ଆଇନବିହୀନ ଓଡ଼ିଶା ଏକ ବାସ୍ତବତା କହିଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜବାବ ଦେଲା ବିଜେଡି

୨୯ ତାରିଖ ହେଉଛି ଝାରସୁଗୁଡ଼ା ପାଇଁ କଳା ଦିବସ: ସନ୍ତୋଷ ସିଂ ସାଲୁଜା

ଭୁବନେଶ୍ବର: ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ଦୁଇ ମାସ ପରେ ପୁଣି ଝାରସୁଗୁଡ଼ାରେ ନାବାଳକ ସମର୍ଥଙ୍କ ହତ୍ୟା ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେ ନିଜର ଟୁଇଟରରେ ଲେଖିଛନ୍ତି, ଆଇନ ବିହୀନ ଓଡ଼ିଶା ଏକ ବାସ୍ତବତା। ଦୀର୍ଘ ସମୟ ଧରି କ୍ଷମତାରେ ଥିବା ଲୋକମାନେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତିରେ ଥିବା ତ୍ରୁଟିକୁ ଚିହ୍ନନ୍ତି। ମନ୍ତ୍ରୀ ନବ ଦାସଙ୍କ ହତ୍ୟାକୁ ୨ ମାସ ନ ପୁରୁଣୁ ନାବାଳକ ସମର୍ଥର ହତ୍ୟା କରାଯାଇଛି, ସରକାର ଦାବି କରୁଥିବା ଆଇନର ଶାସନକୁ ପଦାରେ ପକାଇଛି।

ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟର ଜନସାଧାରଣ କିମ୍ବା ଜନପ୍ରତିନିଧିମାନେ କେହି ସୁରକ୍ଷିତ ନୁହଁନ୍ତି । ବିଶେଷ ଭାବରେ ଝାରସୁଗୁଡାରେ ଏଭଳି ପ୍ରତିଦିନ ଘଟଣା ସମସ୍ତଙ୍କୁ ଚକିତ କରିଛି ଏବଂ ଲୋକଙ୍କ ବିଶ୍ୱାସରେ ଆଘାତ ପହଞ୍ଚାଇଛି । ସମର୍ଥଙ୍କ ପରିବାରକୁ ଯେତେ ସାନ୍ତ୍ୱନା ଦେଲେ ମଧ୍ୟ ମଧ୍ୟ କମ୍ ପଡିବ । ଓଡ଼ିଶାର ସରକାର ନାଗରିକଙ୍କ ସୁରକ୍ଷା ଆଇନକାନୁନକୁ ସୁନିଶ୍ଚିତ କରନ୍ତୁ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ।

ଏଣେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଟୁଇଟର ଜବାବ ରଖିଛି ବିଜେଡି। ଦଳର ଉପ ସଭାପତି ଦେବୀ ମିଶ୍ର କହିଛନ୍ତି, ମୁଖ୍ୟମନ୍ତ୍ରୀ ଆଇନଶୃଙ୍ଖଳା ନେଇ ପୂର୍ବରୁ କହି ସାରିଛନ୍ତି। ଧର୍ମେନ୍ଦ୍ର ପ୍ରଧାନ ନିଜ କଥାକୁ ନିଜେ ଦର୍ପଣରେ ଦେଖିବାର ଆବଶ୍ୟକତା ରହିଛି। ଅନ୍ୟ ବିଜେପି ଶାସିତ ରାଜ୍ୟରେ ଆଇନଶୃଙ୍ଖଳା କଣ ଅଛି? ହାତରସ ହେଉ କି କେନ୍ଦ୍ର ଗୃହ ରାଷ୍ଟ୍ର ମନ୍ତ୍ରୀଙ୍କ ପୁଅ କୃଷକଙ୍କୁ ଗଣହତ୍ୟା କରିବା ହେଉ ସେଗୁଡ଼ିକ କେଉଁ ଶୃଙ୍ଖଳା? କେଉଁ ଆଇନରେ ଲେଖା ହୋଇଛି? ତେଣୁ କେବଳ କହିବା ଛଳରେ କହିଲେ ହେବ ନାହିଁ। ତାକୁ କେମିତି ସୁଧାରି ହେବ ସେ ନେଇ ଗଠନମୂଳକ ପରାମର୍ଶ ଦେଲେ ଭଲ ହେବ।

ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଏକ ଟୁଇଟ୍‌ର ଜବାବ ଦେବାକୁ ଯାଇ ରାଜ୍ୟସଭା ସାଂସଦ ଡ. ସସ୍ମିତ ପା କହିଛନ୍ତି, ଓଡ଼ିଶା ଏକ ଶାନ୍ତିପ୍ରିୟ ରାଜ୍ୟ। ଏଠାରେ କାଁଭାଁ ଅପରାଧ ହୁଏ ସତ, ମାତ୍ର ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ ନାହିଁ। ଦେଶର ଅନେକ ବିଜେପି ଶାସିତ ରାଜ୍ୟଠାରୁ ଓଡ଼ିଶାର ଆଇନଶୃଙ୍ଖଳା ସ୍ଥିତି ‌‌ଯଥେଷ୍ଟ ଭଲ ଅଛି। ତେଣୁ ହୀନ ରାଜନୈତିକ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ପାଇଁ ଏଭଳି ଅପପ୍ରଚାର ଜରିଆରେ ଶାନ୍ତିପ୍ରିୟ ଓଡ଼ିଶାବାସୀ ଏବଂ ଓଡ଼ିଶାକୁ ନିନ୍ଦିତ କରନ୍ତୁ ନାହିଁ।

wikidata.org

ଏଣେ ଏନେଇ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ନିଜର ପ୍ରତିକ୍ରିୟାରେ କହିଛନ୍ତି, ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ। ୨୯ ତାରିଖ ହେଉଛି ଝାରସୁଗୁଡ଼ା ପାଇଁ କଳା ଦିବସ। ଜାନୁଆରି ୨୯ରେ ନବ ଦାସଙ୍କୁ ହତ୍ୟା ଏବଂ ମାର୍ଚ୍ଚ ୨୯ରେ ଗୋଟେ ଛୋଟ ପିଲାଟିକୁ ହତ୍ୟା କରାଯାଇଛି। ଓଡ଼ିଶାରେ ଏମିତି ଘଟଣା କେବେ ଘଟୁ ନଥିଲା। ବିଜେଡି ଶାସନରେ ହତ୍ୟା, ଅପହରଣ, ଦୁଷ୍କର୍ମ ବଢ଼ି ଚାଲିଛି, ଯାହା ସୂଚାଉଛି ୟୁପିଠାରୁ ବି ପରିସ୍ଥିତି ଖରାପ। ଆଗକୁ ଝାରସୁଗୁଡ଼ା ଉପନିର୍ବାଚନରେ ଭୋଟ ଦେବାକୁ ବି ଲୋକେ ଡରିବେ। ରାଜ୍ୟ ସରକାର ନବ ଦାସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଏବଂ ସମର୍ଥ ଅଗ୍ରୱାଲଙ୍କ ହତ୍ୟାକାରୀକୁ ସାମ୍ନାକୁ ଆଣନ୍ତୁ, ନହେଲେ ଝାରସୁଗୁଡ଼ାରେ ଭୋଟ ଦେବାକୁ ଲୋକେ ଡରିବେ।

ସମ୍ବନ୍ଧିତ ଖବର