ମୁଖ୍ୟମନ୍ତ୍ରୀ ଏତେ ଉତ୍‌କ୍ଷିପ୍ତ କାହିଁକି: ଧର୍ମେନ୍ଦ୍ର

ନବୀନଙ୍କୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନ ଦେଇଥିବା ସଂସ୍ଥା ସ୍କିଲ୍‌ ସ୍କାମ୍‌ରେ ଅଭିଯୁକ୍ତ

ଭୁବନେଶ୍ୱର : ଉଜ୍ଜ୍ୱଳା ଓ ଦକ୍ଷତା ବିକାଶରେ ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସ ଦେଲାରେ ପାଲଟା ଜବାବ ରଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ କହିଛନ୍ତି, ସାର୍ବଜନୀନ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କିଛି ବକ୍ତବ୍ୟକୁ ନେଇ ମୁଖ୍ୟମନ୍ତ୍ରୀ କାହିଁକି ଏତେ ଉତ୍‌କ୍ଷିପ୍ତ ହେଉଛନ୍ତି? ଏହା ତାଙ୍କ ଚରିତ୍ରର ବ୍ୟତିକ୍ରମ ଓ ନୂଆ କଥା। ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ମୁଖ୍ୟମନ୍ତ୍ରୀଙ୍କ ମରମ ଭେଦି ଥିଲା ବେଳେ ସେ ତାଙ୍କ ଉପରେ ରାଗ ସୁଝାଉଛନ୍ତି।

ଦୁର୍ନୀତି ପ୍ରସଙ୍ଗରେ ଶ୍ରୀ ପ୍ରଧାନ କହିଛନ୍ତି, ସ୍କିଲ୍‌ କାର୍ଯ୍ୟକ୍ରମରେ ଉତ୍ତର ପ୍ରଦେଶର ଦୁର୍ନୀତି ନେଇ ଗଣମାଧ୍ୟମରେ ଖବର ପରେ ଏହି ଦୁର୍ନୀତିରେ ସଂପୃକ୍ତ ସଂସ୍ଥାର ଓଡ଼ିଶା ଲିଙ୍କ୍‌ ବାହାରିଲାଣି। ନବୀନ ପଟ୍ଟନାୟକଙ୍କୁ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସମ୍ମାନିତ କରିଥିବା ମହାରାଷ୍ଟ୍ର ଏକାଡେମି ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଏଜୁକେସନ୍‌ ରିସର୍ଚ୍ଚ ଏହି ସ୍କିଲ୍‌ ଦୁର୍ନୀତିରେ ଅଭିଯୁକ୍ତ। ଏହି ସଂସ୍ଥା ବିରୋଧରେ ଉପଯୁକ୍ତ ତଦନ୍ତ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଉଜ୍ଜ୍ୱଳା ଦୁର୍ନୀତି ସମ୍ପର୍କରେ କେନ୍ଦ୍ର ମନ୍ତ୍ରୀ କହିଲେ, ଦେଶର ପାଞ୍ଚ କୋଟି ଓ ରାଜ୍ୟର ୩୪ ଲକ୍ଷ ଗରିବ ମହିଳାଙ୍କ ପାଖରେ ଉଜ୍ଜ୍ୱଳା ଯୋଜନାରେ ଗ୍ୟାସ୍‌ ପହଞ୍ଚିଛି। ମୁଖ୍ୟମନ୍ତ୍ରୀ ତାଙ୍କ ପସନ୍ଦରେ ରାଜ୍ୟର ଯେ କୌଣସି ଜିଲ୍ଲା, ଗାଁ ଓ ହିତାଧିକାରୀ ବାଛନ୍ତୁ। ମୁଖ୍ୟମନ୍ତ୍ରୀଙ୍କ ସାଙ୍ଗରେ ସେ ନିଜେ ଯିବେ ଓ ସଂପୃକ୍ତ ମହିଳାଙ୍କ ସହ ଆଲୋଚନା କରିବେ। ଉଜ୍ଜ୍ୱଳା ଯୋଜନାରେ ସ୍କାମ୍‌ ହୋଇଛି ନା ମହିଳା ଉପକୃତ ହୋଇଛନ୍ତି, ତାହା ସ୍ପଷ୍ଟ ହୋଇଯିବ।

