ଭୁବନେଶ୍ବର : ଭୁବନେଶ୍ବର ଓ ୟୁଏଇସ୍ଥିତ ରାସ-ଅଲ-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ୍ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଶ୍ରୀ ପ୍ରଧାନ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଭୁବନେଶ୍ବର ବିମାନବନ୍ଦର ଅନ୍ତର୍ଜାତୀୟ ବିମାନ ବନ୍ଦର ହେବା ପରେ ୨୦୧୫ରୁ ବିଦେଶୀ ଯାତ୍ରୀ ତଥା ପର୍ଯ୍ୟଟକ ଓ ଏନ୍ଆରଆଇଙ୍କ ସଂଖ୍ୟା ବଢ଼ିଛି। ଭୁବନେଶ୍ବରରୁ ୟୁଏଇସ୍ଥିତ ରାସ-ଅଲ-ଖଇମା ସହର ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ କରିବା ପାଇଁ ଏନ୍ଆରଆଇ ଓ ମଧ୍ୟପ୍ରାଚ୍ୟ ଦେଶ ଗୁଡ଼ିକରେ କାମ କରୁଥିବା ଓଡ଼ିଆ ଲୋକଙ୍କ ଦୀର୍ଘଦିନରୁ ଦାବି ରହିଛି। ଏହି ବ୍ୟବସ୍ଥା ହେଲେ ବିଶେଷଭାବେ ଆବୁଧାବି, ଦୁବାଇ, ଶାରଜାହ, ରିଆଦ୍, ବାହାରିନ୍ ଓ ଅନ୍ୟାନ୍ୟ ଉପସାଗରୀୟ ଦେଶଗୁଡ଼ିକରେ କାମ କରୁଥିବା ଅଧିକ ସଂଖ୍ୟକ ଓଡ଼ିଆ ଲୋକ ଉପକୃତ ହେବେ।
ଏବେ ଏୟାର ଏସିଆ ଦ୍ବାରା ପରିଚାଳିତ ହେଉଥିବା ଏକମାତ୍ର ଅନ୍ତର୍ଜାତୀୟ ବିମାନ ସିଧାସଳଖ ଭୁବନେଶ୍ବରୁ ମ୍ୟାଲେସିଆର କ୍ବାଲାଲାମ୍ପୁର ପର୍ଯ୍ୟନ୍ତ ଚଳାଚଳ କରୁଛି। ଏବେ ଭୁବନେଶ୍ବର ବିମାନବନ୍ଦର ଦେଶର ଦ୍ରୁତ ଗତିରେ ବଢ଼ୁଥିବା ବିମାନବନ୍ଦର ମଧ୍ୟରୁ ଅନ୍ୟତମ। ୨୦୧୭/୧୮ରେ ଯାତ୍ରୀ ହାର ୪୧ ପ୍ରତିଶତ ବୃଦ୍ଧି ପାଇ ୩୨ଲକ୍ଷରୁ ଅଧିକ ପହଞ୍ଚିଛି। ଯାତ୍ରୀ ସୁବିଧା ଓ ବିମାନ ବନ୍ଦର ସଂପ୍ରସାରଣ ପ୍ରକଳ୍ପ ଏବେ କାର୍ଯ୍ୟାଧୀନ ଥିବା ବେଳେ ଆଗାମୀ ଦିନରେ ଏହି ସୁବିଧା ଭୁବନେଶ୍ବର ବିମାନବନ୍ଦର ବିମାନ ସେବାକୁ ଗତି ପ୍ରଦାନ କରିବ। ଶ୍ରୀ ପ୍ରଧାନ ପତ୍ରରେ ଆହୁରି ଉଲ୍ଲେଖ କରିଛନ୍ତି ଯେ, ରାସ-ଅଲ-ଖଇମାରେ ନୂଆ ବିମାନ ସେବା ପାଇଁ ସ୍ପାଇସ ଜେଟ୍ ଓ ୟୁଏଇ ମଧ୍ୟରେ ବୁଝାମଣା ପତ୍ର ବା ଏମ୍ଓୟୁ ସ୍ବାକ୍ଷରିତ ହୋଇଛି। ଭୁବନେଶ୍ବରରୁ ରାସ-ଅଲ-ଖାଇମା ମଧ୍ୟରେ ସଂଯୋଗ ପାଇଁ ସ୍ପାଇସ ଜେଟ୍କୁ ମଧ୍ୟ ସୁପାରିସ କରିବା ପାଇଁ ସେ ବିଭାଗୀୟ ମନ୍ତ୍ରୀଙ୍କ ସହଯୋଗ ଲୋଡ଼ିଛନ୍ତି।