କେନ୍ଦ୍ରୀୟ ପ୍ରକଳ୍ପରେ ରାଜ୍ୟ ବାଧକ: ଧର୍ମେନ୍ଦ୍ର

ପ୍ରକଳ୍ପର ତାଲିକା ଦେଲେ, ସରକାରଙ୍କ ଅସହଯୋଗର ତଥ୍ୟ ଦେଲେ

ଭୁବନେଶ୍ବର : ଆଗକୁ ସାଧାରଣ ନିର୍ବାଚନ ଥିଲା ବେଳେ ଉଭୟ ବିଜେଡି ଓ ବିଜେପି ପରସ୍ପର ଉପରେ ଦୋଷାରୋପ ଜୋର୍‌ଦାର୍ କରିବା ଆରମ୍ଭ କରିଛନ୍ତି। ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ ଡାକି ରାଜ୍ୟ ସରକାର କିପରି କେନ୍ଦ୍ରୀୟ ପ୍ରକଳ୍ପରେ ବାଧକ ସାଜୁଛନ୍ତି, ତାହାର ବର୍ଣ୍ଣନା କରିଥିଲେ। ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ରାଜ୍ୟରେ ଅଟକିଯାଇଥିବା କେନ୍ଦ୍ରୀୟ ପ୍ରକଳ୍ପର ତାଲିକା ଦେବା ସହ ସରକାରଙ୍କ ଅସହଯୋଗର ତଥ୍ୟ ଦେଇଥିଲେ। ଆରୋପ ଲଗାଇଥିଲେ, ମୋଦୀଙ୍କ ଲୋକପ୍ରିୟତାକୁ ରୋକିବା ପାଇଁ କେନ୍ଦ୍ରୀୟ ପ୍ରକଳ୍ପରେ ରାଜ୍ୟ ସରକାର ବାଧକ ସାଜିଛନ୍ତି। ଓଡ଼ିଆ ‌େଲାକ ଲାଭ ପାଆନ୍ତୁ, ତାହା ସରକାରଙ୍କ ଏଜେଣ୍ଡାରେ ନାହିଁ।

ଶ୍ରୀ ପ୍ରଧାନ କହିଲେ, ରାଜ୍ୟରେ ୧ ଲକ୍ଷ ୩୬ ହଜାର ୪୧୭ କୋଟି ଟଙ୍କାର କେନ୍ଦ୍ରୀୟ ପ୍ରକଳ୍ପର କ୍ରିୟାନ୍ବୟନରେ ରାଜ୍ୟ ସରକାର ବାଧା ସୃଷ୍ଟି କରୁଛନ୍ତି। ତାମିଲ କମ୍ପାନି ଠାରୁ ଆରମ୍ଭ କରି ଘରୋଇ କମ୍ପାନିମାନଙ୍କୁ ବିନା ଅସୁବିଧାରେ ଏନ୍‌ଓସି ଦିଆଯାଉଥିବା ବେଳେ କେନ୍ଦ୍ରୀୟ ପ୍ରକଳ୍ପକୁ ଏନ୍‌ଓସି ଦେବାରେ ମୁଖ୍ୟମନ୍ତ୍ରୀଙ୍କୁ କଷ୍ଟ ହେଉଛି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟର ୫୧ ହଜାର ୩୯୫ କୋଟି, ସଡ଼କ ପରିବହନରେ ୫୬ ହଜାର ୫୬୩ କୋଟି, ରେଳବାଇରେ ୧୨ ହଜାର ୨୮୬ କୋଟି, ଅଣପେଟ୍ରୋଲିୟମ୍ ନିବେଶରେ ୧୫ ହଜାର ୪୧୩ କୋଟି, ସ୍ବାସ୍ଥ୍ୟ ଓ ଶିକ୍ଷାରେ ୫୬୦ କୋଟି ଏବଂ ପାଇକ ବିଦ୍ରୋହ ପାଇଁ ୨୦୦ କୋଟି ଟଙ୍କା ପ୍ରକଳ୍ପ ବାଧାପ୍ରାପ୍ତ ହୋଇଛି। ବିଭିନ୍ନ ପ୍ରସଙ୍ଗରେ ସେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ ୬୨ଟି ଚିଠି ଲେଖିଛନ୍ତି। ଏହା ମଧ୍ୟରୁ କେବଳ ଗୋଟିଏ ଚିଠି ଉପରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ଠାରୁ ପତ୍ରପ୍ରାପ୍ତି ମିଳିଛି।

