ଚାଷୀଙ୍କୁ କଳାକନା ବୁଲାଇବା ପରେ ‘କାଳିଆ’ ଯୋଜନା :ଧର୍ମେନ୍ଦ୍ର

କେନ୍ଦ୍ର ମନ୍ତ୍ରୀ ଦାୟିତ୍ବହୀନ ମନ୍ତବ୍ୟ ଦେଉଛନ୍ତି : ବିଜେଡି

ଭୁବନେଶ୍ବର : ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ‘କାଳିଆ’ ଯୋଜନାକୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ରାଜ୍ୟରେ ଦୀର୍ଘ ଦିନର ବିଜେଡି ଶାସନରେ ଚାଷୀଙ୍କୁ କଳା କନା ବୁଲାଇ ଦିଆଯାଇଛି। ଏହା ପରେ ଚାଷୀଙ୍କୁ ସହଯୋଗର ହାତ ବଢ଼ାଇବା ପାଇଁ କାଳିଆ ଯୋଜନା ବୁଢ଼ା ବାଘର କଙ୍କଣ ଦାନ ଉପଖ୍ୟାନ ପରି ଲାଗୁଛି ବୋଲି କଟାକ୍ଷ କରିଛନ୍ତି ଶ୍ରୀ ପ୍ରଧାନ।

ସୋସିଆଲ ମିଡିଆରେ କେନ୍ଦ୍ର ମନ୍ତ୍ରୀ ଉଲ୍ଲେଖ କରିଛନ୍ତି, ଓଡ଼ିଶାର ଚାଷୀମାନେ ଆଜି ୧୯ ବର୍ଷର ନବୀନ ସରକାରଙ୍କୁ ଜବାବ ମାଗୁଛନ୍ତି। ଏବେ ବି ରାଜ୍ୟରେ ୯୦ରୁ ଅଧିକ ବ୍ଲକ୍‌ରେ ୩୫ ପ୍ରତିଶତରୁ କମ୍ ଜଳସେଚନ ସୁବିଧା ଉପଲବ୍ଧ ଅଛି। ଏହା ହେଉଛି ରାଜ୍ୟ ବିଧାନସଭାରେ ସରକାରଙ୍କ ସ୍ବୀକାରୋକ୍ତି। ଜଳସେଚନ ନେଇ ସରକାର ବିଭିନ୍ନ ସମୟରେ ଦେଇଥିବା ପ୍ରତିଶ୍ରୁତି ରଖି ନାହାନ୍ତି। ରାଜ୍ୟରେ ମାତ୍ର ୫ଟି ସରକାରୀ ଶୀତଳ ଭଣ୍ଡାର ଅଛି, ଯାହାର କ୍ଷମତା ହେଉଛି ମାତ୍ର ୧୮,୫୦୦ ମେଟ୍ରିକ୍ ଟନ୍। ରାଜ୍ୟରେ ୨୦୦୦ ମସିହା ବେଳକୁ ସମବାୟ ବିଭାଗର ୫ଟି ସଚଳ ଓ ୧୨ଟି ଅଚଳ ଶୀତଳ ଭଣ୍ଡାର ଥିଲା। ଏବେ ସେଇ ସମାନ ୫ଟି ସଚଳ ଓ ୧୩ଟି ଅଚଳ ଶୀତଳ ଭଣ୍ଡାର ଥିବା ରାଜ୍ୟ ସରକାର ବିଧାନସଭାରେ କହିଛନ୍ତି। ୧୯ ବର୍ଷ ଶାସନ ପରେ ମଧ୍ୟ କୃଷି ଉତ୍ପାଦନର ସଂରକ୍ଷଣ ବ୍ୟବସ୍ଥା‌ ହୋଇ ନ ପାରିବା ଅପାରଗତାର ପ୍ରମାଣ। ବିଭିନ୍ନ ଜିଲ୍ଲାରେ କେତେ ଜଣ ଭୂମିହୀନ ଲୋକ ଭାଗଚାଷ କରି ଜୀବିକା ନିର୍ବାହ କରୁଛନ୍ତି, ଏହାର ତଥ୍ୟ ସରକାରଙ୍କ ପାଖେ ନାହିଁ। ଏକଥା ରାଜ୍ୟ ସରକାର ନିଜେ ବିଧାନସଭାରେ ମାନିଛନ୍ତି। ଏବେ କେଉଁ ଆଧାରରେ ଭାଗଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ଦେବେ ? ବିନା ଭାଗ ଚାଷୀ ଗଣନାରେ ଏହି ଯୋଜନାକୁ କିପରି ପ୍ରଣୟନ କରିବେ ?

