ମାହାଙ୍ଗା ମର୍ଡର ଘଟଣା: ଧର୍ମେନ୍ଦ୍ର କହିଲେ- ‘ଓଡିଶା ସରକାରଙ୍କ ଦିନ କାଳ ସରି ସରି ଆସୁଛି’

ଭୁବନେଶ୍ବର: ବହୁଚର୍ଚ୍ଚିତ କଟକ ଜିଲ୍ଲା ମାହାଙ୍ଗା ଡବଲ ମର୍ଡର ଘଟଣାକୁ ବର୍ଷେ ବିତି ଯାଇଥିବାବେଳେ କୁଳମଣି ସ୍ମୃତି ସଂସଦ ପକ୍ଷରୁ ଆୟୋଜିତ କୁଳମଣି ବରାଳ ଓ ଦିବ୍ୟସିଂହ ବରାଳଙ୍କ ପ୍ରଥମ ବାର୍ଷିକ ସ୍ମୃତି ସଭାରେ ଭିସି ଜରିଆରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରି ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଖୁବ କଡାକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଗରିବ ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଅତ୍ୟାଚାର ବିରୋଧରେ ସ୍ୱର ଉତ୍ତୋଳନ କରୁଥିବା କୁଳମଣି ବରାଳଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ ବୋଲି କହିଛନ୍ତି ଧର୍ମେନ୍ଦ୍ର । ଏପରିକି ଓଡିଶା ସରକାରଙ୍କ ଦିନକାଳ ସରି ସରି ଆସୁଥିବା ସେ କହିଛନ୍ତି ।

ତେବେ ହତ୍ୟାକାଣ୍ଡକୁ ବର୍ଷେ ବିତି ଯାଇଥିଲେ ମଧ୍ୟ କୁଳମଣିଙ୍କ ପରିବାର ଓ ତାଙ୍କୁ ଭଲ ପାଉଥିବା ଲୋକ ଏବେ ବି ନ୍ୟାୟ ଅପେକ୍ଷାରେ ରହିଛନ୍ତି । ତେଣୁ ସ୍ମୃତିସଭା ଜରିଆରେ ସେ ନୂଆ ଡିଜିପିଙ୍କୁ ଅନୁରୋଧ କରିଛନ୍ତି, ଘଟଣାର ନିରପେକ୍ଷ ତଦନ୍ତ କରି ପ୍ରକୃତ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ । ଖାଲି ସେତିକି ନୁହେଁ, ପୁରା ମାମଲାରେ ସ୍ଥାନୀୟ ବିଧାୟକ ତଥା ଆଇନମନ୍ତ୍ରୀ ପ୍ରତାପ ଜେନାଙ୍କ ନାଁ ନନେଇ ଖୁବ କଡା ଟିପ୍ପଣୀ କରିଛନ୍ତି କେନ୍ଦ୍ରମନ୍ତ୍ରୀ । ନ୍ୟାୟ ବ୍ୟବସ୍ଥା ଉପରେ ରାଜ୍ୟ ସରକାର ଭରସା ନକରିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ଧର୍ମେନ୍ଦ୍ର ପ୍ରଧାନ ।

ତେବେ ମହାଙ୍ଗାର ନୃତାଙ୍ଗରେ ସ୍ୱର୍ଗତ କୁଳମଣି ବରାଳଙ୍କ ଏକ ପ୍ରତିମୂର୍ତି ଅନାବରଣ ହୋଇଛି । ତାଙ୍କ ସ୍ମୃତି ସଭାରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଦିଲ୍ଲୀରୁ ଭିସି ଯୋଗେ ଯୋଡି ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ପୂର୍ବତନ ବ୍ଲକ ଅଧ୍ୟକ୍ଷ କୁଳମଣି ବରାଳଙ୍କ ହତ୍ୟାକାଣ୍ଡକୁ ନେଇ ରାଜ୍ୟ ସରକାରଙ୍କ ବିରୋଧରେ ବାରମ୍ବାର ଆନ୍ଦୋଳନକୁ ଓହ୍ଲାଇଛି ରାଜ୍ୟ ବିଜେପି । ପ୍ରଧାନମନ୍ତ୍ରୀ ଆବାସ ଦୁର୍ନୀତି ସହ କୁଳମଣିଙ୍କ ହତ୍ୟା ପ୍ରସଙ୍ଗ ଯୋଡି ହୋଇରହିଥିବାରୁ ଏହାକୁ ନେଇ ଦଳ ସଂଗ୍ରାମ ଜାରି ରଖିବ ବୋଲି ସଂକଳ୍ପ କରିଛି ।
ସମ୍ବନ୍ଧିତ ଖବର