ଶ୍ରୀ ପ୍ରଧାନ ଆହୁରି କହିଲେ, ଓଡ଼ିଶାର ସ୍ୱଚ୍ଛ ଭାରତ ଅଭିଯାନର ଗତି ଧୀମା ହେବା ନେଇ ପ୍ରଧାନମନ୍ତ୍ରୀ ମୂଳରୁ ଚିନ୍ତିତ। ପ୍ରଧାନମନ୍ତ୍ରୀ ଗରିବ ଘରୁ ଆସିଥିବା କାରଣରୁ ଶୌଚ ହେବା ପାଇଁ ସନ୍ଧ୍ୟା ପର୍ଯ୍ୟନ୍ତ ଅପେକ୍ଷା କରିବାର କଷ୍ଟ ବୁଝିଛନ୍ତି, ଯାହା ମୁଖ୍ୟମନ୍ତ୍ରୀ ବୁଝିପାରିବେ ନାହିଁ। ମାସିକ ପ୍ରଗତି ସମୀକ୍ଷା ସମୟରେ ଓଡ଼ିଶା ମୁୁଖ୍ୟ ଶାସନ ସଚିବ ଓ କଳାହାଣ୍ଡି ଜିଲ୍ଲାପାଳଙ୍କୁ ମଧ୍ୟ ଏ ବିଷୟରେ ଗୁରୁତ୍ୱର ସହ କାମ କରିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଥିଲେ। ଆଜି ବିମାନବନ୍ଦରରେ ଓହ୍ଲଉ ଓହ୍ଲଉ ମୁଖ୍ୟ ଶାସନ ସଚିବଙ୍କୁ ସ୍ୱଚ୍ଛତା ନେଇ ସେ ଦେଇଥିବା ଦାୟିତ୍ୱ ସମ୍ପର୍କରେ ମନେ ପକାଇ ଦେଇଥିଲେ।

କେନ୍ଦ୍ରର ଆୟୁଷ୍ମାନ ଯୋଜନା ଠାରୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଭଲ ନେଇ ମୁଖ୍ୟମନ୍ତ୍ରୀଙ୍କ ବକ୍ତବ୍ୟ ଉପରେ ପ୍ରତିକ୍ରିୟା ରଖି ଶ୍ରୀ ପ୍ରଧାନ କହିଲେ, ବିଭିନ୍ନ ବିଜ୍ଞାପନରେ ୭୦ ଲକ୍ଷ ପରିବାର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସାମିଲ ହେବେ ବୋଲି କହୁଥିଲା ବେଳେ ମୁଖ୍ୟମନ୍ତ୍ରୀ ଆଜି ୫୦ ଲକ୍ଷ ପରିବାର ସାମିଲ ହେବା ବକ୍ତବ୍ୟ କେଉଁ ଆଧାରରେ ଦେଇଛନ୍ତି ? ରାଜ୍ୟର ଲୋକଙ୍କୁ କର୍କଟ ଓ ହୃଦ୍‌ରୋଗ ସମସ୍ୟା ହେଲେ ବାହାର ରାଜ୍ୟକୁ ଗଲେ ସେମାନଙ୍କୁ କିଏ ଚିକିତ୍ସା ସୁବିଧା ଦେବ ? ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନାରେ ପ୍ରତି ଦିନ ଆବେଦନ କରିଥିବା ବ୍ୟକ୍ତିମାନଙ୍କର ଯାଞ୍ଚ୍‌ ରିପୋର୍ଟକୁ େଓ୍ଵବ୍‌ସାଇଟ୍‌ ମାଧ୍ୟମରେ କାହିଁକି ସାର୍ବଜନୀନ କରାଯାଉ ନାହିଁ ବୋଲି ଶ୍ରୀ ପ୍ରଧାନ ପ୍ରଶ୍ନ କରିଛନ୍ତି।

ପେଟ୍ରୋଲ ଦର ବୃଦ୍ଧି ପ୍ରସଙ୍ଗରେ ପୁଣି ଥରେ ରାଜ୍ୟ ସରକାରଙ୍କ ଉପରକୁ ଦାୟିତ୍ୱ ଠେଲି ଭ୍ୟାଟ୍‌ କମାଇବାକୁ କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି, ସାଧାରଣ ସମ୍ପାଦକ ଭୃଗୁ ବକ୍ସିପାତ୍ର, ମୁଖପାତ୍ର ପିତାମ୍ବର ଆଚାର୍ଯ୍ୟ, ଗୋଲକ ମହାପାତ୍ର ଓ ଅଶୋକ ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର