ଅସନ୍ତୋଷ ନିଆଁ କୁହୁଳୁଛି: ଧର୍ମେନ୍ଦ୍ର

ଭୁବନେଶ୍ବର : ନିରାକାରପୁରରେ ପିସି ପାଇଁ ଜୀବନ ଯିବା ଓ ଆବାସିକ ବିଦ୍ୟାଳୟରେ ନାବାଳିକା‌ ସନ୍ତାନ ପ୍ରସବ କରିବା ଘଟଣାରେ ପୁଣି ରାଜ୍ୟ ସରକାରଙ୍କୁ ସମାଲୋଚନା କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସାମାଜିକ ଗଣମାଧ୍ୟମରେ ସେ କହିଛନ୍ତି, ଆଜି ସାରା ରାଜ୍ୟରେ ମହିଳା ଅସୁରକ୍ଷିତ ଓ ଅପମାନିତ। ରାଜ୍ୟରେ ବିଜେଡି ସରକାର ବିରୋଧରେ ଅସନ୍ତୋଷର ନିଆଁ କୁହୁଳୁଛି। ଓଡ଼ିଆ ଲୋକମାନେ ରାଜ୍ୟ ସରକାରଙ୍କ ଠାରୁ ଜବାବ ମାଗୁଛନ୍ତି। ସେ ଉଲ୍ଲେଖ କରିଛନ୍ତି, ଗତ କିଛି ଦିନ ଧରି ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ଲୋକଙ୍କ ସହ ସିଧାସଳଖ କଥା ହୋଇଛନ୍ତି। ଗତ କିଛି ଦିନର କିଛି ଘଟଣା ରାଜ୍ୟର ଜନମାନସକୁ ଆନ୍ଦୋଳିତ କରୁଛି। ମୁଖ୍ୟମନ୍ତ୍ରୀଙ୍କ ଘରୁ ମାତ୍ର ୫୦ କିଲୋମିଟର ଦୂର‌େର ବିଏ ପାସ୍ କରି ଚାଷ କରୁଥିବା ଲକ୍ଷ୍ମୀଧର ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା କରିବାର କିଛି ଦିନ ପୂର୍ବରୁ ଲକ୍ଷ୍ମୀଧର ଏକ ଭିଡିଓ ଭାଇରାଲ କ‌ରିଥିଲେ, ଯେଉଁଥିରେ ସରକାରଙ୍କ ଯୋଜନାରେ ପକ୍କା ଘରଟିଏ ମିଳିବା ପାଇଁ ବ୍ଲକ୍‌ର ଅଧିକାରୀମାନେ ୧୫ରୁ ୨୦ ହଜାର ଟଙ୍କା ଲାଞ୍ଚ ମାଗୁଥିବାର ଅଭିଯୋଗ କରାଯାଇଛି। ନବୀନ ସରକାର, ବିଜେଡି ଓ ସ୍ଥାନୀୟ ସରପଞ୍ଚଙ୍କୁ ଗୁହାରି କରିଥିଲେ ମଧ୍ୟ କେହି ତାଙ୍କ କଥା ଶୁଣୁ ନ ଥିବା ଲକ୍ଷ୍ମୀଧର କହିଥିଲେ।ସରକାରୀ ଯୋଜନାର ଲାଭ ପାଇବା ପାଇଁ ଓଡ଼ିଶାର ସାଧାରଣ ଗରିବ ଲୋକଙ୍କ ପରିବାର ମୁଖିଆଙ୍କ ମୃତ୍ୟୁକୁ ଅପେକ୍ଷା କରିବାକୁ ପଡ଼ିବ ବୋଲି ମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ସେହିପରି ପିପିଲିରେ ବେବିନାକୁ ନ୍ୟାୟ ମିଳିଲା ନାହିଁ। ଏହି ପ୍ରସଙ୍ଗରେ ତତ୍‌କାଳୀନ ମନ୍ତ୍ରୀ ପ୍ରଦୀପ ମହାରଥୀ ୨୦୧୨ ମସିହାରେ ଇସ୍ତଫା ଦେବା ପରେ ବି ୨୦୧୪ରେ ପୁଣି ତାଙ୍କୁ ବିଜେଡି ଟିକେଟ୍ ମିଳିଲା ଓ ୨୦୧୪ରେ ସେ ମନ୍ତ୍ରୀ ହେଲେ। ଏଥିରୁ ମୁଖ୍ୟମନ୍ତ୍ରୀଙ୍କ ମହିଳା ସମ୍ମାନରେ ଦୋମୁହାଁ ନୀତି ପଦାରେ ପଡ଼ୁଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର