ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କଲେ ଧର୍ମେନ୍ଦ୍ର: ରାଜ୍ୟ ସରକାର ଏସ୍‌ଇବିସି, ଓବିସିଙ୍କୁ ସାମ୍ବିଧାନିକ ଅଧିକାର ପ୍ରଦାନ କରନ୍ତୁ

୬ ମାସ ତଳେ ଦେଇଥିବା ଚିଠି କଥା ମନେ ପକାଇଲେ

ଭୁବନେଶ୍ବର: ଏସ୍‌ଇସିବି ଓ ଓବିସିଙ୍କ ଜନଗଣନା ପାଇଁ କେନ୍ଦ୍ରକୁ ପ୍ରସ୍ତାବ ଦେବା ନିମନ୍ତେ ଗତକାଲି ରାଜ୍ୟ କ୍ୟାବିନେଟ୍‌ରେ ସଂକଳ୍ପ ପାରିତ ହୋଇଥିଲା। ଆଜି ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟ ସରକାରଙ୍କ ପ୍ରସ୍ତାବକୁ କେନ୍ଦ୍ର ସରକାର ଆଲୋଚନା କରି ନିଷ୍ପତ୍ତି ନେଇ ପାରନ୍ତି। କିନ୍ତୁ ଦୀର୍ଘ ୩୦ ବର୍ଷ ଧରି ଏସ୍‌ଇବିସି ଓ ଓବିସି ବର୍ଗର ଜନସାଧାରଣ ଯେଉଁ ସାମ୍ବିଧାନିକ ଅଧିକାର ପାଇବାରୁ ବଞ୍ଚିତ ଅଛନ୍ତି, ସେମାନଙ୍କୁ ପ୍ରଥମେ ସେମାନଙ୍କ ଅଧିକାର ଦେବା ପାଇଁ ପଦକ୍ଷେପ ନେବାକୁ ରାଜ୍ୟ ସରକାରଙ୍କୁ ଶ୍ରୀ ପ୍ରଧାନ ଆହ୍ବାନ କରିଛନ୍ତି।
୨୦୧୯ ଜୁଲାଇରେ ରାଜ୍ୟ ସରକାରଙ୍କୁ ଶ୍ରୀ ପ୍ରଧାନ ଏହି ପ୍ରସଙ୍ଗରେ ଏକ ଚିଠି ଲେଖିଥିବା କଥା ମନେ ପକାଇ ଦେଇଛନ୍ତି। ଏହି ଚିଠିରେ ସେ ଉଲ୍ଲେଖ କରିଥିଲେ, ଓଡ଼ିଶାରେ ଓବିସି ଓ ଏସ୍‌ଇବିସି ବର୍ଗ ରାଜ୍ୟ ଜନସଂଖ୍ୟାର ଏକ ପ୍ରମୁଖ ବର୍ଗ ଓ ଏହା ମଧ୍ୟରୁ ଅନେକ ଦାରିଦ୍ର୍ୟ ଓ ଅଶିକ୍ଷା ମଧ୍ୟରେ କାଳାତିପାତ କରୁଛନ୍ତି। ଓଡ଼ିଶା ସରକାର ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନରେ ଓବିସିମାନଙ୍କୁ ସଂରକ୍ଷଣ ସୁବିଧା ଦେଉ ନ ଥିବା ବେଳେ ଏସ୍‌ଇବିସିମାନଙ୍କୁ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ସୁବିଧା ଦେଉ ନାହାନ୍ତି। ଉଭୟ ଓବିସି ଓ ଏସ୍‌ଇବିସି ବର୍ଗର ଲୋକମାନେ ଉଚ୍ଚଶିକ୍ଷା ଓ ଚାକିରି କ୍ଷେତ୍ରରେ ଯୋଗ ଦେବାରୁ ବଞ୍ଚିତ ହେଉଛନ୍ତି। ଏହା ପଛରେ ସେମାନଙ୍କର ସାମାଜିକ ଓ ଆର୍ଥିକ ପଛୁଆ ପରିସ୍ଥିତି ଦାୟୀ। ଏମାନଙ୍କୁ ସରକାରୀ ଚାକିରି କ୍ଷେତ୍ରରେ ବିଶେଷ ସୁବିଧା ଉପଲବ୍ଧ କରାଇବା ଜରୁରୀ। ସମ୍ବିଧାନର ଧାରା ୧୫(୪) ଓ ୧୬(୪) ଅନୁସାରେ ଭାରତ ସରକାର ଓବିସି ବର୍ଗଙ୍କୁ ସରକାରୀ ଚାକିରି ଓ ଶିକ୍ଷାନୁଷ୍ଠାନର ୨୭ ପ୍ରତିଶତ ସଂରକ୍ଷଣର ବ୍ୟବସ୍ଥା କରିଛନ୍ତି। ଏହି ସଂରକ୍ଷଣ ବ୍ୟବସ୍ଥାକୁ ସୁପ୍ରିମକୋର୍ଟ ମଧ୍ୟ ମାନ୍ୟତା ପ୍ରଦାନ କରିଛନ୍ତି। ଅନେକ ରାଜ୍ୟ ସରକାର ଜନସଂଖ୍ୟାର ଏପରି ଏକ ବର୍ଗ ପାଇଁ ଅଧିକ ସଂରକ୍ଷଣ ବ୍ୟବସ୍ଥା ଲାଗୁ କରିଛନ୍ତି ବୋଲି ସେହି ପତ୍ରରେ ଶ୍ରୀ ପ୍ରଧାନ ଦର୍ଶାଇଥିଲେ। ଗଣମାଧ୍ୟମକୁ କେନ୍ଦ୍ର ମନ୍ତ୍ରୀ ଆହୁରି କହିଲେ ଯେ ଏସ୍‌ଇବିସି ଓ ଓବିସିଙ୍କୁ ସାମ୍ବିଧାନିକ ନିୟମ ଅନୁସାରେ ସଂରକ୍ଷଣ ଦିଆଯାଇଛି। କିନ୍ତୁ ଓଡ଼ିଶାରେ ତାହା ମିଳୁ ନାହିଁ। ରାଜ୍ୟ ସରକାର ପ୍ରଥମେ ଏହି ବ୍ୟବସ୍ଥା ଲାଗୁ କରନ୍ତୁ।

ସମ୍ବନ୍ଧିତ ଖବର