ଜଗତସିଂହପୁର/ଟାଉନ : ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଆଉ ଦିନ କେତେଟା ବାକି ଥିବାବେଳେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଛନ୍ତି। ବିଜେପି ମଧ୍ୟ ବେଶ୍ ଆକ୍ରମଣାତ୍ମକ ଢଙ୍ଗରେ ପ୍ରଚାର ଚଳାଇଛି। ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ପରେ ଆଜି ନିର୍ବାଚନମଣ୍ତଳୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଚାର ମଙ୍ଗ ଧରିଥିଲେ। ଶ୍ରୀ ପ୍ରଧାନ ନିର୍ବାଚନମଣ୍ତଳୀରେ ସମସ୍ତ ତିନିଟାଯାକ ବ୍ଲକ୍‌ରେ ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କୁ ଧରି ଜୋରଦାର ପ୍ରଚାର କରିଛନ୍ତି। ପ୍ରଚାର ସମୟରେ ଧର୍ମେନ୍ଦ୍ର ଆଜି ରାଜ୍ୟ ସରକାରକୁ ତୀବ୍ର ସମାଲୋଚନା କରିଥିଲେ। ହେଲେ, ସରକାରଙ୍କ ଉପରେ ବର୍ଷିବା ବେଳେ କେଉଁଠି ଥରେ ବି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାଁ ନେଇ ନଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି ଧୋୟା ଅଞ୍ଚଳର ବିକାଶ ପାଇଁ ରାଜ୍ୟ ସରକାର ଯେଉଁ ଦୁଇଟି ସେତୁର ଶିଳାନ୍ୟାସ କରିଛନ୍ତି, ଧର୍ମେନ୍ଦ୍ର ଆଜି ସେଇଠୁ ହିଁ ପ୍ରଚାର ଆରମ୍ଭ କରିଥିଲେ।

Advertisment

ଗତକାଲି ସାଂସଦ ଅପରାଜିତା ଷଡ଼ଙ୍ଗୀ ତିର୍ତ୍ତୋଲରେ ପ୍ରଚାର କରିବା ବେଳେ ମୁଖ୍ୟମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ୍‌ କରିଥିଲେ। ମୁଖ୍ୟମନ୍ତ୍ରୀ ତିର୍ତ୍ତୋଲକୁ ଆସି ନଥିବାରୁ ତାଙ୍କ ଭର୍ଚୁଆଲ୍‌ ପ୍ରଚାରକୁ ଅପରାଜିତା କଡ଼ା ଭାଷାରେ ସମାଲୋଚନା କରିଥିଲେ। ମାତ୍ର ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରଚାର ଷ୍ଟାଇଲ ଟିକିଏ ଭିନ୍ନ ଥିଲା। ସେ ବି ଶାସନ ବ୍ୟବସ୍ଥା, ଦୁର୍ନୀତି, ନିଯୁକ୍ତି ଓ ବିକାଶକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ମାତ୍ର, ସେ କୌଣସିଠାରେ ବି ମୁଖ୍ୟମନ୍ତ୍ରୀଙ୍କ ନାଁ ନେଇ ନଥିଲେ। ଧର୍ମେନ୍ଦ୍ର କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଜନା ପାଇଁ ଆଜି କରୋନାକୁ ନିୟନ୍ତ୍ରଣରେ ରଖିହେଲା। ଏଥିସହିତ, ଭାରତର ଯେଉଁପରି ବିକାଶ ହୋଇଛି ଓ ଦେଶ ଯେପରି ଆତ୍ମନିର୍ଭରଶୀଳ ପାଲଟିଛି, ଏହା କାହାକୁ ଅଛପା ନାହିଁ। ଏଣୁ ତିର୍ତ୍ତୋଲବାସୀ ନିଶ୍ଚିତ ବିଜେପିକୁ ଭରସା କରିବେ ଓ ଏହି ଅଂଚଳର ବିକାଶ ନିମନ୍ତେ ଦଳୀୟ ପ୍ରାର୍ଥୀଙ୍କୁ ବିଜୟୀ କରାଇବେ, ସେ ବିଶ୍ବାସ ରହିଛି। ବର୍ତ୍ତମାନ ତିର୍ତ୍ତୋଲରେ ବିକାଶ ହିଁ ମୁଖ୍ୟ ପ୍ରସଙ୍ଗ। ଏଠାରେ ସବୁ ପ୍ରକାର ସୁବିଧା ଥିବା ସତ୍ତ୍ବେ କାହିଁକି ଏଠାକାର ଯୁବକମାନେ ଚାକିରି ପାଇଁ ବାହାର ରାଜ୍ୟକୁ ଯାଉଛନ୍ତି? ୨୦ ବର୍ଷ ଧରି ଲଗାତାର ଶାସନକୁ ଆସୁଥିବା ସରକାର ବନ୍ଦ ପଡ଼ିଥିବା ସୂତାକଳର ପୁନରୁଦ୍ଧାର ପାଇଁ କିଛି ବି ପଦକ୍ଷେପ ନେଲେ ନାହିଁ। ଓଡ଼ିଶାରେ ଏକ ଦୁର୍ନୀତିଗ୍ରସ୍ତ, ଅପରାଗ ଓ ସମ୍ବେଦନହୀନ ସରକାର ଚାଲିଛି। ଅର୍ଥବଳ, ବାହୁବଳ, ପ୍ରଶାସିନକ ଅଧିକାରୀଙ୍କ ଅପବ୍ୟବହାର କରି ବିଜେଡି ନିର୍ବାଚନୀ ବୈତରଣୀ ପାର ହେଉଛି। ବର୍ତ୍ତମାନ ସମୟ ବଦଳି ଯାଇଛି। ପ୍ରଜାତନ୍ତ୍ରରେ ଲୋକ ଜାଗ୍ରତ ହୋଇସାରିଲେଣି। ଓଡ଼ିଶାରେ ହେଉଥିବା ଦୁଇଟି ଉପନିର୍ବାଚନ ଫଳାଫଳରୁ ଏହା ସ୍ପଷ୍ଟ ହୋଇଯିବ ବୋଲି ଧର୍ମେନ୍ଦ୍ର କହିଥିଲେ।

ଆଜି ତିର୍ତ୍ତୋଲ ବ୍ଲକ୍ କୃଷ୍ଣାନନ୍ଦପୁର ପୋଲ ନିକଟରେ ଶ୍ରୀ ପ୍ରଧାନ ଏକ ବିରାଟ ପଟୁଆରରେ ପହଁଚିଥିଲେ। ସେଠାରୁ ସେ ମେଡିକାଲ ଛକ, ବସନ୍ତ ଛକ, ଇନ୍ଦ୍ରାଣୀ ଛକ, ବିସନପୁର, କନିମୂଳ ଓ ଶଙ୍ଖେଶ୍ବର ହାଟ ପଡ଼ିଆରେ ପ୍ରଚାର କରିଥିଲେ। ସେଠାରୁ ବାହାରି ତିର୍ତ୍ତୋଲ ବଜାରରେ ପ୍ରଚାର କରିବା ସହ ମା’ ଶାରଳାଙ୍କ ଦର୍ଶନ କରିଥିଲେ। ଶାରଳା ମନ୍ଦିର ନିକଟରୁ ବାହାରି ମୂଳିସିଂ, ବିରିତୋଳ ଓ ସଅଁରା ରାସ୍ତାରେ ପ୍ରଚାର କରି ରଘୁନାଥପୁରରେ ପହଁଚିଥିଲେ। ସେଠାରେ ରଘୁନାଥପୁର ବଜାର, ଜୟପୁର ବଜାର, ତାରପୁରରେ ପ୍ରଚାର କରିଥିଲେ। ପରେ ବିରିଡ଼ିରେ ଅଲାଣ୍ଡୋ, ରାଣୀପଡ଼ା, ବିରିଡ଼ି ବଜାର, ବାଲିଆ ଷ୍ଟୋର, ବସନ୍ଧରା ଗାନ୍ଧୀ ଛକ ଓ ମଙ୍ଗୁଲିରେ ପ୍ରଚାର ଶେଷ କରିଥିଲେ। ଧମେନ୍ଦ୍ରଙ୍କ ଉପସ୍ଥିତି ଦଳୀୟ କର୍ମୀ ଓ ନେତାମାନଙ୍କୁ ବେଶ୍ ଉତ୍ସାହିତ କରିଥିବା ଦେଖିବାକୁ ମିଳିଥିଲା।