କେନ୍ଦ୍ର ମନ୍ତ୍ରୀ କହିଥିଲେ, ପାରାଦୀପ ବିଶୋଧନାଗାରର ସମ୍ପ୍ରସାରଣ ଯୋଜନା କରାଯାଇଛି। ଏହାର ବାର୍ଷିକ ୧୫ ମିଲିଅନ୍ ମେଟ୍ରିକ୍ ଟନ୍ କ୍ଷମତା ଥିଲା ବେଳେ ତାହାକୁ ସମ୍ପ୍ରସାରଣ କରିବା ପାଇଁ ତଥା ପେଟ୍ରୋଲ, ଡିଜେଲ ଉତ୍ପାଦନ କରିବା ପାଇଁ ୧୫ରୁ ୨୫ ମିଲିଅନ୍ ମେ‌ଟ୍ରିକ୍ ଟନ୍ କରିବା ନିମନ୍ତେ ପ୍ରସ୍ତାବ ରହିଛି। ଫଳରେ ଏଥି ପାଇଁ ୨୨ ହଜାର କୋଟି ଟଙ୍କାର ଅତିରିକ୍ତ ବ୍ୟୟ ହେବ। ମାତ୍ର ଏଥି ପାଇଁ ଆବଶ୍ୟକ ଥିବା ୨୨୯୦ ଏକର ଜମି ଓଡ଼ିଶା ସରକାର ଯୋଗାଇ ଦେଇ ନାହାନ୍ତି। ପାରାଦୀପ ବିଶୋଧନାଗାରର ସମ୍ପ୍ରସାରଣ ପରେ ୪୩ ହଜାର କୋଟି ଟଙ୍କା ପେଟ୍ରୋକେମିକାଲ୍ କ୍ଷେତ୍ରରେ ବିନିଯୋଗ କରିବା ନିମନ୍ତେ ଆଗ୍ରହ ପ୍ରକାଶ କରିଛି। ମାତ୍ର ଆବଶ୍ୟକ ହେଉଥିବା ଜମି, ପାଣି, ବିଜୁଳି ଓ ପରିବହନର ସୁବିଧା ପାଇଁ ଓଡ଼ିଶା ସରକାର ସହଯୋଗ କରୁ ନାହାନ୍ତି। ସେହିପରି ଭଦ୍ରକର ଜାତୀୟ ରାଜପଥ କଡ଼ରେ ୧୯୭୦ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଟେକ୍ସଟାଇଲ୍ ପାର୍କ, ପାରାଦୀପରେ ୧୦୬ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ପ୍ଲାଷ୍ଟିକ୍ ପାର୍କ, ଆଇଓସିଏଲ୍‌ର ପେଟ୍ କୋକ୍ ପ୍ରକଳ୍ପ, ଚଣ୍ଡିଖୋଲରେ ୬ ହଜାର ୫୦୦ କୋଟି ଟଙ୍କାରେ ହେବାକୁ ଥିବା ଅଶୋଧିତ ତୈଳ ଷ୍ଟ୍ରାଟେଜିକ୍ ରିଜର୍ଭ ଆଦି ପ୍ରକଳ୍ପ ପାଇଁ ରାଜ୍ୟ ସରକାର ଜମି ଯୋଗାଇବାରେ ଆ‌େଦୗ ସହଯୋଗ କରୁ ନାହାନ୍ତି।