ଶ୍ରୀ ପ୍ରଧାନ ଆହୁରି କହିଛନ୍ତି, ଜଣେ ଚାଷୀର ଚାଷରୁ ଆୟ‌େର ଓଡ଼ିଶା ହେଉଛି ଦେଶର ତଳ ଆଡ଼ୁ ଦ୍ବିତୀୟ। ମାସକୁ ମାତ୍ର ୧୪୦୭ ଟଙ୍କା ହେଉଛି ଜଣେ ଓଡ଼ିଆ ଚାଷୀର ରୋଜଗାର। ସଦ୍ୟ ଅର୍ଥନୈତିକ ସର୍ଭେ ରିପୋର୍ଟ କରୁଛି ଯେ ଓଡ଼ିଶାର ପାଖାପାଖି ୭୦ ପ୍ରତିଶତ ଲୋକ କୃଷି ଓ କୃଷି ସମ୍ପର୍କିତ କାମରେ ନିୟୋଜିତ ଥିଲା ବେଳେ ‌େସମାନଙ୍କର ଅର୍ଥନୀତିରେ ଯୋଗଦାନ ମାତ୍ର ୧୫ ପ୍ରତିଶତ। ୧୯ ବର୍ଷର ଶାସନ ପରେ କୃଷକର ଦୁର୍ବଳ ଆର୍ଥିକ ସ୍ଥିତି ପାଇଁ କାହିଁକି ମୁଖ୍ୟମନ୍ତ୍ରୀ ଉତ୍ତରଦାୟିତ୍ବ ନେବେ ନାହିଁ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରଶ୍ନ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀଙ୍କ ଏହି ସମାଲୋଚନାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି ବିଜେଡି। ଶ୍ରୀ ପ୍ରଧାନଙ୍କ ଏପରି ମନ୍ତବ୍ୟ ତାଙ୍କର ଅଜ୍ଞତାକୁ ପ୍ରକାଶ କରୁଛି ବୋଲି ଦଳ ପକ୍ଷରୁ କୁହାଯାଉଛି। ମୁଖପାତ୍ର ସସ୍ମିତ ପାତ୍ର କହିଛନ୍ତି, କେନ୍ଦ୍ର ମନ୍ତ୍ରୀ ଭାବେ ଏକ ଦାୟିତ୍ବପୂର୍ଣ୍ଣ ପଦବିରେ ରହି ଦାୟିତ୍ବହୀନ ମନ୍ତବ୍ୟ ଦେବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। କାଳିଆ ଯୋଜନା ଓଡ଼ିଶାର ଚାଷୀଙ୍କ ଜୀବନ ଓ ଜୀବିକାକୁ ବିକଶିତ କରିବାରେ ସହାୟ ହେବ। ରାଜ୍ୟ ସରକାର ଗତକାଲି କାଳିଆ ଯୋଜନାର ସମ୍ପୂଣ୍ଣ ବିବରଣୀ ଦେଇଥିଲା ବେଳେ ସେଥିରେ ଦର୍ଶାଯାଇଥିବା ତଥ୍ୟକୁ କେନ୍ଦ୍ର ମନ୍ତ୍ରୀ ବୋଧହୁଏ ପଢ଼ି ନାହାନ୍ତି। ସେଥି ପାଇଁ ଏପରି ହାସ୍ୟାସ୍ପଦ ଓ ଅପ୍ରାସଙ୍ଗିକ ମନ୍ତ୍ୟ ଦେଇଛନ୍ତି।

ସମ୍ବନ୍ଧିତ ଖବର