଶଂସା କରିଥିବା ବେଳେ ଏନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର।
ରାଜ୍ୟ ସରକାରଙ୍କୁ ଟାର୍ଗେଟ କରି ବିରୋଧୀ ଦଳ ନେତା କହିଛନ୍ତି ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନା ଅନ୍ତର୍ଜାତୀୟ ହକି ଫେଡେରେସନର ସଭାପତି? ନବୀନ ପଟ୍ଟନାୟକ ବାରମ୍ବାର ହକି ବିଶ୍ୱକପ ଆୟୋଜନ କରି କାହିଁକି ଅଯଥା ଶ୍ରେୟ ନେବାକୁ ଚାହୁଁଛନ୍ତି ?
ସେ ଆହୁରି କହିଛନ୍ତି, ପ୍ରଚାରପ୍ରସାରକୁ ଦେଖି ଲାଗୁଛି ଓଡ଼ିଶାର ମୁଖ୍ୟମନ୍ତ୍ରୀ ଏଠି ବଡ଼ ହେଇ ଯାଇଛନ୍ତି, ହକି ଫେଡେରେସନ ଗୌଣ ହେଇଯାଇଛି। ଗତଥର ହକି ବିଶ୍ୱକପ ଓଡ଼ିଶା ଆୟୋଜନ କରିଥିଲା। ପୁଣି ଚଳିତ ବର୍ଷ ଆୟୋଜନ କରିବାର କଣ ଆବଶ୍ୟକ ଥିଲା? ହକି ଫେଡେରେସନ ଆୟୋଜନ କରିବା କଥା କେବଳ ଓଡ଼ିଶା ସରକାର ସମର୍ଥନ କରିବା କଥା।
ରାଜ୍ୟରେ ଅପପୁଷ୍ଟିର ଭୟଙ୍କର ସ୍ଥିତି ରହିଛି। ଓଡ଼ିଶାରେ ଭିଟାମିନ ଚାଉଳ ମିଳୁନି। ଏପରି ସ୍ଥିତିରେ କାହିଁକି ବାରମ୍ବାର ହକି ବିଶ୍ୱକପ ଆୟୋଜନ କରାଯାଉଛି ବୋଲି ପ୍ରଶ୍ନ କରିଛନ୍ତି ଜୟ ନାରାୟଣ।
ଯଦି ବାସ୍ତବରେ ସରକାରଙ୍କ ହକି ପ୍ରୀତି ଅଛି ତେବେ କାହିଁକି ଆଜି ପର୍ଯ୍ୟନ୍ତ ରାଜ୍ୟରେ ହକି ଭିତ୍ତିଭୂମି ସୁଦୃଢ଼ ହୋଇ ପାରିନି। ସିନିୟର ଟିମରେ କାହିଁକି ଧୀରେ ଧୀରେ ଓଡ଼ିଆ ଖେଳାଳିଙ୍କ ସଂଖ୍ୟା କମୁଛି। ଜୁନିଅର ଟିମରେ ବି ସ୍ଥିତି ଖରାପ । ମୁଖ୍ୟମନ୍ତ୍ରୀ ହକି ଷ୍ଟାଡିୟମ ଉଦଘାଟନ ନାଁରେ ରାଜନୀତି ନ କରନ୍ତୁ। ହକି ଆୟୋଜନ ନାଁ ରେ ଦଳୀୟ ପ୍ରଚାର ପ୍ରସାର କରାନଯାଉ।