ଭୁବନେଶ୍ବର : ରାଜ୍ୟରେ ବାରମ୍ବାର ହିଂସା ବଢ଼ିବାରେ ଲାଗିଥିବା ବେଳେ ଓଡ଼ିଶାର ଗଣତନ୍ତ୍ରର କଣ୍ଠରୋଧ କରିବାକୁ ବିଜେଡି ଷଡ଼ଯନ୍ତ୍ର କରୁଛି। ଏଠାକାର ମୁଖ୍ୟ ନିର୍ବାଚନ ଅଧିକାରୀ ଏଥିରେ ସାମିଲ ହୋଇଥିବା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ବଡ଼ ବଡ଼ ନେତାମାନେ ଏହି ହିଂସାକୁ ପ୍ରୋତ୍ସାହନ ଦେଉଛନ୍ତି। ଭୁବନେଶ୍ବର ମଧ୍ୟ ନିର୍ବାଚନମଣ୍ଡଳୀର ବିଜେପି ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଗାଡ଼ି ଉପରକୁ ବୋମା ମାଡ଼ କରାଯିବା ଘଟଣାରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହା କହିଛନ୍ତି।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ଶାସକ ଦଳର ପ୍ରାର୍ଥୀମାନଙ୍କର ଭୁବନେଶ୍ବରରେ ନିଶ୍ଚିତ ହାରିବା ସମ୍ଭାବନା ଦେଖାଯାଇଛି। ଏଥିରୁ ମୁହଁ ଲୁଚାଇବା ପାଇଁ ବାରମ୍ବାର ବିଜେପି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରାଯାଉଛି। ଭୁବନେଶ୍ବର ଲୋକସଭା ନିର୍ବାଚନମଣ୍ଡଳୀକୁ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବିଜେପି କାର୍ଯ୍ୟକର୍ତ୍ତା ମଙ୍ଗୁଳି ଜେନାଙ୍କୁ ହତ୍ୟା କରାଗଲା। ସେହିପରି ବିଜେପି ପ୍ରାର୍ଥିନୀ ଅପରାଜିତା ମହାନ୍ତିଙ୍କୁ ବାରମ୍ବାର ଆକ୍ରମଣ କରାଯାଇଥିବା ବେଳେ ଆଜି ଦଳର ବିଧାୟକ ପ୍ରାର୍ଥୀ ଜଗନ୍ନାଥ ପ୍ରଧାନଙ୍କ ଉପରେ ତୃତୀୟ ଥର ଆକ୍ରମଣ ହୋଇଛି।
ଶ୍ରୀ ପ୍ରଧାନ ଆହୁରି ମଧ୍ୟ କହିଛନ୍ତି ଯେ, ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ପକ୍ଷପାତିତା କରୁଛନ୍ତି। ମଙ୍ଗୁଳି ଜେନା ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ନିର୍ବାଚନ ଆୟୋଗ କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଲେ। ମାତ୍ର ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ନିଆଗଲା କି ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି। ଏହି ହତ୍ୟା ମାମଲାରେ ସଂଶ୍ଳିଷ୍ଟ ଥିବା କାହାରିକୁ ଗିରଫ କରାଯାଇ ନାହିଁ ବୋଲି ମଧ୍ୟ ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି। ସାମ୍ବିଧାନିକ ଦାୟିତ୍ବ ଥିବା କାରଣରୁ ଓଡ଼ିଶାବାସୀଙ୍କ ତରଫରୁ ଏହି ଘଟଣାରେ ପଦକ୍ଷେପ ନେବା ପାଇଁ ନିର୍ବାଚନ ଅଧିକାରୀଙ୍କ ନିକଟରେ ଗୁହାରି କରିବାକୁ ଆସିଥିଲେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
‘ଗରିବଙ୍କୁ ଡରାଇ ଭୋଟ୍ ନେବାକୁ ଉଦ୍ୟମ କରୁଛି ବିଜେଡି’
