ମୋଦୀଙ୍କ ଘୋଷଣାକୁ ନିଜ ନାଁରେ ପ୍ରଚାର କରୁଛନ୍ତି ରାଜ୍ୟ ସରକାର : ଧର୍ମେନ୍ଦ୍ର

ଭୁବନେଶ୍ବର : ଅଙ୍ଗନବାଡ଼ି କର୍ମୀଙ୍କ ପାରିଶ୍ରମିକ ବୃଦ୍ଧି ପ୍ରସଙ୍ଗରେ ବିଜେଡି ଓ ରାଜ୍ୟ ସରକାରଙ୍କୁ ଶ୍ରେୟ ଦେବାକୁ ପ୍ରସ୍ତୁତ ନାହିଁ ବିଜେପି। ଏହି ପ୍ରସଙ୍ଗରେ ଦଳ ପକ୍ଷରୁ ଲଗାତର ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କରାଯାଉଛି। ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ୨୦୧୮ ମସିହା ସେପ୍ଟେମ୍ବର ମାସରେ ଅଙ୍ଗନବାଡ଼ି କର୍ମୀମାନଙ୍କ ପାରିଶ୍ରମିକ ୧୫୦୦ ଟଙ୍କା ବୃଦ୍ଧି ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଥିଲେ। ୨୦୧୮ ଅକ୍ଟୋବରରୁ ଏହାର କ୍ରିୟାନ୍ବୟନ ପାଇଁ ରାଜ୍ୟ ସରକାରମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ରାଜ୍ୟର ବିଜେଡି ସରକାର କେନ୍ଦ୍ର ସରକାରଙ୍କ ଏହି ପୁରୁଣା ନୀତିଗତ ନିର୍ଣ୍ଣୟ ଓ ଘୋଷଣାକୁ ଦୀର୍ଘ ଦିନ ଧରି କାର୍ଯ୍ୟକାରୀ ନ କରି ପକାଇ ରଖିଥିଲେ। ଏବେ ନିର୍ବାଚନ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ସରକାରଙ୍କ ଦ୍ବାରା ବର୍ଦ୍ଧିତ ଦରମାକୁ ରାଜ୍ୟ ସରକାର ଯୋଗାଇ ଦେଇ ବାହାବା ନେବାକୁ ଅପଚେଷ୍ଟା କରୁଛନ୍ତି।

କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ରାଜ୍ୟରେ କୁପୋଷଣ ଏକ ବଡ଼ ସମସ୍ୟା। ସାଧାରଣ ଗରିବ ଘରର ପିଲାଙ୍କୁ ସୁପୋଷଣ ଯୋଗାଇ ଦେବା ଅଙ୍ଗନବାଡ଼ି ଭଉଣୀମାନଙ୍କର ମୂଳ କାମ। ଗୋଟିଏ ପଟେ ରାଜ୍ୟରେ ଛତୁଆ, ମଧ୍ୟାହ୍ନ ଭୋଜନ ଓ ଡାଲିରେ ବଡ଼ ଦୁର୍ନୀତି ଏବଂ ବିଜେଡି ନେତା ଓ କର୍ମୀଙ୍କ ପିସି ପାଇଁ ବାଟ ଖୋଲାଯାଇଛି। କିନ୍ତୁ ଅଙ୍ଗନବାଡ଼ି ଭଉଣୀମାନଙ୍କୁ ସେମାନଙ୍କ ପ୍ରାପ୍ୟରୁ ବଞ୍ଚିତ କରାଯାଉଛି।

ସମ୍ବନ୍ଧିତ ଖବର