୪ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଅନୁଷ୍ଠାନ ନିର୍ଦ୍ଦେଶକଙ୍କ ସହ ଧର୍ମେନ୍ଦ୍ରଙ୍କ ଆଲୋଚନା

କୋଭିଡ୍‌ ପରିଚାଳନାରେ କେନ୍ଦ୍ରୀୟ ସଂସ୍ଥାଙ୍କ ଭୂମିକାକୁ ପ୍ରଶଂସା

ଭୁବନେଶ୍ୱର : ଓଡ଼ିଶାରେ କୋଭିଡ୍‌ ପରିଚାଳନାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଥିବା କେନ୍ଦ୍ର ସରକାରଙ୍କ ଚାରିଟି ସ୍ବାସ୍ଥ୍ୟ ଅନୁଷ୍ଠାନର ନିର୍ଦ୍ଦେଶକମାନଙ୍କ ସହ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଆଲୋଚନା କରିଛନ୍ତି। ଭୁବନେଶ୍ବରରେ ହୋଇଥିବା ଏହି ବୈଠକରେ ଭୁବନେଶ୍ବର ଏମ୍‌ସ୍‌ ନିର୍ଦ୍ଦେଶିକା ଗୀତାଞ୍ଜଳି ବ୍ୟାଟ୍‌ମ୍ୟାନ୍‌ଆବାନେ, ଆର୍‌ଏମ୍‌ଆର୍‌ସି ନିର୍ଦ୍ଦେଶିକା ସଂଘମିତ୍ରା ପତି, ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ ଅଜୟ କୁମାର ପରିଡ଼ା ଓ ପଶୁସମ୍ପଦ ମନ୍ତ୍ରଣାଳୟ ଅଧୀନରେ ଥିବା ଇଣ୍ଟର୍‌ନ୍ୟାସ୍‌ନାଲ୍‌ ସେଣ୍ଟର୍‌ ଫର୍‌ ଫୁଡ୍‌ ଆଣ୍ଡ୍‌ ମାଉଥ୍‌ ଡିଜିଜ୍ (ଆଇସିଏଫ୍‌ଏମ୍‌ଡି)ର ବିଶେଷଜ୍ଞ ଉପସ୍ଥିତ ଥିଲେ। ଓଡ଼ିଶାରେ କୋଭିଡ୍‌ ପରିଚାଳନା ଓ ମୁକାବିଲା ଏବଂ ଏ ଦିଗରେ ନିଆଯାଇଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଥିଲା।

ବୈଠକ ପରେ ଗଣମାଧ୍ୟମକୁ ଶ୍ରୀ ପ୍ରଧାନ କହିଥିଲେ ଯେ ଏହି ଚାରିଟି ସଂସ୍ଥା ରାଜ୍ୟ ସରକାରଙ୍କ ସହ ମିଶି ଭଲ କାମ କରୁଛନ୍ତି। ଓଡ଼ିଶାରେ ଥିବା କେନ୍ଦ୍ରୀୟ ପିଏସ୍‌ୟୁ ଆଇଓସିଏଲ୍‌, ଏମ୍‌ସିଏଲ୍‌, ଏନ୍‌ଟିପିସି, ସେଲ୍‌ ଓ ପାରାଦୀପ ପୋର୍ଟ ରାଜ୍ୟରେ କୋଭିଡ୍‌ ହସ୍ପିଟାଲ୍‌ ଓ ଟେଷ୍ଟିଂ ଲାବରୋଟାରି ପ୍ରତିଷ୍ଠାନରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଛନ୍ତି। ଏହି କେନ୍ଦ୍ରୀୟ ସଂସ୍ଥାଗୁଡ଼ିକ ଓଡ଼ିଶାରେ ଥିବା ଆବଶ୍ୟକତାକୁ ପୂରଣ କରୁଛନ୍ତି। କରୋନା ଯୋଦ୍ଧାମାନେ ବହୁତ ଭଲ କାମ କରୁଛନ୍ତି। ବର୍ତ୍ତମାନ ସମୟରେ କରୋନା ଟୀକା ନ ଆସିବା ପର୍ଯ୍ୟନ୍ତ ମାସ୍କ ପିନ୍ଧିବା, ସାମାଜିକ ଦୂରତା ବଜାୟ ରଖିବା ଓ ହାତ ଧୋଇବା ପାଇଁ ଶ୍ରୀ ପ୍ରଧାନ ରାଜ୍ୟବାସୀଙ୍କୁ ଅନୁରୋଧ କରିଥିଲେ।

ସମ୍ବନ୍ଧିତ ଖବର