ସେ କହିଲେ, ଦୀଘାରୁ ଗୋପାଳପୁର ୪୧୫ କିଲୋମିଟର ଉପକୂଳ ରାଜପଥର ୧୦ ହଜାର କୋଟି ଟଙ୍କାର ପ୍ରକଳ୍ପ ପାଇଁ ରାଜ୍ୟ ସରକାରଙ୍କ ସହଯୋଗ ମିଳୁ ନାହିଁ। ଆରମ୍ଭରୁ ରାଜ୍ୟ ସରକାରଙ୍କ ସହ ଆଲୋଚନା ହେଉଥିଲେ ବି ଜମି, ପରିବେଶ ଓ ସିଆର୍‌ଜେଡ୍‌ ମଞ୍ଜୁରୀ ମିଳିବାରେ ବିଳମ୍ବ ହୋଇଛି। ସେହିପରି ଜଗନ୍ନାଥ ସଡ଼କ ବି ଜାତୀୟ ରାଜପଥ ହୋଇପାରୁ ନାହିଁ। ଅନୁଗୁଳ ଠାରେ ଆଲୁମିନିୟମ୍ ପାର୍କ କରିବା ନିମନ୍ତେ କଳ୍ପନା କରାଯାଇଥିଲା ବେଳେ ସେଠାକାର ରାସ୍ତାକୁ ଜାତୀୟ ରାଜପଥ କରିବା ପାଇଁ ସରକାରଙ୍କ ସହଯୋଗ ମିଳୁନାହିଁ। ଓଡ଼ିଶା ସରକାର ଜମି ଓ ଜଙ୍ଗଲ ମଞ୍ଜୁରୀ ନ ଦେବାରୁ ରେଳବାଇର ବହୁ ପ୍ରକଳ୍ପ ବି ସ୍ଥଗରିତ ହୋଇଛି। ଏନ୍‌ଟିପିସିର ପ୍ରକଳ୍ପର ସମ୍ପ୍ରସାରଣରେ ସରକାରଙ୍କ ସହଯୋଗ ମିଳୁନି। ଦାମନଯୋଡ଼ି ଆଲୁମିନିୟମ୍ ରିଫାଇନାରି ପ୍ରକଳ୍ପ ୨୦୧୭ ମସିହାରୁ ରାଜ୍ୟ ସରକାରଙ୍କ ଅସହଯୋଗ କାରଣରୁ ସ୍ଥଗିତ ରହିଛି। ରାଜ୍ୟ ସରକାର ଶିଳ୍ପାୟନକୁ ପ୍ରୋତ୍ସାହନ ଦେଉଥିବା କହୁଥିଲା ବେଳେ ନାଲ୍‌କୋକୁ ସହଯୋଗ କରୁ ନାହାନ୍ତି।

କେନ୍ଦ୍ର ମନ୍ତ୍ରୀ କହିଲେ, ବରୁଣେଇ ନିକଟରେ ବକ୍ସି ଜଗବନ୍ଧୁଙ୍କ ସ୍ମାରକୀ ପାଇଁ ମାଗଣାରେ ଜମି ଦେବା କଥା ମୁଖ୍ୟମନ୍ତ୍ରୀ କହିଲେ। କିନ୍ତୁ ଏ ପର୍ଯ୍ୟନ୍ତ ଜାଗା ମିଳୁ ନାହିଁ। ସ୍ବଚ୍ଛ ଭାରତ ମିସନ୍‌ରେ ସବୁ ରାଜ୍ୟରେ ଶୌଚାଳୟ ବନିସାରିଥିଲେ ବି ଓଡ଼ିଶାରେ ତାହା ସମ୍ପୂର୍ଣ୍ଣ ହୋଇପାରୁ ନାହିଁ। ଆୟୁଷ୍ମାନ ଯୋଜନା ଏଠାରେ ଲାଗୁ କରାଗଲା ନାହିଁ। ସୌଭାଗ୍ୟ ଯୋଜନାରେ ସବୁ ଘରେ ବିଜୁଳି ପହଞ୍ଚିଲା ନାହିଁ। ଡିଏମ୍‌ଏଫ୍‌ ପଇସା ଖର୍ଚ୍ଚ ହେଉ ନାହିଁ।

ସମ୍ବନ୍ଧିତ ଖବର