କଟକ ଡିଜିଏଫ୍‌ଟି ଶାଖା କାର୍ଯ୍ୟାଳୟ ସ୍ଥାନାନ୍ତର ନିଷ୍ପତ୍ତିର ପୁନର୍ବିଚାର ହେଉ : ଧର୍ମେନ୍ଦ୍ର

କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀଙ୍କୁ ପତ୍ର ଲେଖିଲେ

ଭୁବନେଶ୍ବର : ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ(ଡିଜିଏଫ୍‌ଟି)ର କଟକସ୍ଥିତ ଶାଖା କାର୍ଯ୍ୟାଳୟକୁ ବନ୍ଦ କରି ଏହାକୁ କୋଲକାତା ସହ ମିଶାଇବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ନିଷ୍ପତ୍ତିର ପୁନର୍ବିଚାର କରିବା ପାଇଁ କେନ୍ଦ୍ର ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଚିଠି ଲେଖିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏହି ପ୍ରସଙ୍ଗରେ ସେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ଶ୍ରୀ ପ୍ରଧାନ ତାଙ୍କ ପତ୍ରରେ ଦର୍ଶାଇଛନ୍ତି, କେନ୍ଦ୍ର ସରକାରଙ୍କ କଟକସ୍ଥିତ ଡିଜିଏଫ୍‌ଟି ଆଞ୍ଚଳିକ କାର୍ଯ୍ୟାଳୟ ଓଡ଼ିଶାର ରପ୍ତାନୀ ଓ ଆମଦାନୀକାରୀମାନଙ୍କୁ ବିଭିନ୍ନ ପ୍ରକାର ବୈଷୟିକ ସହୟତା ଯୋଗାଇ ଦେଉଛି। ଅନ୍ତରାଷ୍ଟ୍ରୀୟ ବ୍ୟବସାୟର ବିକାଶ, ବିଶ୍ବ ବାଣିଜ୍ୟ ଚୁକ୍ତି ଅନୁସାରେ କିମ୍ବା ବିଭିନ୍ନ ନିୟମକାନୁନ୍ ପ୍ରସଙ୍ଗରେ ଏହି କାର୍ଯ୍ୟାଳୟ‌ ଓଡ଼ିଶାର ରପ୍ତାନୀକାରୀଙ୍କୁ ସାହାଯ୍ୟ ସହଯୋଗ କରୁଛି। ଉପକୂଳବର୍ତ୍ତୀ ରାଜ୍ୟ ଓଡ଼ିଶାରେ ପାରାଦୀପ ପରି ବନ୍ଦର ରହିଛି। ଦେଶରେ ଜାହାଜରେ ମାଲ୍‌ ରପ୍ତାନୀ କରିବା ଦିଗରେ ଓ ଜାପାନକୁ ସାମୁଦ୍ରିକ ଖାଦ୍ୟ ରପ୍ତାନୀ କରିବା ଦିଗରେ ଏହି ବନ୍ଦର ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହା ବାଦ୍ ରାଜ୍ୟର ଧାମରା ବନ୍ଦର ମଧ୍ୟ ଆନ୍ତର୍ଜାତିକ ବାଣିଜ୍ୟ କାରବାର ତଥା ଦକ୍ଷିଣ ଓ ଦକ୍ଷିଣ-ପୂର୍ବ ଏସିଆରେ ବାଣିଜ୍ୟ କ୍ଷେତ୍ରରେ ଗୁରୁତ୍ବ ବହନ କରୁଛି। ସେହିପରି ଭୁବନେଶ୍ବର ବିମାନବନ୍ଦରକୁ ମୁଖ୍ୟ ଆନ୍ତର୍ଜାତିକ ବିମାନବନ୍ଦର କରିବା ପାଇଁ ଯୋଜନା ପ୍ରସ୍ତୁତ କରାଯାଉଛି। ଓଡ଼ିଶା ସର୍ବାଧିକ ଖଣିଜ ଦ୍ରବ୍ୟ, ହସ୍ତତନ୍ତ, ବନଜାତ ଦ୍ରବ୍ୟ, ସାମୁଦ୍ରିକ ଖାଦ୍ୟ ଓ କୃଷିଜାତ ଦ୍ରବ୍ୟ ରପ୍ତାନୀ କରୁଛି। ‌ବୈଦେଶିକ ବାଣିଜ୍ୟ ନିର୍ଦ୍ଦେଶାଳୟ କଟକସ୍ଥିତ ଆଞ୍ଚଳିକ କାର୍ଯ୍ୟାଳୟକୁ ବନ୍ଦ କରିବା ସହ ଏହାକୁ କୋଲକାତାର ପୂର୍ବତଟ ଡିଜିଏଫ୍‌ଟି କାର୍ଯ୍ୟାଳୟ ସହ ମିଶାଇବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶାର ବିକାଶ ତଥା ରାଜ୍ୟର ଉତ୍ପାଦନକାରୀ ଓ ରପ୍ତାନୀର ଲାଭକୁ ଦୃଷ୍ଟି‌ରେ ରଖି ଏଥିରେ ବ୍ୟକ୍ତିଗତ ହସ୍ତକ୍ଷେପ କରିବା ପାଇଁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର