କାଳିଆ ଛାତ୍ରବୃତ୍ତି ଯୋଜନା ଏକ ନିର୍ବାଚନୀ ଧୂଆଁବାଣ: କେନ୍ଦ୍ରମନ୍ତ୍ରୀ

ନିନ୍ଦା କରିବା କେନ୍ଦ୍ରମନ୍ତ୍ରୀଙ୍କ ପ୍ରବୃତ୍ତି: କୃଷିମନ୍ତ୍ରୀ

ଭୁବନେଶ୍ବର : ଚାଷୀ ଓ ଓବିସି ଘରର ପିଲାଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଦେବା ପରିବର୍ତ୍ତେ କାଳିଆ ଛାତ୍ରବୃତ୍ତି ଯୋଜନା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେବଳ ଛଳନା କରିଛନ୍ତି। ନିର୍ବାଚନରେ ପୁଣି ଥରେ ଭୋଟ ହାତେଇବାକୁ ଲକ୍ଷ ଲକ୍ଷ ଚାଷୀ ଓ ଓବିସି ପରିବାରକୁ ଏକ ନିର୍ବାଚନୀ ଧୂଆଁବାଣ ମୁଖ୍ୟମନ୍ତ୍ରୀ ଦେଖାଇଛନ୍ତି। କାଳିଆ ଛାତ୍ରବୃତ୍ତିି ଯୋଜନାକୁ ନେଇ ଆଜି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏପରି ସମାଲୋଚନା କରିଥିଲେ। ଧର୍ମେନ୍ଦ୍ରଙ୍କ କହିବା କଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସାଧାରଣ ବର୍ଗର ଆର୍ଥିକ ପଛୁଆ ବର୍ଗ ପରିବାର ପାଇଁ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ରାଜ୍ୟରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ପଦକ୍ଷେପ ନେଉନାହାନ୍ତି। ଜବାବରେ କୃଷିମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହେଉଛନ୍ତି ଜଣେ ଅଭ୍ୟାସଗତ ନିନ୍ଦୁକ।

କାଳିଆ ଛାତ୍ରବୃତ୍ତି ଯୋଜନାକୁ ସମାଲୋଚନା କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମାଜିକ ଗଣମାଧ୍ୟମରେ ମତ ରଖି କହିଥିଲେ, ଗୋଟିଏ ପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସରକାର ଆର୍ଥିକ କ୍ଷେତ୍ରରେ ପଛୁଆ ଥିବା ସାଧାରଣ ବର୍ଗ ପରିବାରର ପିଲାଙ୍କ ପାଇଁ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ କରିବା ପାଇଁ ବ୍ୟବସ୍ଥା କଲେ। ଅଥଚ ତାକୁ ରାଜ୍ୟରେ ଲାଗୁ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କିଛି ବି ପଦକ୍ଷେପ ନେଇନାହାନ୍ତି। ଅନ୍ୟପଟେ, କାଳିଆ ଛାତ୍ରବୃତ୍ତି ଅର୍ଥରେ ଚାଷୀର ପିଲାମାନେ ଡାକ୍ତର, ଇଞ୍ଜିନିୟର ହେବେ ବୋଲି ମୁଖ୍ୟମନ୍ତ୍ରୀ କହିବା ଶଇତାନର ବେଦପାଠ ସହ ସମାନ। ଓଡ଼ିଶାର ଚାଷୀ ପରିବାରଗୁଡ଼ିକ ଅନ୍ୟାନ୍ୟ ପଛୁଆ ବା ଓବିସି ବର୍ଗର। ସାମ୍ବିଧାନିକ ବିଦ୍ଧି ବ୍ୟବସ୍ଥା ଅନୁଯାୟୀ ଓବିସି ବର୍ଗର ପିଲାମାନଙ୍କ ପାଠପଢ଼ିବା ପାଇଁ ଶିକ୍ଷାନୁଷ୍ଠାନ ଏବଂ ସରକାରୀ ଚାକିରୀ କ୍ଷେତ୍ରରେ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ରହିଛି। ମୁଖ୍ୟମନ୍ତ୍ରୀ ସେସବୁ ପିଲାମାନଙ୍କୁ ସେମାନଙ୍କର ସାମ୍ବିଧାନିକ ଅଧିକାର ଦେବା ବଦଳରେ ସାହୁକାର ଭଳି ଟଙ୍କା ଦେଇ ଦେବେ ବୋଲି କହିବା ପରିତାପର ବିଷୟ। ବିନା ବଜେଟରେ ଏପରି ଛାତ୍ରବୃତ୍ତି ଘୋଷଣା କରି ରାଜ୍ୟର ଚାଷୀ ଘରର ପିଲାଙ୍କ ପାଇଁ ମରୀଚିକା ସୃଷ୍ଟି କରାଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଥିଲେ।

କେନ୍ଦ୍ରମନ୍ତ୍ରୀଙ୍କୁ ଜବାବ ଦେବାକୁ ଯାଇ ରାଜ୍ୟ କୃଷି ମନ୍ତ୍ରୀ ଶଶିଭୂଷଣ ବେହେରା କହିଥିଲେ, ପ୍ରଧାନମନ୍ତ୍ରୀ କିଷାନ ନିଧି ଯୋଜନାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ସାମିଲ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିବା ପରେ କିଛି ବି ଉତ୍ତର ମିଳିନି। ଏହାସହିତ ଚାଷୀଙ୍କୁ ୬ ହଜାର ପରିବର୍ତ୍ତେ ୧୦ ହଜାର ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ଚାଷୀଙ୍କ ପ୍ରତି ମୁଖ୍ୟମନ୍ତ୍ରୀ କେତେ ସମ୍ବେଦନଶୀଳ ତାର ସ୍ପଷ୍ଟ ପ୍ରମାଣ ଏଥିରୁ ମିଳିଛି। ଶ୍ରୀ ବେହେରା କହିଥିଲେ କାଳିଆ ଛାତ୍ରବୃତ୍ତି ଯୋଜନା ହେଉଛି ଏକ ବାସ୍ତବଧର୍ମୀ ଯୋଜନା। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କେବେ ବି ରାଜ୍ୟ ସରକାରଙ୍କ ଯୋଜନାକୁ ପ୍ରଶଂସା କରିନାହାନ୍ତି। କାରଣ ନିନ୍ଦା କରିବା କେନ୍ଦ୍ରମନ୍ତ୍ରୀଙ୍କର ପ୍ରବୃତ୍ତି।

ସମ୍ବନ୍ଧିତ ଖବର