ଦୁର୍ନୀତି ନେଇ ମୁଖ୍ୟମନ୍ତ୍ରୀ କେବେ ସିରିୟସ୍‌ ନ ଥିଲେ: ଧର୍ମେନ୍ଦ୍ର

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ବିରୋଧରେ ଦୁର୍ନୀତିକୁ ଏକ ମୁଖ୍ୟ ପ୍ରସଙ୍ଗ କରିବାକୁ ବିଜେପି କିଛି ଦିନ ହେଲା ଅଣ୍ଟା ଭିଡ଼ିଛି। ଆଜି ଏହି ଅଭିଯାନକୁ କେନ୍ଦ୍ର ପେଟ୍ରୋଲିୟମ୍‌ ଧର୍ମେନ୍ଦ୍ର ପ୍ରଧାନ ଆଉ ଟିକେ ତ୍ୱରାନ୍ଵିତ କରିଛନ୍ତି। ସିଧାସଳଖ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଟାର୍ଗେଟ୍‌ କରି କହିଛନ୍ତି, ମୋ ଜାଣିବାରେ ନବୀନ ବାବୁ ଦୁର୍ନୀତି ପ୍ରତି କେବେ ସିରିୟସ୍‌ ନ ଥିଲେ। ସେ ମୂଳରୁ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇବାର ମୁଖ୍ୟ ନାୟକ ଥିଲେ।

ଭୁବନେଶ୍ୱର ଗସ୍ତ ଅବସରରେ ଆଜି ଶ୍ରୀ ପ୍ରଧାନ ବିମାନବନ୍ଦରରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତରରେ କହିଥିଲେ, କିଏ କେଉଁ ଦଳରେ ଥିଲେ, କିଏ କ’ଣ କହୁଛି ତାହା ଉପରେ ତାଙ୍କର କିଛି କହିବାର ନାହିଁ। କିନ୍ତୁ ନବୀନ ବାବୁ ଯେଉଁମାନଙ୍କୁ ଦୁର୍ନୀତି ଅଭିଯୋଗରେ ବାହାର କରନ୍ତି, ପରେ ସେମାନଙ୍କୁ ମୁଖ୍ୟ ଦାୟିତ୍ୱ ଦିଅନ୍ତି। ଏବେ ଦୁର୍ନୀତି ଅଭିଯୋଗରେ ପୂର୍ବରୁ ବାହାରିଥିବା ଲୋକମାନେ ତାଙ୍କ ଦଳର ମୁଖ୍ୟ କାର୍ପଟଦାର ସାଜିଛନ୍ତି। ମୂଳରୁ ସେ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପ୍ରୋତ୍ସାହନ ଯୋଗାଇବାରେ ମୁଖ୍ୟ ନାୟକ ଥିଲେ। ପୂର୍ବରୁ ତିନିଟି ପାଳିରେ ମୁଖ୍ୟମନ୍ତ୍ରୀ ଦୁର୍ନୀତି ବିରୋଧୀ ନ ଥିଲେ କି ଆଜି ବି ନାହାନ୍ତି। ସେ ସବୁବେଳେ ଦୁର୍ନୀତିରେ ସାମିଲ ଲୋକଙ୍କୁ ଘଣ୍ଟ ଘୋଡ଼ାଉଛନ୍ତି।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ କାର୍ଯ୍ୟକ୍ରମର ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ କହିଲେ, ପୂର୍ବ ଭାରତର ବିକାଶ ପାଇଁ ପ୍ରଧାନମନ୍ତ୍ରୀଙ୍କର ଯେଉଁ କଳ୍ପନା ଅଛି ତାହା ଓଡ଼ିଶାରୁ ହିଁ ପୂର୍ବୋଦୟର ରୂପ ନେବ। ୨୨ ତାରିଖ ଓଡ଼ିଶା ପାଇଁ ଐତିହାସିକ ଦିନ ହେବ। ପୂର୍ବ ଭାରତର ବିକାଶ ସହ ଓଡ଼ିଶାର ବିକାଶ ପାଇଁ ଏହି ଦିନ ଏକ ନମୁନା ହୋଇ ରହିବ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ରାଜ୍ୟ ତମାମ ପ୍ରସ୍ତୁତି ଆରମ୍ଭ ହୋଇଛି। ବିଜେପି ପକ୍ଷରୁ ଦଳୀୟ ସ୍ତରରେ ପ୍ରସ୍ତୁତି ଚାଲିଥିଲା ବେଳେ ସରକାରୀ ସ୍ତରରେ ମଧ୍ୟ ବିଭିନ୍ନ ବିଭାଗ ପକ୍ଷରୁ ଆବଶ୍ୟକ ପ୍ରସ୍ତୁତି କରାଯାଉଛି।

ସମ୍ବନ୍ଧିତ ଖବର