ଭୁବନେଶ୍ବର : ରାଜ୍ୟର ଗରିବ ଲୋକଙ୍କୁ ଡରାଇ, ଧମକାଇ ବିଜେଡି ଭୋଟ୍ ନେବା ପାଇଁ ଉଦ୍ୟମ କରୁଛି ଅଭିଯୋଗ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହା ସହ ସେ ପ୍ରତିଶ୍ରୁତି ଦେଇଛନ୍ତି, ରାଜ୍ୟରେ ବିଜେପି ସରକାର ଆସିଲେ ଖାଦ୍ୟ ସୁରକ୍ଷା ସହ ପୁଷ୍ଟି ସୁନିଶ୍ଚିତ କରାଯିବ। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଥିବା ପର୍ଯ୍ୟନ୍ତ ଭାରତ ଓ ଓଡ଼ିଶାର ଗରିବ ଲୋକଙ୍କର କେହି ଅନିଷ୍ଟ କରିପାରିବେ ନାହିଁ।
ସାମାଜିକ ଗଣମାଧ୍ୟମରେ କେନ୍ଦ୍ର ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୧୯ ବର୍ଷର ଶାସନ ପରେ ମଧ୍ୟ ରାଜ୍ୟରେ ୨୫ଟି ଜିଲ୍ଲାରେ ଗରିବ ଘରର ଗର୍ଭବତୀ ମହିଳା ଓ ଶିଶୁମାନେ କୁପୋଷଣର ଶୀକାର ହୋଇଛନ୍ତି। ଜାତୀୟ ହାରରୁ ଏହା ତଳେ ଅଛି। ୨୦୩୬କୁ ଓଡ଼ିଶା ଭାଷା ଭିତ୍ତିକ ରାଜ୍ୟ ଭାବରେ ୧୦୦ ବର୍ଷ ପୂର୍ତ୍ତି ହେବାକୁ ଥିବା ବେଳେ ଆଜିର ଜନ୍ମ ନେଇଥିବା ଶିଶୁ େସତେବେଳେ ଦୁର୍ବଳ ଯୁବକ, ଯୁବତୀ ଅବସ୍ଥାରେ ଥିବେ। ଏହାକୁ ଧ୍ୟାନରେ ରଖି ରାଜ୍ୟରେ ବିଜେପି ସରକାର ହେଲେ ଓଡ଼ିଶାର ୩ କୋଟି ୨୬ ଲକ୍ଷ ଲୋକଙ୍କୁ ମୋଟ ୧ ଟଙ୍କାରେ ୫ କେଜି ଚାଉଳ, ଅଧ କେଜି ଲେଖାଏ ଡାଲି ଓ ଲୁଣ ଦିଆଯିବ। ଫଳରେ ଆଜିର ଜନ୍ମ ନେଇଥିବା ଶିଶୁ ସେତେବେଳେ ଦୁର୍ବଳ ଯୁବକ, ଯୁବତୀ ହୋଇ ରହିବାକୁ ଦିଆଯିବ ନାହିଁ। ଓଡ଼ିଶାରେ ବିଜେପି ସରକାର ହେଲେ ଟଙ୍କିକିଆ ଚାଉଳ ବନ୍ଦ ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଅପପ୍ରଚାର କରୁଛନ୍ତି। ମାତ୍ର ଟଙ୍କିକିଆ ଚାଉଳର ହିସାବ ଖୋଦ୍ ପ୍ରଧାନମନ୍ତ୍ରୀ ଓଡ଼ିଶାର ଜନସାଧାରଣଙ୍କ ଆଗରେ ଉପସ୍ଥାପିତ କରିଛନ୍ତି। ବଜାରରେ ଚାଉଳର ମୂଲ୍ୟରେ କେନ୍ଦ୍ର ସରକାର ୨୯ ଟଙ୍କା ଦେଉଛନ୍ତି। ପର ଘର ତିଅଣରେ ଅତିଥି ସତ୍କାର କରିବାର ଚତୁରତା ମୁଖ୍ୟମନ୍ତ୍ରୀ ଦେଖାଉଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅପପ୍ରଚାର ଓ ମିଛ କଥାକୁ ଓଡ଼ିଆ ଲୋକ ବୁଝିଲେଣି। ଡବଲ ଇଞ୍ଜିନର ସରକାର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଡର ମାଡ଼ିବା ଆରମ୍ଭ କରିଛି। ମୋଦୀ ଆସିଲେ କଲ୍ୟାଣକାରୀ ଯୋଜନା ବନ୍ଦ ହୋଇଯିବା କହି ସାଧାରଣ ଲୋକଙ୍କୁ ଡରାଇ, ଧମକାଇ ଓ ଆତଙ୍କିତ କରି ମୁଖ୍ୟମନ୍ତ୍ରୀ ଅପପ୍ରଚାର କରୁଛନ୍ତି। ନିଜ ଅପାରଗତାକୁ ଘୋଡ଼ାଇବା ପାଇଁ ସେ ଚାହୁଁଛନ୍ତି। କିନ୍ତୁ ଓଡ଼ିଶାର ଲୋକ ତାହାର ଜବାବ ଦେବେ ବୋଲି ଶ୍ରୀ ପ୍ରଧାନ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/Dharmendra-pradhan.jpeg)